Categories: ବାଣିଜ୍ୟ

ମେ ୪ରୁ ମହିଳା ବାଣିଜ୍ୟ ମେଳା-୨୦୨୨

ଭୁବନେଶ୍ୱର,୨୮।୪: ଓଡ଼ିଶାରେ ପ୍ରଥମ ଥର ପାଇଁ ମହିଳା ଶିଳ୍ପୋଦ୍ୟୋଗୀମାନଙ୍କ ଦ୍ୱାରା ଏକ ୫ଦିନିଆ ‘ମହିଳା ବାଣିଜ୍ୟ ମେଳା-୨୨’ର ଆୟୋଜନ କରାଯାଉଛି। ମେ ୪ରୁ ୮ତାରିଖ ପର୍ଯ୍ୟନ୍ତ ଏହି ମେଳା ସ୍ଥାନୀୟ ଜନତା ମଇଦାନରେ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ସମଗ୍ର ଓଡ଼ିଶାରୁ ବିଭିନ୍ନ ବର୍ଗର ଶିଳ୍ପୋଦ୍ୟୋଗୀଙ୍କୁ ନେଇ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ବ୍ୟବସାୟିକ ବାତାବରଣ ମଧ୍ୟ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି।
ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲ ପରିସରରେ ଆଇସିସି ୱିମେନ୍‌ ଏଣ୍ଟରପ୍ରିନ୍ୟୁରଶିପ୍‌ କାଉନ୍‌ସିଲ୍‌ (ଆଇଡବ୍ଲ୍ୟୁଇସି) ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀ ମାଧ୍ୟମରେ ମେଳାର ବିସ୍ତୃତ ସୂଚନା ଓ ଆଭିମୁଖ୍ୟ ସମ୍ପର୍କରେ ଆଇଡବ୍ଲ୍ୟୁଇସିର ଉଦ୍ୟୋକ୍ତା ସୁକୀର୍ତ୍ତି ପଟ୍ଟନାୟକ, ଉପ-ଉଦ୍ୟୋକ୍ତା ତନୟା ପଟ୍ଟନାୟକ, ଆଇସିସିର ଅଧ୍ୟକ୍ଷ ଜେ.ବି. ପାଣି ଓ ଉପାଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା ଏବଂ ଜେ.ପି. ପଲ୍‌ ପ୍ରମୁଖ ଉପସ୍ଥିତ ରହି ମେଳାର ସମସ୍ତ ସୂଚନା ପ୍ରଦାନ କରିଥିଲେ।
ଉକ୍ତ ମେଳା ଜରିଆରେ ରାଜ୍ୟର ଶତାଧିକ ମହିଳା ବ୍ୟବସାୟୀ ଷ୍ଟଲ୍‌ ମାଧ୍ୟମରେ ନିଜର ବ୍ୟବସାୟକୁ ବୃଦ୍ଧି ତଥା ପ୍ରଚାର ପ୍ରସାର କରାଇବା ନିମନ୍ତେ ବ୍ୟାପକ ସୁଯୋଗ ପାଇବେ। ଏହା ବ୍ୟତୀତ ମେଳାର ସମୟ ଅବଧି ମଧ୍ୟରେ ବିଭିନ୍ନ ପ୍ରକାର କର୍ମଶାଳା, ସେମିନାର ୱାର୍କଶପ୍‌, ଟକ୍‌ ଶୋ, ନିବେଶକ କାର୍ଯ୍ୟକ୍ରମ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗୀୟ ଯୋଜନାଗୁଡିକର ଆର୍ଥିକ ଶିକ୍ଷା ତଥା ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଯୋଜନା ରହିଛି।

Share