ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଶୁକ୍ରବାର ଅପରାହ୍ନ ୪ଟାରେ ଇକାନା ଷ୍ଟାଡିୟମ୍ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯୋଗୀଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ ଓ ୪୭ମନ୍ତ୍ରୀ ଶପଥ ନେବେ। ଏଥିସହ ଯୋଗୀଙ୍କ ନୂଆ କ୍ୟାବିନେଟରେ ୭ରୁ ୮ଜଣ ମହିଳା ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି ସୂଚନା ରହିଛି। ତେବେ ଯୋଗୀଙ୍କ ଏହି ନୂଆ କ୍ୟାବିନେଟରେ ଅନେକ ନୂଆ ପୁରୁଣା ଚେହେରାକୁ ସ୍ଥାନ ଦିଆଯିବ। ଏହି ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ ବିରୋଧୀ ଦଳର ନେତା ସାମିଲ ହେବେ। ବିଶେଷକରି ଏସ୍ପି ପ୍ରତିଷ୍ଠାତା ମୁଲାୟମ୍ ସିଂହ ଯାଦବ, ଅଖିଳେଶ ଯାଦବ ଓ ମାୟାବତୀଙ୍କୁ ସମାରୋହରେ ଯୋଗଦେବା ପାଇଁ ଯୋଗୀ ଆଦିତ୍ୟନାଥ ନିଜେ ଫୋନ କରି ନିମନ୍ତ୍ରଣ କରିଛନ୍ତି। ଅନ୍ୟପଟେ ଶପଥ ଗ୍ରହଣରେ ସାମିଲ ହେବାକୁ ଥିବା ନେତା, ବିଧାୟକ ଓ ଏମ୍ଏଲ୍ସିଙ୍କ କରୋନା ଯାଞ୍ଚ କରାଯାଇଛି। କୁହାଯାଉଛି, ଯେଉଁମାନଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ହିଁ ମଞ୍ଚ ଉପରେ ଉପସ୍ଥିତ ରହିବେ। ତେବେ ପ୍ରାୟ ୭୦ଜଣ ନେତାଙ୍କ କରୋନା ଟେଷ୍ଟ ହୋଇଥିବା ସୂଚନା ରହିଛି।


