ମହିଳାଙ୍କୁ ପୋଡ଼ି ହତ୍ୟା ମାମଲା : ସ୍ବାମୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୧ା୪- ଗଞ୍ଜାମ ଜିଲା ଦୌରାଜଜ ମଙ୍ଗଳବାର ଜନୈକା ମହିଳାଙ୍କୁ ପୋଡ଼ି ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସ୍ତ୍ରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ସ୍ବାମୀ ଏସ୍‌. ସୀମାଞ୍ଚଳ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୧୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଅତିରିକ୍ତ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ସେହିପରି ଶ୍ୱଶୁର ଏସ୍‌. ଲକ୍ଷ୍ମୀନାରାୟଣ ପାତ୍ର, ଶାଶୁ ଏସ୍‌.ଜ୍ୟୋତିଲତା ପାତ୍ର ଓ ଦିଅର ଏସ୍‌. ନୀଳାଞ୍ଚଳ ପାତ୍ରଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।
ପ୍ରକାଶ ଯେ, ଏସ୍‌. ଲକ୍ଷ୍ମୀନାରାୟଣ ପାତ୍ରଙ୍କ ପୁଅ ଏସ୍‌. ସୀମାଞ୍ଚଳ ପାତ୍ର ୨୦୧୪ରେ ବାଲୁଗଁା ଥାନା ଅନ୍ତର୍ଗତ ଚିଲିକାର ଇ. ଭାରତୀ ପାତ୍ରଙ୍କୁ ବିବାହ କରିଥିଲେ। ବିବାହର କିଛିମାସ ପରେ ବିଭିନ୍ନ କାରଣକୁ କେନ୍ଦ୍ରକରି ଭାରତୀଙ୍କ ସ୍ବାମୀ ଓ ଶ୍ୱଶୁର ଘର ଲୋକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ୨୦୧୭ ମେ ୨୨ରେ ଭାରତୀ ପୋଡ଼ି ଗୁରୁତର ହୋଇ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ପୋଲିସ ଭାରତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲା। ପରେ ଭାରତୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଦେହରେ ସ୍ବାମୀ ଓ ଶ୍ୱଶୁର ଘର ଲୋକ ପେଟ୍ରୋଲ ଢାଳି ପୋଡ଼ି ହତ୍ୟା କରିଥିଲେ ବୋଲି ତାଙ୍କ ଭାଇ ପ୍ରଦୀପ କୁମାର ପାତ୍ର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୮୭/ ୧୭ରେ ଯୌତୁକଜନିତ ଏକ ହତ୍ୟା ମାମଲା ରୁଜୁ କରିଥିଲେ। ଭାରତୀଙ୍କ ଶ୍ୱଶୁର, ଶାଶୁ ଓ ଦିଅରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ବାମୀ ସୀମାଞ୍ଚଳ ଫେରାର ଥିବା ବେଳେ ୨୦୧୭ ମେ ୨୬ରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।
ମାମଲାର ବିଚାର ବେଳେ ୨୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ମଙ୍ଗଳବାର ରାୟ ପ୍ରକାଶ ବେଳେ ସୀମାଞ୍ଚଳ ମଣ୍ଡଳ କାରାଗାରରେ ଥିବା ବେଳେ ଜିଲାଜଜ ଭିଡିଓ କନଫରେନ୍ସରେ ତାଙ୍କୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଥିଲେ। ଅନ୍ୟପଟେ ଜାମିନରେ ଥିବା ତାଙ୍କ ବାପା, ମା’ ଓ ଭାଇଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କୁ ଜଜ୍‌ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ରମେଶ ଚନ୍ଦ୍ର ପ୍ରଧାନ ମକଦ୍ଦମା ପରିଚାଳନା କରିଥିଲେ।