Categories: ଅପରାଧ

ମିଥ୍ୟା ଧର୍ମ କହି ମହିଳାଙ୍କୁ ପ୍ରେମ ଜାଲରେ ଫଶାଇଲେ ଯୁବକ; ତାପରେ…

ମିରଟ, ୨୨।୭: ଉତ୍ତର ପ୍ରଦେଶର ମିରଟରୁ ଏକ ଚାଞ୍ଚଲ୍ୟର ଡବଲ୍‌ ମର୍ଡର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଓ ତାଙ୍କ ୧୦ ବର୍ଷର ଝିଅକୁ ହତ୍ୟା କରାଯାଇ ମାଟିତଳେ ପୋତି ଦିଆଯାଇଥିବାବେଳେ ପୋଲିସ ଉଭୟଙ୍କ କଙ୍କାଳକୁ ଉଦ୍ଧାର କରିଛି। ଘଟଣାରୁ ଜଣାପଡ଼ିଛି ଯେ ବିହାରର ଶମ୍‌ଶାଦ ନାମକ ଜଣେ ଯୁବକ ମିରଟର ପରତାପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଭୁଦଭରାଲ ଅଞ୍ଚଳରେ ରୁହନ୍ତି। ଶମ୍‌ଶାଦ ୫ ବର୍ଷ ତଳେ ସୋସିଆଲ ମିଡିଆରେ ନାମ ଓ ଧର୍ମ ପରିବର୍ତ୍ତନ କରି ଗାଜିଆବାଦର ଜଣେ ବିବାହିତ ମହିଳାଙ୍କୁ ପ୍ରେମ ଜାଲରେ ଫଶାଇଥିଲେ। ଏହାପରେ ବିବାହର ପ୍ରତିଶ୍ରୁତି ଦେଇ ମହିଳା ଓ ତାଙ୍କ ୫ ବର୍ଷର ଝିଅକୁ ମିରଟ ନେଇ ଆସିଥିଲେ। ସେବେଠାରୁ ମହିଳା ଓ ତାଙ୍କ ଝିଅ ଏହି ଯୁବକଙ୍କ ସହ ଏକାଠି ରହି ଆସୁଥିଲେ। କିନ୍ତୁ ଗତ ମାର୍ଚ୍ଚ ମାସରେ ମହିଳା ଜଣଙ୍କ ଜାଣିବାକୁ ପାଇଲେ ଯେ ଯୁବକଙ୍କ ପ୍ରକୃତ ନାମ ଶମ୍‌ଶାଦ୍‌ ଏବଂ ତାଙ୍କ ଧର୍ମ ଅଲଗା। ଏହି ଘଟଣା ପରେ ଶମଶାଦ୍‌ଙ୍କ ସହିତ ମହିଳାଙ୍କ ଝଗଡ଼ା ଆରମ୍ଭ ହୋଇଥିଲା। ଶମ୍‌ଶାଦ ଜବରଦସ୍ତି ମହିଳାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲେ। ମହିଳାଜଣଙ୍କ ଏଥିରେ ରାଜି ହୋଇ ନ ଥିଲେ। ଫଳରେ ଶମ୍‌ଶାଦ ଗତ ମାର୍ଚ୍ଚ ୨୮ରେ ଉଭୟ ମହିଳା ଓ ତାଙ୍କ ଝିଅକୁ ହତ୍ୟା କରି ଶବକୁ ଘର ପ୍ରାଙ୍ଗଣରେ ପୋତି ଦେଇଥିଲା। ଏହାପରେ କେହି ଯେମିତି ସନ୍ଦେହ ନ କରିବେ ସେଥିଲାଗି ଏକ ଯୋଜନା କରିଥିଲେ। ଯୋଜନା ମୁତାବକ ତାଙ୍କ ସ୍ତ୍ରୀ ଓ ଝିଅ ନିଖୋଜ ହୋଇଯାଇଥିବା ନେଇ ଶମ୍‌ଶାଦ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ନିରୂପାୟ ହୋଇ ରହିଥିଲା। କିନ୍ତୁ ଏହି ଘଟଣାର ୫ ମାସ ପରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଶମ୍‌ଶାଦଙ୍କ ଅଗଣା ଖୋଳି ଉଭୟ ମହିଳା ଓ ତାଙ୍କ ଝିଅର କଙ୍କାଳକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। କିନ୍ତୁ ସେତେବେଳକୁ ଶମ୍‌ଶାଦ ଫେରାର ହୋଇସାରିଥିଲା। ପୋଲିସ ଶମ୍‌ଶାଦକୁ ଗିରଫ କରିବା ପାଇଁ ଏକ ଟିମ୍‌ ବିହାରକୁ ପଠାଇଛି।