ବିଲରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ: ହତ୍ୟା କରି ପୋଡ଼ିଦେଇଥିବା ସନ୍ଦେହ

ଜୁନାଗଡ଼,୩୦।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମେରିଆବନ୍ଧଲି ଗ୍ରାମ ନିକଟସ୍ଥ ଏକ ବିଲରୁ ବୁଧବାର ସକାଳେ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ଜୁନାଗଡ଼ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ମୃତ ମହିଳାଙ୍କ ବୟସ ୩୦ରୁ ୪୦ ବର୍ଷ ଭିତରେ ହେବ ବୋଲି ସ୍ଥାନୀୟ ପୋଲିସ କହିଛି। ଅନ୍ୟପଟେ ମୃତ ମହିଳାଙ୍କ ହାତରେ ସାଲାଇନ୍‌ ଦେବା ପାଇଁ ବ୍ୟବହୃତ ହେଉଥିବା ଭେନ ଫ୍ଲୋ ଲାଗିିଥିବା ବେଳେ ସେ କୌଣସି ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସନ୍ଦେହ କରାଯାଉଛି। ସେହପରି ତଦନ୍ତ ପାଇଁ ନୂଆପଡା ଜିଲାର ଏକ ସ୍ବତନ୍ତ୍ର ସାଇଣ୍ଟିଫିକ ଟିମ୍‌କୁ ଡକାଯାଇଛି ବୋଲି ଜୁନାଗଡ଼ ଆଇଆଇସି ଉତ୍ତମ ସାହୁ ସୂଚନା ଦେଇଛନ୍ତି।