ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇଙ୍କ ମୃତ୍ୟୁ

ଓ୍ବାଶିଂଟନ, ୭।୭- ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ଯୋଡ଼ା-ଶରୀର ଭାଇ ରୋନି ଓ ଡୋନି ଗେଲୟନ ଆଉ ନାହାନ୍ତି। ୬୮ ବର୍ଷ ବୟସରେ ଏହି ଯୋଡ଼ା-ଶରୀର ଭାଇଙ୍କ ପରଲୋକ ଘଟିଛି। ଓହିସ୍ଥିତ ଡେଟନ୍‌ ସହରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରୋନି ଓ ଡୋନି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ତାଙ୍କର ଅନ୍ୟଜଣେ ଭାଇ ଜିମ୍‌ କହିଛନ୍ତି। ୨୮ ଅକ୍ଟୋବର ୧୯୫୧ରେ ଆମେରିକାର ଓହିଓ ସହରରେ ଏହି ଯୋଡ଼ା-ଶରୀର ଭାଇ ରୋନି ଓ ଡୋନିଙ୍କ ଜନ୍ମ ହୋଇଥିଲା। ଉଭୟଙ୍କର ୨ଟି ମୁଣ୍ଡ ଥିବାବେଳେ ଗୋଟିଏ ପେଟ ଥିଲା। ସେହିଭଳି ସେମାନଙ୍କର ମଳଦ୍ୱାର ଗୋଟିଏ ଥିବାବେଳେ ହୃଦୟ ୨ଟି ଥିଲା। ଗୋଡ଼ କିନ୍ତୁ ୪ଟି ରହିଥିଲା। ଶରୀର ଅସହାୟ ହେବା ସତ୍ତ୍ୱେ ରୋନି ଓ ଡୋନି ବହୁତ ପରିଶ୍ରମୀ ଥିଲେ। ମାତ୍ର ୩ ବର୍ଷ ବୟସରୁ ସେମାନେ ସର୍କସରେ କାମ କରିବା ଆରମ୍ଭ କରିଥିଲେ। ୧୯୯୧ ମସିହା ପର୍ଯ୍ୟନ୍ତ ରୋନି ଓ ଡୋନି ଏହି କାମ ଜାରି ରଖିଥିଲେ। ଏହାପରେ ସେମାନେ ସର୍କସ କାମ ଛାଡ଼ି ଦେଇ ୨୦୧୦ ପର୍ଯ୍ୟନ୍ତ ଏକୁଟିଆ ରହିଲେ। କିନ୍ତୁ ଯେତେବେଳେ ଦେହ ଖରାପ ହେଲା ସେମାନେ ତାଙ୍କର ଅନ୍ୟତମ ଭାଇ ଜିମ୍‌ଙ୍କ ପାଖରେ ଯାଇ ରହିଲେ। ଜିମ୍‌ ଓ ତାଙ୍କ ସ୍ତ୍ରୀ ରୋନି ଓ ଡୋନିଙ୍କ ସେବା କରିଥିଲେ। ୨୦୧୩ରେ ଯେତେବେଳେ ରୋନି ଓ ଡୋନି ୬୩ତମ ଜନ୍ମଦିବସ ପାଳନ କଲେ ଯୋଡ଼ା-ଶରୀର ଭାଇ ଭାବେ ସର୍ବାଧିକ ବର୍ଷ ବଞ୍ଚିବାରେ ରେକର୍ଡ ସ୍ଥାପନ କରିଥିଲେ। ପୂର୍ବରୁ ଯୋଡ଼ା-ଶରୀର ଭାଇ ଭାବେ ଅଧିକ ବର୍ଷ ବଞ୍ଚିବାର ରେକର୍ଡ ଆମେରିକାର ଚେଙ୍ଗ୍‌ ଓ ଆଙ୍ଗଙ୍କ ନାମରେ ରହିଥିଲା। ଚେଙ୍ଗ ଓ ଆଙ୍ଗ ୬୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ।

Share