ନାଏବ ସରପଞ୍ଚ ନିର୍ବାଚନ ବେଳେ ଉତ୍ତେଜନା: ପ୍ରିଜାଇଡିଂ ଅଫିସର ଅଟକ

ପୁରୁଷୋତ୍ତମପୁର,୧୧ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ବେଳେ ଉତ୍ତେଜନା ପରିସ୍ଥିତି ଉପୁଜିଛି। ମୋଟ ୧୧ ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତରେ ନାଏବ ସରପଞ୍ଚ ଲାଗି ୱାର୍ଡ ନଂ ୧ର ସଭ୍ୟା ହରପ୍ରିୟା ପାତ୍ର ଓ ୱାର୍ଡ ନଂ ୩ର ସଭ୍ୟା ଶୈଳେନ୍ଦ୍ରୀ ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏଥିରେ ସରପଞ୍ଚଙ୍କୁ ମିଶାଇ ୧୨ ଜଣ ମତଦାନ କରିଥିଲେ। ସେଥିମଧ୍ୟରୁ ହରପ୍ରିୟା ୬ଟି ଭୋଟ ପାଇଥିବା ବେଳେ ଶୈଳେନ୍ଦ୍ରୀ ୫ଟି ଭୋଟ ପାଇଥିଲେ। ଗୋଟିଏ ଭୋଟ ନାକଚ ହୋଇଥିବା ନେଇ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସର ଅରୁଣ କୁମାର ସାହୁ ଘୋଷଣା କରିଥିଲେ। ଏହା ପରେ ଲୋକେ ଯାଇ ଦେଖିବା ବେଳେ ହରପ୍ରିୟା ୪ ଭୋଟ, ଶୈଳେନ୍ଦ୍ରୀ ୫ ଭୋଟ ପାଇଥିବା ବେଳେ ୩ଗୋଟି ଭୋଟ ନାକଚ ହୋଇଥିବାର ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି ପ୍ରିଜାଇଡିଂ ଅଫିସର ଅନିୟମିତତା କରିଥିବାର ଅଭିଯୋଗ କରି ୩ଘଣ୍ଟା ଅଟକ ରଖିଥିଲେ। ଫଳରେ ସେଠାରେ ଉପସ୍ଥିତ ଥିବା ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପୀୟୂଷ ରଞ୍ଜନ ଛୋଟରାୟ ଘଟଣାସ୍ଥଳକୁ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ସେମାନେ ପ୍ରିଜାଇଡିଂ ଅଫିସରଙ୍କୁ ଛାଡ଼ିଥିଲେ। ଏହି ଧସ୍ତାଧସ୍ତି ସମୟରେ କେହି ପଞ୍ଚାୟତ ସିସିଟିଭି ଭାଙ୍ଗି ହାର୍ଡଡିସ୍କଟିକୁ ଲୁଟି ନେବା ସହ ଦୁଇଟି ବାଲଟ ପେପରରେ ପୁନଃ ସିଲମାରି ଦେଇଥିବାର ପ୍ରିଜାଇଡିଂ ଅଫିସର ଅଭିଯୋଗ କରିଛନ୍ତି। ପୋଲିସ ସୁରକ୍ଷା ମଧ୍ୟରେ କର୍ମଚାରୀମାନଙ୍କୁ ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟକୁ ଆଣିଥିଲେ। ଖବର ଲେଖା ସୁଦ୍ଧା ଥାନାରେ କେସ୍‌ ହୋଇନାହିଁ।