ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍ ୨୦୨୫-୨୬ ଉଦ୍ଘାଟିତ ହୋଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଜାତୀୟସ୍ତରର କ୍ରୀଡ଼ା ଆୟୋଜିତ ହେଉଛି।
ଉଦ୍ଘାଟନୀ ସମାରୋହରେ ଦେଶର ୨୫ରାଜ୍ୟର ୧୭୯ବିଶ୍ୱବିଦ୍ୟାଳୟରୁ ୧ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ। ମୁଖ୍ୟଅତିଥି ଭାବେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏଆଇୟୁର ଧ୍ୱଜାରୋହଣ ଏବଂ ସମ୍ମାନନୀୟ ଅତିଥି ତଥା ଏଆଇୟୁ ପକ୍ଷରୁ ଯୋଗଦେଇଥିବା ପର୍ଯ୍ୟବେକ୍ଷକ ଡ଼. ଦୀପକ ସିଏସ୍ ଫକୀରମୋହନ ବିଶ୍ୱବିଦ୍ୟାଳୟର ଧ୍ୱଜାରୋହଣ କରିଥିଲେ।
ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଦଳମାନଙ୍କର ମାର୍ଚ୍ଚପାଷ୍ଟ କାର୍ଯ୍ୟକ୍ରମ ଉତ୍ସବ ମୁଖରିତ କରିଥିଲା। କ୍ରୀଡ଼ା ପରିଷଦ ନିର୍ଦ୍ଦେଶକ ପ୍ରଫେସର ପବିତ୍ର ମୋହନ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟଅତିଥି ଭାବେ କୁଳପତି ପ୍ରଫେସର ତ୍ରିପାଠୀ ଔପଚାରିକ ଭାବେ ଏହି ଚାମ୍ପିୟନଶିପ୍ ଶୁଭାରମ୍ଭ ଘୋଷଣା କରି କ୍ରୀଡ଼ା ଯୁବସମାଜ ମଧ୍ୟରେ ଶୃଙ୍ଖଳା, ନେତୃତ୍ୱ, ଦଳୀୟ ସମନ୍ୱୟ ଏବଂ ଜାତୀୟ ଏକତାର ମୂଲ୍ୟବୋଧକୁ ସୁଦୃଢ଼ କରେ ବୋଲି ବକ୍ତବ୍ୟରେ କହିଥିଲେ।
ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ନିହାର ରଞ୍ଜନ ରାଉତ ଏବଂ ବିତ୍ତ ନିୟନ୍ତ୍ରକ କରଣ ସୋରେନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ କ୍ରୀଡ଼ା ପରିଷଦର ସହକାରୀ ନିର୍ଦ୍ଦେଶକ ଡ଼. ଅମିତ ଶର୍ମା ଧନ୍ୟବାଦ ଦେଇଥିଲେ। ଏହି ପ୍ରତିଯୋଗିତା ବିଶ୍ୱବିଦ୍ୟାଳୟର ନୂଆପାଢ଼ୀ କ୍ୟାମ୍ପସ୍ ଇନଡୋର ସ୍ପୋଟର୍ସ କମ୍ପ୍ଲେକ୍ସରେ ଦୁଇଟି ଭିନ୍ନ ଭେନ୍ୟୁରେ ଆୟୋଜିତ ହେଉଛି ଏବଂ ଏହା ପିଇଓ ସଂଗ୍ରାମ ବିଶୋୟୀଙ୍କ ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣରେ ପରିଚାଳିତ ହେଉଛି। ଏହି ସର୍ୱଭାରତୀୟ ଚାମ୍ପିୟନଶିପ ଆସନ୍ତା ୨୦ ତାରିଖରେ ଶେଷ ହେବ।

