ଥାନା ଆଗରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ବୋଲଗଡ଼,୧୮ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଆଗରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେତେଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ସେ ହେଲେ ଗୋବର୍ଦ୍ଧନପୁର ଗ୍ରାମର ବିଜୟ କୁମାର ପାହାଡ଼ସିଂହ ଓରଫ ବିଜୁ। ବିଜୟଙ୍କୁ ରକ୍ଷା କରିବାକୁ ଯାଇ ଏହି ଗ୍ରାମର ସୁଦାମ ମାଝୀ ଓ ବୁଲୁ ପ୍ରଧାନ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ୩ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗୁରୁବାର ବିଜୟଙ୍କ ସ୍ତ୍ରୀ ବବିତା ସାମଲଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୩୭/୨୨) ରୁଜୁକରି ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ମୁତାବକ, ବୁଧବାର ରାତିରେ ଗୋବର୍ଦ୍ଧନପୁର ଗ୍ରାମର ଜଣେ ଯୁବକ ଖଣ୍ଡା ଧରି ବିଜୟଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କେତେଜଣ ଗ୍ରାମବାସୀ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରି ବୋଲଗଡ଼ ଥାନାକୁ ନେଉଥିଲେ। ୭ରୁ ୮ଜଣ ଦୁର୍ବୃତ୍ତ ବାଇକରେ ଆସି ହଠାତ୍‌ ଥାନା ଆଗରେ ବିଜୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ବୁଲୁ ଓ ସୁଦାମ ଛଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତମାନେ ମଧ୍ୟ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରେ ଗ୍ରାମବାସୀ ସମ୍ପୃକ୍ତ ଯୁବକଙ୍କ କାବୁ କରି ଥାନାରେ ଜିମା ଦେଇଥିଲେ। ଥାନା ଅଧିକାରୀ ବିଦିତା ନାୟକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ବୋଲଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏମ୍‌ସ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଗୋବର୍ଦ୍ଧନପୁର ଗ୍ରାମରେ ଉତ୍ତେଜନା ଲାଗି ରହିଛି। ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି।