ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏବେ ବେଆଇନ ଭାବେ ଦେଶୀ ମଦ ରନ୍ଧା ସହ ବିକ୍ରି ଚାଲିଛି। ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏ ନେଇ ଅଞ୍ଚଳର ମହିଳାମାନେ ଅତିଷ୍ଠ ହୋଇ ମଦ ବିକ୍ରି ବନ୍ଦ କରିବାକୁ ଆଗକୁ ଆସିଲେଣି। ଏହି ବ୍ଲକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରାୟତଃ ସବୁ ଗାଁରେ ଦେଶୀ ଓ ବିଦେଶୀ ମଦ ଅବାଧରେ ବିକ୍ରି ହେଉଛି, ଛୋଟ ନାବାଳକ ପିଲାଙ୍କଠାରୁ ବୃଦ୍ଧମାନେ ମଦ ପିଇ ଅନେକ ଅସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାବେଳେ ବହୁ ଧନଜୀବନ ନଷ୍ଟ ହୋଇଛି। ମଦ ଯୋଗୁ ଅନେକ ପରିବାର ବେସାହାରା ହୋଇ ପଡ଼ିଛନ୍ତି। ଅନେକ ସମୟରେ ପରିବାର ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ସହିତ ଅଶାନ୍ତି ଦେଖାଦେଇଛି। ଏଣୁ ମଦ ବନ୍ଦ କରିବା ପାଇଁ ମହିଳା ମାନେ ଏକତ୍ରିତ ହୋଇ ଅଣ୍ଟା ଭିଡିଛନ୍ତି। ପଞ୍ଚାୟତର ପାଲିଆ, ଟିପାଗୁଡ଼ା, ଆମ୍ଳିଝରି, ଚେପ୍ଟିଆମଓ୍ବା୍, ସଲାଗୁଡ଼ା, ପଲୁଗୁଡା, କୋକଡାକନାଡ଼ି, ବାସୁଦେବଗଡ଼ା, ପୂଜାରୀଗୁଡ଼ା, କନ୍ଧଗୁଡ଼ା, ମୋତିବନ୍ଧଗୁଡ଼ା ଏବଂ ସତିଘାଟଗୁଡ଼ା ଆଦି ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ଶତାଧିକ ମହିଳା ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଝରିଗାଁ ଥାନାକୁ ଆସି ଥାନାଧିକାରୀ ରଚିତା ମାଡକାମୀଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଆଇନକୁ ହାତକୁ ନ ନେଇ ପୋଲିସକୁ ସହଯୋଗ କଲେ ବେଆଇନ ମଦ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ।

