Categories: ବାଣିଜ୍ୟ

ବିଓବି କଟକ କ୍ଷେତ୍ର ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ

କଟକ,୧୨।୧: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓବି ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ଆରମ୍ଭରେ ରାଜଭାଷା ଅଧିକାରୀ ବିଶ୍ୱ ହିନ୍ଦୀ ଦିବସର ଇତିହାସକୁ ମନେପକାଇବା ସହ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରୁ ହିନ୍ଦୀ ଦିବସର ସନ୍ଦେଶ ସମ୍ପର୍କରେ ଉପସ୍ଥିତ କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ। ସେହିଭଳି କ୍ଷେତ୍ରୀୟ ମୁଖ୍ୟ ରଞ୍ଜିତ କୁମାର ବିଶ୍ୱସ୍ତରୀୟ ହିନ୍ଦୀର ମହତ୍ତ୍ୱ ଓ ଉପଯୋଗିତା ଉପରେ ବିସ୍ତୃତ ଆଲୋକପାତ କରିବା ସହ ନିଜ ଦୈନନ୍ଦିନ ଜୀବନରେ ସମସ୍ତେ ହିନ୍ଦୀ ଭାଷାର ବ୍ୟବହାର କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସେହିପରି ଉପ-କ୍ଷେତ୍ରୀୟ ମୁଖ୍ୟ ନିର୍ବିକାର ରଥ ହିନ୍ଦୀ ଭାଷାର ପ୍ରୟୋଗ ବଢ଼ାଇବା ପାଇଁ ମହତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଅପରପକ୍ଷରେ କ୍ଷେତ୍ରୀୟ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ହିନ୍ଦୀ ଆଶୁ ଭାଷଣ, କବିତା ପଠନ ଏବଂ ସଂଗୀତ ଗାନ ଆଦି ଆୟୋଜନ ସହ ବିଜୟୀ ପ୍ରତିଯୋଗୀମାନଙ୍କୁ ମଧ୍ୟ କାର୍ଯ୍ୟପାଳକଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ , ରାଜଭାଷା ଅଧିକାରୀ ମନୀଷା ଯାଦବ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ବ୍ୟାଙ୍କର କଟକ କ୍ଷେତ୍ର ଦ୍ୱାରା ଶାଖା କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ହିନ୍ଦୀ ଲେଖନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ସେମାନଙ୍କ ସୃଜନଶୀଳତାର ପରିଚୟ ମଧ୍ୟ ମିଳିପାରିଥିଲା। ବିଶେଷକରି କେଉଁଝର ମୁଖ୍ୟ ଶାଖା ଦ୍ୱାରା ସ୍ଥାନୀୟ ନିର୍ମଳା କନ୍‌ଭେଣ୍ଟ ସ୍କୁଲର ବିଦ୍ୟାର୍ଥୀମାନଙ୍କ ପାଇଁ ଚିତ୍ରକଳା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ୯୨ଜଣ ବିଦ୍ୟାର୍ଥୀ ଏଥିରେ ଭାଗ ନେଇଥିଲେ। ପରିଶେଷରେ ବିଓବିର ଅଗ୍ରିମ ବିଭାଗର ମୁଖ୍ୟ ବିଷ୍ଣୁପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Share