Posted inଫୁରସତ

ମହିଳା ଓ ମୁଖାଗ୍ନି

ଦେହାନ୍ତ ପରେ ମରଶରୀରକୁ କିଏ କବର ଦିଅନ୍ତି ତ କିଏ ଅଗ୍ନିରେ ଦାହ କରନ୍ତି। ଏମିତି ଅନେକ ବ୍ୟବସ୍ଥାରେ ହୁଏ ଶବସଂସ୍କାର । ଏହି ସଂସ୍କାର କାହିଁ କେଉଁକାଳରୁ ପୁଅମାନେ ସମାପନ କରି ଆସୁଥିବାବେଳେ କେଉଁଠି କେଉଁଠି ଝିଅମାନେ ବି ମୁଖାଗ୍ନି ଦେବାର ନଜିର ଦେଖିବାକୁ ମିଳେ…

କୁହାଯାଏ ସଂସାରରେ ଯିଏ ଜନ୍ମ ନେଇଛି ତା’ର ମୃତ୍ୟୁ ସୁନିଶ୍ଚିତ। ଦେହାନ୍ତ ପରେ ମରଶରୀରକୁ କିଏ କବର ଦିଅନ୍ତି ତ କିଏ ଅଗ୍ନିରେ ଦାହ କରନ୍ତି। ଏମିତି ଅନେକ ବ୍ୟବସ୍ଥାରେ ହୁଏ ଶବସଂସ୍କାର। ଆଉ ଏହି ସଂସ୍କାର କାହିଁ କେଉଁକାଳରୁ ପୁଅମାନେ ସମାପନ କରି ଆସୁଛନ୍ତି। କାରଣ କେତେକଙ୍କ ଭିତରେ ବିଶ୍ୱାସ ରହିଛି ଯେ, ପୁଅ ମୁଖାଗ୍ନି ଦେଲେ କୁଆଡ଼େ ଆତ୍ମାକୁ ସଦ୍‌ଗତି ପ୍ରାପ୍ତ ହୁଏ। ତେବେ ସମୟକ୍ରମେ ଏହି ଧାରାରେ ଆସିଛି ପରିବର୍ତ୍ତନ। ଆଉ ଅନେକ ସ୍ଥାନରେ ଝିଅମାନେ ବି ମୁଖାଗ୍ନି ଦେଉଥିବା ଦେଖାଯାଉଛି।

ଘଟଣା:୧: ସେଦିନ ଥିଲା ମେ ୩ ତାରିଖ, ୨୦୨୦ ମସିହା। ନିଶାର୍ଦ୍ଧ ରାତି। ସ୍ଥାନ ପୁରୀ ସ୍ବର୍ଗଦ୍ୱାର। ଜଣେ ମହିଳା ବାମ ହାତରେ ଏକ ଫଟୋ, ଡାହାଣ ହାତରେ ମୁଖାଗ୍ନି ପାଇଁ ନିଆଁ ଧରି ଜୁଇ କାଠରେ ଶୁଆଇ ଦିଆଯାଇଥିବା ଜଣେ ମୃତକଙ୍କ ଶରୀରରେ ଦେଉଥିଲେ ମୁଖାଗ୍ନି। ସେହି ଦୃଶ୍ୟ ଦେଖି ମନେହେଉଥିଲା ଯେମିତି କି ସେ ଧରିଥିବା ଫଟୋ ହିଁ ଦେଉଛି ମୁଖାଗ୍ନି। ଯେଉଁଠି ଦିନ ରାତି ଅନେକ ସଂସ୍କାର ହୁଏ ସେଠି ଏହି ଦୃଶ୍ୟ ଥିଲା ଭିନ୍ନ ଓ ବେଶ୍‌ ହୃଦୟ ବିଦାରକ। ସେହି ମହିଳା ଥିଲେ ଅମିୟବାଳା ପରିଡ଼ା। ଜଣେ ଅଧ୍ୟାପିକା। ସ୍ବାମୀ ଓ ଏକମାତ୍ର ପୁଅ ଗିରିଜାକୁ ନେଇ ତାଙ୍କ ଛୋଟ ସଂସାର ଚାଲିଥିଲା ଖୁବ ଖୁସୀରେ। ସେ କୁହନ୍ତି, ‘ଆମ ଘର ନୟାଗଡ଼ରେ। ରେଭେନ୍ସାରେ ପିଜି କରିବାପରେ ୨୦୦୦ମସିହାରେ ନାଭାଲ ଅଫିସର୍‌ ଚଣ୍ଡିପ୍ରସାଦ ବାଗଙ୍କ ସହ ମୋର ବାହାଘର ହୁଏ। ୨୦୦୧ରେ ମୋର ପୁଅ ହେଲା। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ୨୦୦୨ମସିହାରେ ମୋର ସ୍ବାମୀ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପ୍ରାୟ ୧୮ଦିନ କୋମାରେ ରହିଲେ। ପରେ କିନ୍ତୁ ସେ ସୁସ୍ଥ ହୋଇଯାଇଥିଲେ। ୨୦୧୦ ମସିହାର କଥା। ଥରେ ସେ ତାଙ୍କ ଗାଁ ଛତିଆ ଯିବାକୁ ବାହାରିଲେ। ଆମେ ମାଆପୁଅ ଭୁବନେଶ୍ୱରରେ ରହିଥାଉ। ସେ ମଟନ୍‌ ଆଣିଦେଇ କହିଲେ, ମୁଁ ଗାଁରୁ ଆସିଲେ ଖାଇବା। ଘରେ ଅପେକ୍ଷାରେ ରହିଥାଉ ହଠାତ୍‌ ଫୋନ ଆସିଲା ତାଙ୍କର ଆକ୍ସିଡେଣ୍ଟ ହୋଇଛି। ହେଲେ ଡାକ୍ତର କହିଲେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଛି। ଘର ଲୋକ ଆମ୍ବୁଲାନ୍ସରେ କଟକ ନେଇ ଆସିଥିଲେ। ମାତ୍ର ଡାକ୍ତର କହିଲେ ଏମିତି କେସରେ ଭଲହୋଇ ବଞ୍ଚିବା ପ୍ରାୟ ୯୯ପ୍ରତିଶତ ଅସମ୍ଭବ। ଏହା ପରେ ତାଙ୍କୁ ଆପୋଲୋ ନେଇ ଆସିଲୁ। ସେଠାରେ କିଛିଦିନ ରହିଲୁ। ସେଇ କୋମା ଅବସ୍ଥାରେ ତାଙ୍କୁ ଘରକୁ ଫେରାଇ ଆଣିଲୁ। ଘରେ ତାଙ୍କ ସେବା ଯତ୍ନ କରୁଥାଏ। ଯେତେବେଳେ ତାଙ୍କର ପାଟି ଖୋଲିଲା ସେ ମୋତେ ମା’ ବୋଲି ଡାକିଲେ । ସେ ମୋର ସ୍ବାମୀ ନୁହେଁ, ମୋର ପୁଅ, ଆସ୍ତେ ଆସ୍ତେ ଏଇ ଭାବନା ମୋ ଭିତରେ ଆସିଯାଇଥିଲା। ସେଇ ବେଡ଼ରେ ହିଁ ତାଙ୍କର ସବୁକିଛି ସେବା ଶୁଶ୍ରୂଷା କରିବାକୁ ପଡ଼ୁଥାଏ। ସେ ପୁଅକୁ ଦେଖି ଖୁସୀ ହୁଅନ୍ତି। ତାକୁ ଛୋଟଭାଇ ବୋଲି ଡାକନ୍ତି। ସମ୍ପୂର୍ଣ୍ଣ କଥା କହିପାରୁ ନ ଥିଲେ। ଏହାରି ଭିତରେ ୨୦୧୯ ମେ୨୫ ତାରିଖ ଦିନ ବରମୁଣ୍ଡା ଓଭରବ୍ରିଜ ଉପରେ ମୋ ପୁଅ ଏକ ଆକ୍ସିଡେଣ୍ଟରେ ଆମକୁ ଛାଡ଼ି ଚାଲିଗଲା। କିନ୍ତୁ ତା’ ବାପାଙ୍କୁ ଏ ବିଷୟରେ କିଛି କହି ନ ଥାଏ। ସେ ସବୁବେଳେ ପୁଅକୁ ସାନଭାଇ କହି ଖୋଜୁଥିଲେ। ଦେହକୁ ପଥରକରି ତାଙ୍କ ନିକଟରେ ଖୁସୀର ଅଭିନୟ କରିବାକୁ ପଡ଼ୁଥିଲା। ସେ ଯେତେବେଳେ ପଚାରନ୍ତି ଛୋଟଭାଇ କୁଆଡ଼େ ଗଲା ଭୋ ଭୋ ହୋଇ ମୁହଁ ଲୁଚାଇ କାନ୍ଦେ। କିନ୍ତୁ ପୁଅ ମରିବାର ବର୍ଷେ ହେବାକୁ ଆଉ କେତେଦିନ ବାକି ଅଛି ସେ ବି ଚାଲିଗଲେ। ଘଟଣାଟି ୨୦୨୦, ମେ ୩ ତାରିଖର। ସେତେବେଳେ ମୋ ପାଖରେ କେବଳ ମୋ ବଡ଼ଭଉଣୀ ଥାଏ। ପୁରୀ ସ୍ବର୍ଗଦ୍ୱାରରେ ସ୍ବାମୀଙ୍କ ଶବକୁ ସଂସ୍କାର ପାଇଁ ନିଆଗଲା। ଏଠାରେ ମୁଁ ମୋ ପୁଅ ଗିରିଜାର ଏକ ଫଟୋକୁ ହାତରେ ଧରିଥାଏ, ଆରହାତରେ ମୁଖାଗ୍ନି। ଏମିତିରେ ବାହ୍ମଣ କହିଲେ, ତମେ ମୁଖାଗ୍ନି ଦେବ କିନ୍ତୁ ଲୁହ ଗଡ଼ାଇବ ନାହିଁ। ଶେଷରେ ସ୍ବାମୀଙ୍କୁ ମୁଖାଗ୍ନି ଦେଇଥିଲି। ଏବେ ସ୍ବାମୀ ଓ ପୁଅର ସ୍ମୃତି ଉଦ୍ଦେଶ୍ୟରେ ଏକ ସେବାସଂସ୍ଥା କରିଛି। ଅନ୍ୟର ସେବା କରି ସେମାନଙ୍କ ପାଖରେ ଥିଲା ପରି ମନେକରୁଛି। ଆଉ ଯେବେ ବରମୁଣ୍ଡା ଓଭରବ୍ରିଜ ପାର ହୁଏ ପୁଅକଥା ମନେ ପଡ଼ିଯାଏ। ଛାତି ଭିତରଟା କୋହରେ ଫାଟି ପଡ଼ିଲାପରି ଲାଗେ।

ଘଟଣା-୨: ମାଲକାନଗିରି ଜିଲାର ସଦର ୧୧୯ କଲୋନୀରେ ସ୍ତ୍ରୀ କାମିନୀ ଓ ତିନି ଝିଅଙ୍କ ସହ ରୁହନ୍ତି ସୁକାନ୍ତ କୁମାର ପଟ୍ଟନାୟକ। ସୁକାନ୍ତ ଏକ ସାଇକେଲ ରିପେୟାରିଂ ଦୋକାନ କରି ପରିବାର ଚଳାଇଥାନ୍ତି। ମାତ୍ର ଥରେ ତାଙ୍କୁ ଥଣ୍ଡାଜ୍ୱର ହେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ସମୟକ୍ରମେ ୧୮ଜୁଲାଇ ୨୦୧୯ରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁକାନ୍ତଙ୍କ ସାନଝିଅ ସଂଗୀତା କୁହନ୍ତି, ବାପାଙ୍କ ମୃତ୍ୟୁ ପରେ ଆମେ ଅସହାୟ ହୋଇପଡ଼ିଥିଲୁ। ଆମର କେହି ଭାଇ ନ ଥିଲେ । ପୂର୍ବରୁ ବାପା ବି କୁହନ୍ତି, ତମେମାନେ ମୋର ପୁଅପରି। ମୋର ଯେବେ କିଛି ଅସୁବିଧା ହୁଏ ଅଣ ଦେଖାକରିବ ନାହିଁ। ହେଲେ ଏପରି ଦୁଃଖଦ ପରିସ୍ଥିତିରେ କିଏ ମୁଖାଗ୍ନି ଦେବ ଏପରି ଚିନ୍ତା ସମସ୍ତଙ୍କୁ ଘାରିଥିଲା। ତେବେ ଆମେ ତିନି ଭଉଣୀ ବାପାଙ୍କ ମୃତଦେହକୁ କାନ୍ଧଦେବା ସହିତ ଅନ୍ୟସମସ୍ତ ଶୁଦ୍ଧିକି୍ରିୟାକର୍ମ କରିପାରିବୁ ବୋଲି ନିଷ୍ପତ୍ତି ନେଇଥିଲୁ। ଏହାପରେ ବାପାଙ୍କ ମରଶରୀରକୁ କୋକେଇରେ କାନ୍ଧେଇ ମାଲକାନଗିରିର ରାସ୍ତାରେ ଚାଲିଚାଲି ଯାଇ ମଶାଣିରେ ପହଞ୍ଚିଥିଲୁ। ଏଠାରେ ମୁଖାଗ୍ନି ଦେଇଥିଲୁ।

ଘଟଣା ୩-: ପୁଅଙ୍କ ପରି ଝିଅ ମଧ୍ୟ ଅନେକ କିଛି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇପାରନ୍ତି। ଯେମିତି କି ମାଲକାନଗିରି ଜିଲାର ସଦର ମହକୁମାସ୍ଥିତ ପ୍ରଧାନୀଗୁଡ଼ା ଗାଁରେ ଘଟିଛି ଏକ ଘଟଣା। ଏହି ଗ୍ରାମର ସତ୍ୟନାରାୟଣ ନାୟକଙ୍କର ସ୍ତ୍ରୀ ଓ ୩ଝିଅଙ୍କୁ ନେଇ ତାଙ୍କ ସଂସାର। ଜମିବାଡ଼ି ବିଶେଷ କିଛି ନାହିଁ। କେବଳ ଘରଟିଏ ଅଛି। ସତ୍ୟ ଅଟୋ ଚଳାଇ ଯାହା କିଛି ରୋଜଗାର କରନ୍ତି ସେଥିରେ ହିଁ ପରିବାର ଚଳାନ୍ତି। ତାଙ୍କର ବଡ଼ ଝିଅ ସଂଯୁକ୍ତା କୁହନ୍ତି- ସେଦିନ ଥିଲା ୬ ଫେବୃୟାରୀ ୨୦୨୧ମସିହା। ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିଲା। ହେଲେ ଆମର କେହି ଭାଇ ନ ଥିଲେ । ବାପାଙ୍କୁ କିଏ ମୁଖାଗ୍ନି ଦେବେ ସେ ନେଇ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ଘାରିଥିଲା। ମାତ୍ର ମୁଁ ମୋ ବାପାଙ୍କ ମରଶରୀରରେ ମୁଖାଗ୍ନି ଦେବା ପାଇଁ ଦୃଢ଼ ନିଷ୍ପତ୍ତି ନେଇ ମଶାଣିରେ ଅନ୍ୟସବୁ ରୀତିନୀତି କାର୍ଯ୍ୟକରିବା ସହିତ ବାପାଙ୍କ ମରଶରୀରରେ ମୁଖାଗ୍ନି ଦେଇଥିଲି।

ଘଟଣା-୪: ସେଦିନ ଥିଲା ବିଶ୍ୱ ମହିଳା ଦିବସ । ଚାରିଆଡ଼େ ଚାଲିଥାଏ ବିଭିନ୍ନ କାର୍ଯ୍ୟକ୍ରମ। କିନ୍ତୁ ବରଗଡ଼ ଜିଲା ଆମ୍ବାପଲିରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। କେତେ ଜଣ ମହିଳା ଏକ କୋକେଇରେ ଏକ ଶବକୁ ବୋହି ନେଉଥିଲେ ମଶାଣି ଭୂମିକୁ। ତେବେ ଘଟଣାଟି ଥିଲା ଏମିତି-ଗତ କିଛିବର୍ଷ ତଳେ ବଲାଙ୍ଗୀର ଜିଲାରୁ ଆସି ବରଗଡ଼ ଜିଲାର ସଦର ଓ୍ବାର୍ଡ ନଂ.- ୧୮ ଅଧୀନ ଆମ୍ବାପଲିରେ ରହୁଥିଲେ ଲକ୍ଷ୍ମଣ କଅଁର ଓରଫ ମାଖନୁ। ତାଙ୍କ ସହିତ ସ୍ତ୍ରୀ ଓ ୪ଝିଅ ରୁହନ୍ତି। ଲକ୍ଷ୍ମଣ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଦିନେ ଲକ୍ଷ୍ମଣ ଏକ ଅଟୋରେ କାମ କରିବାକୁ ଯାଉଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସେଠାରୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ୮ମାର୍ଚ୍ଚ ୨୦୨୦ରେ ତାଙ୍କ ମରଶରୀର ଫେରିଥିଲା ଗାଁକୁ। ତାଙ୍କର କେହି ପୁଅ ନ ଥିବାବେଳେ ଏକ ମହିଳା ସମିତିର ସଦସ୍ୟାମାନେ ଲକ୍ଷ୍ମଣଙ୍କ ମରଶରୀରକୁ କାନ୍ଧରେ ବୋହି ନେଇଥିଲେ ମଶାଣିକୁ। ଏଠାରେ ମୃତ ଲକ୍ଷ୍ମଣଙ୍କ ବଡ଼ ଝିଅ ମନୀଷା ମୁଖାଗ୍ନି ଦେଇଥିଲେ । ମହିଳା ସମିତିର ସଭ୍ୟା ଶାନ୍ତି ମେହେର କୁହନ୍ତି- ଲକ୍ଷ୍ମଣ ଅନ୍ୟ ଜାତିର ଝିଅକୁ ପ୍ରେମବିବାହ କରିଥିବାରୁ ଗାଁରେ କେହି କାନ୍ଧ ଦେଇ ନ ଥିଲେ। ମାତ୍ର ଆମେ ମହିଳାମାନେ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲୁ।

ଘଟଣା-୫: ସମ୍ବଲପୁର ଝାଡୁଆପଡ଼ା ନିବାସୀ ଭାରତୀ ପଣ୍ଡା ତାଙ୍କ ସ୍ବାମୀ ଦାମୋଦରଙ୍କୁ ମୁଖାଗ୍ନି ଦେଇ ଉଦାହରଣ ପାଲଟିଥିଲେ। ଏ ସମ୍ପର୍କରେ ଭାରତୀ କୁହନ୍ତି, ୧୯୫୩ ମସିହା, ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଡଙ୍ଗରପଡ଼ା ମୂଳବାସିନ୍ଦା କବି ଦାମୋଦର ଗାଁ ସ୍କୁଲରୁ ଶିକ୍ଷକତା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ବ୍ୟାଙ୍କ ଚାକିରିରେ ଯୋଗଦେଇଥିଲେ। କିଛିବର୍ଷ ହେବ ବିଭିନ୍ନ ଗଣମାଧ୍ୟମ ସହ ସେ ଜଡ଼ିତ ଥିଲେ। ୨୦୨୦, ଡିସେମ୍ବର ୨ ତାରିଖ ଅପରାହ୍ନ ୩ଟାରେ ହୃଦ୍‌ଘାତରେ ମୋ ସ୍ବାମୀ ଦାମୋଦରଙ୍କ ୬୮ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ଏହି ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲି। ପୁଅ ସୌମ୍ୟ ଦୁବାଇ ଆବୁଧାବୀରେ ଚାକିରି କରୁଥିବା ବେଳେ ଝିଅ ରେଶ୍ମା ଓ ମଧୁମିତା ଦିଲ୍ଲୀ ଓ କଲିକତାରେ ରହିଥାନ୍ତି। କୋଭିଡ୍‌ ସମୟରେ ସେମାନେ ଆସିବା ସମ୍ଭବପର ହୋଇ ନ ଥିଲା। ମୋର ମନରେ ମଧ୍ୟ ଇଚ୍ଛା ଥିଲା ଯେ, ସ୍ବାମୀଙ୍କ ଅନ୍ତ୍ୟେଷ୍ଟିକ୍ରିୟା ନିଜେ କରିବି। ଠିକ୍‌ ଭାବେ ପୂଜାର୍ଚ୍ଚନା ଓ ରୀତିନୀତି କରାଯାଇ ଶବ ସତ୍କାର କରିବା ଚିନ୍ତା କରିଥିଲି। ତାଙ୍କର ଭାଇ ଓ ଅନ୍ୟ ପରିଜନ ମଧ୍ୟ ଖବର ପାଇ ପହଞ୍ଚତ୍ଥିଲେ। ସମ୍ବଲପୁର ରାଜଘାଟ (ସ୍ବର୍ଗଦ୍ୱାର)କୁ ତାଙ୍କର ମୃତ ଶବ ସତ୍କାର ପାଇଁ ନିଆଯାଇଥିଲା। ପଣ୍ଡିତ ପୂଜାର୍ଚ୍ଚନା କରିବା ପରେ ହଠାତ୍‌ ମୁଖାଗ୍ନି କିଏ ଦେବେ ବୋଲି ପ୍ରଶ୍ନ କରିଥିଲେ। ସେ ସମୟରେ ଈଶ୍ୱର ମନରେ ସାହସ ଦେଲେ। ମୁଁ ନିଜେ ତାଙ୍କୁ ମୁଖାଗ୍ନି ଦେବି ବୋଲି କହିଥିଲି। ଆଜି ସେହି ଘଟଣାକୁ ମନରୁ ଭୁଲି ପାରୁନାହିଁ।

ଘଟଣା-୬: ଉପସ୍ଥାପିକା ତଥା ଅଭିନେତ୍ରୀ ମଧୁମିତା ମହାନ୍ତି। ବାପା ଶରତଚନ୍ଦ୍ର ମହାନ୍ତି। ସେ ଜଣେ ଦକ୍ଷ ପ୍ରଶାସକ ଓ ଲେଖକଭାବେ ବେଶ୍‌ ପରିଚିତ। ୨୦୦୬ ମସିହା ମାର୍ଚ୍ଚ ୧୮ତାରିଖ। ଏହିଦିନ ଶରତଙ୍କର ଦେହାନ୍ତ ହୁଏ। ମଧୁମିତା କହନ୍ତି, ବାପାଙ୍କୁ ହରାଇବାର ଦୁଃଖ କେବି ବି ଭୁଲି ପାରିନି। ବାପାଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ୱାରରେ ସତ୍କାର ପାଇଁ ନିଆଯାଇଥିଲା। ମୋର ଯେହେତୁ କେହି ଭାଇ ନ ଥିଲେ ମୁଁ ଚାହିଁଥିଲି ମୁଖାଗ୍ନି ଦେବା ପାଇଁ। ଯାହାହେଉ ମତେ ସେତେବେଳେ ଅନ୍ୟମାନଙ୍କ ସହଯୋଗ ମିଳିଥିଲା। ଏଭଳି ଦୁଃଖଦ ସମୟରେ ମୋ କର୍ତ୍ତବ୍ୟ ଓ ଦାୟିତ୍ୱକୁ ମୁଁ ତୁଲାଇ ପାରିଥିଲି।

ଘଟଣା-୭: ସେ ଥିଲେ ପୂଜ୍ୟଶ୍ରୀ କୁମାର ଭାଇଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଜଣେ ଭିନ୍ନମଣିଷ। ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନକୁ ଆଗକୁ ବଢ଼ାଇବାରେ ଥିଲେ ଅଗ୍ରଦୂତ। ସମାଜସେବାରେ ଦେବଶିଶୁ ଓ ଅସହାୟ ମହିଳାଙ୍କ ପାଇଁ ଗଢ଼ିଥିଲେ ନିଆରା ଶିକ୍ଷାଶ୍ରମ। ସେ ହେଲେ ରୁକ୍ମିଣୀ ଦେବୀ। ସମାଜସେବାରେ ନିଜକୁ ସେ ଉତ୍ସର୍ଗୀକୃତ କରିଥିଲେ। କିନ୍ତୁ ତାଙ୍କର ଦେହାନ୍ତରେ ମୁଖାଗ୍ନି ଦେଇଥିଲେ ଜଣେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ। ସେ କୁହନ୍ତି, ପିଲାଟି ଦିନୁ ତାଙ୍କ ପାଖରେ ପଢ଼ିଛି। ପୁଣି ୧୯୯୮ରୁ ଏଯାଏ ତାଙ୍କ ଅନୁଷ୍ଠାନ ସହିତ ଜଡ଼ିତ। ଦୀର୍ଘ ୨୨ବର୍ଷ ଧରି ତାଙ୍କର ସେବା କରିବାର ସୁଯୋଗ ମିଳିଥିଲା। କିନ୍ତୁ ମୋ ପାଇଁ ସବୁଠୁ ଦୁଃଖଦ ଥିଲା ୨୦୨୦ ଅକ୍ଟୋବର ୨୭ ତାରିଖରେ ବଡ଼ଗୁରୁମା ରୁକ୍ମିଣୀ ଦେବୀଙ୍କ ପରଲୋକ ଘଟଣା। ସେ ଦିନ ତାଙ୍କର ଜଣେ ଛାତ୍ର କମଳଲୋଚନଙ୍କଠାରୁ ହଠାତ୍‌ ଖବର ଶୁଣିଲି ବଡ଼ଗୁରୁମା ଆଉ ନାହନ୍ତି। ତା’ପରେ ଚାରିଆଡ଼େ ଶୋକରଛାୟା ଖେଳିଗଲା। କିନ୍ତୁ କରୋନା ମହାମାରୀ ସମୟରେ ଚାରିଆଡ଼େ କଟକଣା। ଏହି ସମୟରେ ଅନେକ ଶିଷ୍ୟ ଦୂରରେ ରହିଥାନ୍ତି। ତେଣୁ ଗୁରୁମାଙ୍କ ଶବସଂସ୍କାର ପାଇଁ ଚିନ୍ତା ଘାରିଥିଲା। ତେବେ ମୁଖାଗ୍ନି ଦେବା ପାଇଁ ବରଦା ଗୁରୁମା ମତେ ଉତ୍ସାହିତ କରିଥିଲେ ଏବଂ ଡକ୍ଟର ଅରୁନ୍ଧତୀ ଦେବୀ କହିଥିଲେ। ପରେ ମୁଁ ମୁଖାଗ୍ନି ଦେଇ ଆତ୍ମସନ୍ତୋଷ ଲାଭ କରିଛି।

ଘଟଣା-୮: ପଦ୍ମଶ୍ରୀ ଡି. ପ୍ରକାଶରାଓ। ଦୁଃଖୀରଙ୍କିଙ୍କ ସେବାରେ ଯାହାଙ୍କ କଟୁଥିଲା ଦିନ। ତାଙ୍କ ଦେହାନ୍ତରେ ତାଙ୍କ ସାନଝିଅ ଡି. ଭାନୁପ୍ରିୟା ଦେଇଥିଲେ ମୁଖାଗ୍ନି। ତେବେ ଡି. ଭାନୁପ୍ରିୟା କୁହନ୍ତି, ମୋ ବାପା ଡି. ପ୍ରକାଶ ରାଓଙ୍କର ଆମେ ଦୁଇ ଝିଅ। ବଡ଼ ଭଉଣୀ ହରପ୍ରିୟା ଏବଂ ମୁଁ ଡି. ଭାନୁପ୍ରିୟା। ମା’ ପି. ବିଜୟ ଲକ୍ଷ୍ମୀ। ବାପା ଏକ ଚା’ ଦୋକାନ କରି ଯାହାକିଛି ରୋଜଗାର କରନ୍ତି ସେଥିରେ ସେ ଗଢ଼ିଥିବା ଆଶା ଓ ଆଶ୍ୱାସନା ସ୍କୁଲରେ ମାଗଣାରେ ଗରିବ ପିଲାଙ୍କୁ ପଢ଼ାଇଥାନ୍ତି। ଏପରି କି ବାପା ସମାଜର ବିଭିନ୍ନ ଅସହାୟ ଲୋକଙ୍କୁ ବିପଦ ସମୟରେ ରକ୍ତଦାନ ଓ ସେବା କରି ଆନନ୍ଦ ପାଇଥାନ୍ତି। ମା’ ଜଣେ ନର୍ସଭାବେ କାର୍ଯ୍ୟ କରନ୍ତି। ଘରେ ବାପା ଆମକୁ କୁହନ୍ତି, ମୋର ତମେ ଝିଅ ନୁହେଁ ପୁଅ। ସେଥିପାଇଁ ବେଟା ବୋଲି ଆମକୁ ଡାକନ୍ତି। ବାପାଙ୍କ ଦେହ ଅସୁସ୍ଥ ଯୋଗୁ ସେ କଟକ ମେଡିକାଲରେ ଚିକିତ୍ସାଧୀନ ଥିଲେ। ଏମିତିରେ ମୁଁ ମଧ୍ୟ ସେଠାରେ ରହୁଥିଲି। ହେଲେ ଆମ ପାଇଁ ସବୁଠୁ ଦୁଃଖର ଦିନଥିଲା ୧୩ ଜାନୁୟାରୀ ୨୦୨୧ ମସିହା। ଏହି ଦିନ ବାପା ଆମକୁ ଛାଡ଼ି ସବୁଦିନ ପାଇଁ ସଂସାରରୁ ଚାଲିଗଲେ। ତାଙ୍କର ଶବସଂସ୍କାର ପାଇଁ କାଳିଆ ବୋଦା ମଶାଣିଙ୍କୁ ନିଆଯାଇଥିଲା। ସେଠାରେ ମୁଖାଗ୍ନି ଦେବା ପାଇଁ ଯେତେବେଳେ କୁହାଗଲା ମୁଁ ଦେବି ବୋଲି କହିଲି। କେତେଜଣ ମତେ ମନାକଲେ। ମାତ୍ର ମୁଁ କହିଥିଲି ବାପା ଆମକୁ ସବୁବେଳେ ବେଟା ବୋଲି ଡାକୁଥିଲେ। ଆମେ ଆମ ବାପାଙ୍କୁ ମୁଖାଗ୍ନି ଦେବାରେ ଅସୁବିଧା କେଉଁଠି। ତା’ପରେ ମୁଁ ମୁଖାଗ୍ନି ଦେଇଥିଲି। ଏବେ ମୁଁ ଦିଲ୍ଲୀରୁ ଚାକିରିଛାଡ଼ି ବାପାଙ୍କ ସ୍କୁଲକୁ ସମ୍ଭାଳୁଛି। ଆଉ ଦାଦା ବାପାଙ୍କ ଚା’ ଦୋକାନ କଥା ବୁଝୁଛନ୍ତି।

ଘଟଣା-୯: ସାଧାରଣତଃ କୌଣସି ହିନ୍ଦୁ ପରିବାରରେ କାହାରି ମୃତ୍ୟୁ ହେଲେ ପୁଅ ମୁଖାଗ୍ନି ଦେବାର ବିଧି ରହିଛି। ଗଜପତି ଜିଲା କାଶୀନଗର ବ୍ଲକ ସିଧାମଢ଼ଙ୍ଗ ଗ୍ରାମରେ ଘଟିଛି ଏପରି ଏକ ଘଟଣା; ଯେଉଁଠି ଜଣେ ଝିଅ ମୁଖାଗ୍ନି ଦେଇଥିବା ନଜରକୁ ଆସିଥିଲା। ଏହି ଗାଁର ବାସିନ୍ଦା ହେଲେ ଦାମୋଦର ପାଣିଗ୍ରାହୀ। ସେ କାଶୀନଗର ସରକାରୀ ଉଚ୍ଚବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଘରେ ଦୁଇପୁଅ, ଦୁଇଝିଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର ଚଳୁଥିଲା। ଦାମୋଦର ଚାକିରିରୁ ଅବସର ନେବା ପରେ ସେ ଆସି ଘରେ ରହୁଥିତ୍ଲେ। ସମୟକ୍ରମେ ଦାମୋଦରଙ୍କ ସ୍ତ୍ରୀ ରେଣୁକାଙ୍କ ଦେହ ଅସୁସ୍ଥ ହେଲା ଓ ସେ ୨୦୦୨ରେ ମୃତ୍ୟୁବରଣ କଲେ। ପୁଅ ରାମକୃଷ୍ଣ ଓ ଦୁର୍ଗା ରାଜ୍ୟ ବାହାରେ ଦିନମଜୁରିଆ ଭାବେ କାମକରି ଚଳୁଥିଲେ। ଦୁଇପୁଅଙ୍କ ବିବାହ ମଧ୍ୟ ସରିଯାଇଥିଲା। କିନ୍ତୁ କିଛିବର୍ଷ ତଳେ ସାନପୁଅର ଏକ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବାବେଳେ ବଡ଼ପୁଅ ଏକ ଦୁରାରୋଗ୍ୟ ପଡ଼ି ମୃତ୍ୟୁବରଣ କରିଥିଲେ। ଅନ୍ୟପକ୍ଷେ ବଡ଼ଝିଅ ମହାଲକ୍ଷ୍ମୀ ପାଣିଗ୍ରାହୀଙ୍କ ବିବାହ ସରିଥିଲା। ଘରେ ବାପାଙ୍କ କଥା ବୁଝୁଥିଲେ ସାନଝିଅ ସଂଯୁକ୍ତା। ଥରେ ଘର ଅଗଣାରେ ଦାମୋଦରଙ୍କ ଗୋଡ଼ ଖସିଯିବାରୁ ତାଙ୍କ ଅଣ୍ଟା ଭାଙ୍ଗିଯାଇଥିଲା। ଏଥିଯୋଗୁ ସେ ପ୍ରାୟ ଦେଢବର୍ଷଧରି ଘରେ ଶଯ୍ୟାଶାୟୀ ହୋଇପଡିଥିଲେ। ସାନଝିଅ ତାଙ୍କର ସେବା ଯତ୍ନ କରୁଥିଲେ। ସଂଯୁକ୍ତା କୁହନ୍ତି, ଜୁଲାଇ ମାସ ୨୦୨୦ରେ ମୋ ବାପାଙ୍କ ମୃତ୍ୟୁ ଘଟିଲା। ଏହି ସମୟରେ କେହି ଆତ୍ମୀୟସ୍ବଜନ ପାଖରେ ଉପସ୍ଥିତ ନ ଥିଲେ। ମତେ ହିଁ ତାଙ୍କ ଶବ ସଂସ୍କାର ବେଳେ ମୁଖାଗ୍ନି ଦେବାକୁ ପଡ଼ିଥିଲା। ସମସ୍ତେ ଚାଲିଗଲେ ଏବେ କେବଳ ମୁଁ ଏକା ଅଛି। ମୋ ଦେହ ଅସୁସ୍ଥ ଥିବାରୁ ଯାହା କେବଳ ମରି ମରି ବଞ୍ଚୁଛି। ଏମିତିରେ ଏଯାଏ ବାପାଙ୍କ ପେନ୍‌ସନ ଟଙ୍କା ମିଳିନାହିଁ। ବ୍ଲକଠାରୁ ଆରମ୍ଭକରି ଜିଲାସ୍ତରରେ ବିଭାଗୀୟ ଅଧିକାରୀଙ୍କୁ ଗୁହାରି ଜଣାଇଛି। ଆଜି କାଲି କହି ଦିନ ଗଡ଼ାଉଛନ୍ତି। ଅନ୍ୟପକ୍ଷେ ଏମାନଙ୍କ ବ୍ୟତୀତ ସମାଜରେ ଆହୁରି ଅନେକ ଦୁହିତା ବିଭିନ୍ନ ସ୍ଥାନରେ ମୁଖାଗ୍ନି ଦେବାର ନଜିର ରହିଛି।

-ବନବିହାରୀ ବେହେରା
-ଅଭିଜିତ୍‌ ଚନ୍ଦ୍ର, ନୃସିଂହ ମହାନ୍ତି, ଗିରିଧାରୀ ପରିଚ୍ଛା, ପ୍ରେମାନନ୍ଦ ଖମାରୀ, ସୁବାଶିଷ ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri