ପୁତୁରାର ବାହାଘର ପାଇଁ ଗାଁକୁ ଆସୁଥିଲେ: ଟ୍ରେନ୍‌ରେ ଚାଲିଗଲା ଜୀବନ

ବ୍ରହ୍ମପୁର ଅଫିସ,୧୯।୧: ରେଳବାଇ ପୋଲିସ ତିରୁଚିରାପଲି ଟ୍ରେନ୍‌ରୁ ଜଣେ ଯାତ୍ରୀଙ୍କ ମୃତଦେହ ଜବତ କରିଛି। ମୃତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲା ସୋର ଥାନା ଅଧୀନ କୁରୁଡ଼଼ା ଗ୍ରାମର ନିରଞ୍ଜନ ନାୟକଙ୍କ ପୁଅ ପ୍ରଭାତ କୁମାର ନାୟକ(୪୨) ବୋଲି ପୋଲିସ କହିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୯/୨୩) ରୁଜୁ କରିଛି। ହୃଦ୍‌ଘାତରେ ପ୍ରଭାତଙ୍କ ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ସନ୍ଦେହ କରୁଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।

ପ୍ରଭାତ ଓ ତାଙ୍କ ସମ୍ପର୍କୀୟ ପୁତୁରା ମହେନ୍ଦ୍ର କୁମାର ଦାସ କେରଳରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ମହେନ୍ଦ୍ରଙ୍କ ବାହାଘର ସ୍ଥିର ହୋଇଥିବା ବେଳେ ପ୍ରଭାତ ଓ ମହେନ୍ଦ୍ର ଗାଁକୁ ଫେରୁଥିଲେ। ସେମାନେ ତିରୁଚିରାପଲି ଏକ୍ସପ୍ରେସ ଟ୍ରେନର ଏସ୍‌-୭ ବଗିରେ ଭଦ୍ରକକୁ ଯାତ୍ରା କରୁଥିଲେ। ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ନିକଟରେ ପ୍ରଭାତ ଅସୁସ୍ଥତା ଅନୁଭବ କରିଥିଲେ। ଏଣୁ ପ୍ରଭାତଙ୍କୁ ତାଙ୍କ ପୁତୁରା ମହେନ୍ଦ୍ର ଉକ୍ତ ବଗିରେ ଶୋଇବାକୁ କହିଥିଲେ। ବ୍ରହ୍ମପୁର ପହଞ୍ଚିବା ପରେ ମହେନ୍ଦ୍ର ତାଙ୍କ ଦାଦାଙ୍କ ସହ ଟ୍ରେନ୍‌ରୁ ଓଲ୍ଲାଇବା ପାଇଁ ସ୍ଥିର କରିଥିଲେ। ପରେ ଏମ୍‌କେସିଜି ମେଡିକାଲ ଯାଇ ସେଠାରେ ଡାକ୍ତରଙ୍କ ସହ ପରାମର୍ଶ କରିବେ ବୋଲି ମହେନ୍ଦ୍ର ଭାବିଥିଲେ। ହେଲେ ବ୍ରହ୍ମପୁରରେ ଉକ୍ତ ଟ୍ରେନ୍‌ ରହିବା ପରେ ମହେନ୍ଦ୍ର ତାଙ୍କ ଦାଦା ପ୍ରଭାତଙ୍କୁ ଉଠାଇବା ବେଳେ ସେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ରେଳବାଇ ପୋଲିସକୁ ଜଣାଇଥିଲେ। ପୋଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡାକ୍ତର ପ୍ରଭାତଙ୍କୁ ମୃତ ଘୋଷଣା କରିଥିଲେ।