ରିପୋର୍ଟ ପଜିଟିଭ ଆସିବାରୁ ଟଏଲେଟରେ ରଖିଦେଲେ

ନ୍ୟୁୟର୍କ, ୩୧।୧୨: ବିମାନ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାରୁ ତାଙ୍କୁ ହଟ୍ଟହଟା ହେବାକୁ ପଡ଼ିଛି। ଉକ୍ତ ଯାତ୍ରୀଙ୍କୁ ବିମାନ ଟଏଲେଟ୍‌ରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଆଇସୋଲେଶନରେ ରଖାଯାଇଥିଲା।

୧୯ ତାରିଖରେ ସିକାଗୋରୁ ଆଇସ୍‌ଲାଣ୍ଡ ଯାଉଥିବା ବିମାନରେ ମିଚିଗାନ୍‌ର ଶିକ୍ଷୟିତ୍ରୀ ମାରିସା ଫୋଟିଓ ଥିଲେ। କିଛି ବାଟ ଉଡ଼ାଣ ପରେ ତାଙ୍କ ଗଳାରେ କଷ୍ଟ ଅନୁଭୂତ ହୋଇଥିଲା। ସେ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା କରାଇବାରୁ ତାଙ୍କର କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିଥିଲା ବୋଲି ସ୍ଥାନୀୟ ନ୍ୟୁଜ୍‌ ଚ୍ୟାନେଲ ପ୍ରକାଶ କରିଛି।

ତେବେ ପୂର୍ବରୁ ସେ ଦୁଇଥର ଆର୍‌ଟି-ପିସିଆର୍‌ ଏବଂ ୫ ଥର ଆଣ୍ଟିଜେନ ପରୀକ୍ଷା କରାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍‌ ଆସିଥିଲା ବୋଲି କହିଛନ୍ତି। ଫୋଟିଓ କୋଭିଡ୍‌ ଟିକା ସହ ବୁଷ୍ଟର ଡୋଜ୍‌ ମଧ୍ୟ ନେଇଥିଲେ। ବିମାନ ବାଥ୍‌ରୁମ୍‌ରେ ପରୀକ୍ଷାରୁ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ସେ ଭୟଭୀତ ହୋଇଯାଇଥିଲେ। ସେ ତାଙ୍କ ପରିବାର ସଦସ୍ୟ ଓ ବିମାନ ଯାତ୍ରୀମାନଙ୍କ ପାଇଁ ଚିନ୍ତିତ ହୋଇପଡ଼ିଥିଲେ। ବିମାନ କର୍ମଚାରୀ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଅଲଗା ସିଟ୍‌ ବ୍ୟବସ୍ଥା ହୋଇ ନ ପାରିବାରୁ ଫୋଟିଓ ବାଥରୁମ୍‌ ଭିତରେ ଆଇସୋଲେଶନରେ ରହିବାକୁ ନିଷ୍ପତ୍ତି ନେଇଥିଲେ।

Share