Categories: ଖେଳ

ବଦଳିଲା ଡବ୍ଲ୍ୟୁଟିସିର ପଏଣ୍ଟ ସିଷ୍ଟମ; ଭାରତ ଖେଳିବ ୧୯ ମ୍ୟାଚ୍‌

ନୂଆଦିଲ୍ଲୀ,୩୦।୬ : ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ ସିଷ୍ଟମ ଲାଗୁ କରିଛି। ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜରୁ ଡବ୍ଲ୍ୟୁଟିସିର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ।

ପ୍ରତ୍ୟେକ ମ୍ୟାଚ୍‌ ବିଜୟରେ ୧୨ ପଏଣ୍ଟ ପ୍ରଦାନ କରାଯିବ। ମ୍ୟାଚ୍‌ ଟାଇ ରହିଲେ ୬ ଲେଖାଏ ପଏଣ୍ଟ ଉଭୟ ଦଳକୁ ମିଳିବ। ସେହିପରି ଯଦି ମ୍ୟାଚ୍‌ ଡ୍ର ରହେ ତାହାହେଲେ ଦୁଇ ଦଳକୁ ୪ ପଏଣ୍ଟ ଲେଖାଏ ମିଳିବ। ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ କରାଯିବ ବୋଲି ଆଇସିସି ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଓଫ୍‌ ଆଲ୍ଲାରଡଶଇସ୍‌ ଚଳିତ ମାସ ଆରମ୍ଭରୁ କହିଥିଲେ।

ପୂର୍ବରୁ ପ୍ରତ୍ୟେକ ସିରିଜ (ମ୍ୟାଚ୍‌ ସଂଖ୍ୟା ଯାହାହେଉ ନା କହିଁକି) ପାଇଁ ୧୨୦ ପଏଣ୍ଟ ରଖାଯାଉଥିଲା। କିନ୍ତୁ ଏବେ ମ୍ୟାଚ୍‌ ପ୍ରତି ୧୨ ପଏଣ୍ଟ ରଖାଯାଇଛି। ଦଳଗୁଡିକ ଯତେ ସଂଖ୍ୟକ ମ୍ୟାଚ୍‌ ଖେଳି ଯେତୋଟି ବିଜୟ ହାସଲ କରିଥିବେ ତାହାକୁ ବିଚାର କରି ପର୍ସେଣ୍ଟେଜ୍‌ ଅନୁସାରେ ପଏଣ୍ଟ ପ୍ରଦାନ କରାଯିବ। ଆଗାମୀ ସପ୍ତାହଗୁଡିକରେ ଆଇସିସି ମୁଖ୍ୟ କାର୍ଯ୍ୟକାରୀ କମିଟି ପଏଣ୍ଟ ସିଷ୍ଟମକୁ ମଞ୍ଜୁରି ପ୍ରଦାନ କରିବେ। ପଏଣ୍ଟ ସିଷ୍ଟମର ସରଳୀକରଣ ପାଇଁ ଏଭଳି ସଂସ୍କାର ଅଣାଯାଇଛି।

ଡବ୍ଳ୍ୟୁଟିସିରେ ମୋଟ ଉପରେ ୯ଟି ଦଳ ମଧ୍ୟରେ ମୁକାବିଲା ହେବ। ପ୍ରତ୍ୟେକ ଦଳ ୬ଟି ଲେଖାଏ ଟେଷ୍ଟ ସିରିଜ ଖେଳିବେ। ୩ଟି ଲେଖାଏ ସିରିଜ ଘରୋଇ ପରିବେଶରେ ଓ ବିଦେଶରେ ଦଳଗୁଡିକ ଖେଳିବେ। ପର୍ସେଣ୍ଟେଜ ସିଷ୍ଟମ୍‌ରେ ପଏଣ୍ଟ ତାଲିକା ସ୍ଥିରୀକୃତ ହେବ। ଆଗାମୀ ଡବ୍ଲ୍ୟୁଟିସି ସାଇକଲ୍‌ରେ ଇଂଲଣ୍ଡ ସର୍ବାଧିକ ୨୧ଟି ମ୍ୟାଚ୍‌ ଖେଳିବ। ଭାରତ ୧୯, ଅଷ୍ଟ୍ରେଲିଆ ୧୮ ଓ ଦକ୍ଷିଣ ଆଫ୍ରିକା ୧୫ଟି ମ୍ୟାଚ୍‌ ଖେଳିବ। ପ୍ରଥମ ସଂସ୍କରଣର ଚାମ୍ପିୟନ ନ୍ୟୁଜିଲାଣ୍ଡ ମାତ୍ର ୧୩ଟି, ପାକିସ୍ତାନ ୧୪ ଓ ଓ୍ବେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ୧୩ଟି ଲେଖାଏ ମ୍ୟାଚ୍‌ ଖେଳିବେ।

Share