ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଆମ୍ବ ବଗିଚାଠାରେ ରବିବାର ମଧ୍ୟାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ନାରୀ ମହାସଂଘର ବ୍ଲକ ସଭାନେତ୍ରୀ ଲୁସିମା ପ୍ରଧାନଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଉପଜିଲାପାଳ ପ୍ରଣୀତା ଦାସ ଯୋଗଦେଇଥିଲେ। ସେହିପରି ଫୁଲବାଣୀ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ମୁଖ୍ୟ ବକ୍ତା ଭାବେ ତହସିଲଦାର ଧୀରଜ ପାତ୍ର ଯୋଗଦେଇଥିଲେ।
ସବ୍ଇନ୍ସପେକ୍ଟର ବାସନ୍ତି ବେହେରା, ଏସ୍କେ ଇମଦାଦ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଅନ୍ତରଙ୍ଗ ଯୁବ ମହାସଂଘର ଜିଲା ସଭାପତି ଦିଲୀପ କୁମାର ସାହୁ, ରାଇକିଆ ବ୍ଲକ ରଣବା ପଞ୍ଚାୟତର ସରପଞ୍ଚ ବନିତା ମଳିକ, ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକ, ପର୍ତ୍ତମାହା ପଞ୍ଚାୟତର ସରପଞ୍ଚ ନବଜିନି ପ୍ରଧାନ ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳାଙ୍କ ଉଦ୍ଦେଶ୍ୟରେ ଏହି ଦିବସର ଉଦ୍ଦେଶ୍ୟ ଓ ମହତ୍ତ୍ୱ କହିଥିଲେ। ଉପସ୍ଥିତ ଅତିଥିଙ୍କୁ ସ୍ବାଗତ ସଙ୍ଗୀତ ସହ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା।
ପରେ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ କହିବା ସହ ଦାରିଙ୍ଗବାଡ଼ି ଅଞ୍ଚଳରେ ଚୋରାମଦ କାରବାର ରୋକିବା ନିଶା ନିବାରଣ କରିବା ପାଇଁ କିଭଳି ମହିଳାମାନେ ସଂଘର୍ଷ କରିବା ସହ ପ୍ରଥମେ ଉକ୍ତ ବ୍ଲକ ଦାରିଙ୍ଗବାଡ଼ି ନିଶାମୁକ୍ତ ଅଞ୍ଚଳ ଘୋଷଣା ହେବା ସହ ସରକାର ଉକ୍ତ ପଞ୍ଚାୟତକୁ ସ୍ବତନ୍ତ୍ର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ ବୋଲି କହିଥିଲେ। ମହିଳାମାନେ ପ୍ରତି ୩ ମାସରେ ବୈଠକ କରି ଅଞ୍ଚଳର ବିକାଶ ପାଇଁ ଆଲୋଚନା କରନ୍ତି ସେମାନେ ନିଜେ ଓ ଅନ୍ୟଙ୍କୁ ସ୍ବାବଲମ୍ବୀ କରିପାରିଥିବା କୁହାଯାଇଥିଲା।

