ଆରମ୍ଭ ହେଲା ନୂତନ ମାର୍କେଟ କମ୍ପ୍ଲେକ୍ସ କାମ

କଟକ ଅଫିସ,୨୫ା୩: କଟକ ଚଣ୍ଡୀ ମନ୍ଦିର ରୂପାନ୍ତରଣ କାର୍ଯ୍ୟ ଦ୍ରୁତଗତିରେ ଜାରି ରହିଛି। ସେଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ କାମ ଆରମ୍ଭ ହୋଇଯାଇଛି ା ଏତଦ୍‌ବ୍ୟତୀତ ଶୈଳବାଳା ମହିଳା ସ୍ବୟଂସାଶିତ କଲେଜ ଭିତର ଦେଇ ରାସ୍ତା ଡାଇଭର୍ସନ କାର୍ଯ୍ୟ ଜାରି ରହିଛି ବୋଲି ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ କମିଟି ଅଧ୍ୟକ୍ଷ ତଥା ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ କହିଛନ୍ତି। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ, ସିଡିଏ ଅଧ୍ୟକ୍ଷ ସାମଲ ଓ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ଶୁକ୍ରବାର ପୂର୍ବାହ୍ନରେ ଚଣ୍ଡୀ ମନ୍ଦିରରେ ପହଞ୍ଚି କାର୍ଯ୍ୟ ତଦାରଖ କରିବା ସହ ଓବିସିସି ଓ ଆର୍‌ଆଣ୍ଡ୍‌ବି ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। କାର୍ଯ୍ୟର ଅଗ୍ରଗତି ଦେଖି ସେମାନେ ସନ୍ତୋଷ ପ୍ରକାଶ କରିଥିଲେ। ଇତିମଧ୍ୟରେ ସେଠାକାର ପୁରୁଣା ବିଲ୍ଡିଂରେ ଥିବା ଜିନିଷପତ୍ର ସ୍ଥାନାନ୍ତର କରାଯିବା ସହ ଉକ୍ତ ଢାଞ୍ଚାକୁ ଭାଙ୍ଗି ଦିଆଯାଇଛି। ସେହିପରି ସେବାୟତ ଓ ପୂଜକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିଶେଷକରି ପାଇପ୍‌ ଲାଇନ ସ୍ଥାନାନ୍ତର, ବିଦ୍ୟୁତ୍‌ ଲାଇନ ଟାଣିବା କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ଏ ନେଇ ସିଡିଏ ଅଧ୍ୟକ୍ଷ ସାମଲ କହିଛନ୍ତି, ଖୁବ୍‌ଶୀଘ୍ର ମନ୍ଦିର ପୁନଃ ନବୀକରଣ କାର୍ଯ୍ୟ ଆରମ୍ଭ ହେବ। ମନ୍ଦିରର ଉଚ୍ଚତା ବୃଦ୍ଧି ପାଇବା ସହ ସେଥିରେ ଖୋଣ୍ଡାଲାଇଟ୍‌ ପଥର ବ୍ୟବହାର କରାଯିବ। ଏହି ପଥର ଖୁବ୍‌ଶୀଘ୍ର ପହଞ୍ଚିବ ବୋଲି ସେ କହିଛନ୍ତି। ସେହିପରି ଜିଲାପାଳ ଚୟନୀ କହିଛନ୍ତି, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯେପରି ଶୃଙ୍ଖଳିତ ଢଙ୍ଗରେ ହେବ ଏବଂ ପାଚେରି ନିର୍ମାଣ କାର୍ଯ୍ୟ ଠିକ୍‌ ସମୟରେ ଶେଷ ହେବ ସେଥିପ୍ରତି ପ୍ରଶାସନ ଅଧିକ ଯତ୍ନଶୀଳ ହେବ। ଆସନ୍ତା ଅକ୍ଟୋବର ୧୪ରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ଚଣ୍ଡୀ ମନ୍ଦିର ରୂପାନ୍ତରଣ ଓ ବିକାଶ ପ୍ରକଳ୍ପକୁ ଏକ ସପ୍ତାହ ମଧ୍ୟରେ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ୭୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୨୩ ନଭେମ୍ବର ସୁଦ୍ଧା ଶେଷ ହେବ ବୋଲି ଉପରୋକ୍ତ ଅଧିକାରୀମାନେ ଆଶା ପ୍ରକଟ କରିଛନ୍ତି ା