ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ, କ୍ଷତିପୂରଣ ପରେ ଉଠିଲା ମୃତଦେହ

ଭବାନୀପାଟଣା/କୋକସରା,୧।୭(ସ୍ବ.ପ୍ର./ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ୨ ପୃଥକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭବାନୀପାଟଣା ବ୍ଲକ କନ୍ଦବାନ୍ଦୋପଲା ଗ୍ରାମର ରତ୍ନାକର ମାଝି (୨୩) ଏବଂ କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ର କିଆଁ ମାଝି (୪୧)।

ସୂଚନା ଅନୁଯାୟୀ, ଅପରାହ୍ନରେ ଭବାନୀପାଟଣାରୁ ରତ୍ନାକର ବାଇକ୍‌ରେ ଘରକୁ ଆସୁଥିଲେ। ରିଷଗଁାଠାରେ ଏକ ପିକଅପ୍‌୍‌ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଫେରାର ହୋଇଥିଲେ। ପରିବାର ଲୋକେ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ସଦର ଥାନା ଆଇଆଇସି ରଶ୍ମିତା ପ୍ରଧାନ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସମାଧାନ ହୋଇପାରି ନ ଥିଲା। ପ୍ରଶାସନ ପକ୍ଷରୁ ରେଡ୍‌କ୍ରସ ସହାୟତା ଓ ଦୁର୍ଘଟଣା ଘଟାଇଥିବା ଗାଡି ମାଲିକ କ୍ଷତିପୂରଣ ଦେବା ପ୍ରତିଶ୍ରୁତି ପରେ ସନ୍ଧ୍ୟା ସାଢେ ୭ରେ ରାସ୍ତାରୋକୋ ହଟିଥିଲା।

ସେହିପରି କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁର କୃଷ୍ଣଚନ୍ଦ୍ର ମାଝି (୪୫), ସ୍ତ୍ରୀ କିଆଁ ଓ ଝିଅ ନମିତା ମାଝି (୧୧) ଏକ ବାଇକ୍‌ (ଓଡି୦୮ଏନ୍‌-୫୪୬୮) ଯୋଗେ ବଡ଼ଝିଅ ଗଁା ଭୁର୍ଷାଗୁଡାକୁ ଯାଉଥିଲେ। ଗୋତୋମୁଣ୍ଡାରୁ ଆଇଆର୍‌ବି ଯବାନଙ୍କୁ ରଥଯାତ୍ରା ଡ୍ୟୁଟିରେ ଛାଡି ଫେରୁଥିବା ଆମପାଣି ପୋଲିସ ଗାଡି(ନଂ.ଓଡି୦୫ଓ୍ବାଇ-୪୮୮୧) ବାଇକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ରୁ ୩ଜଣ ରାସ୍ତାରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ୩ଜଣଙ୍କୁ ପୋଲିସ ଗାଡିରେ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କିଆଁଙ୍କ ମୃତ୍ୟୁ ଘଟିଛି। ଗୁରୁତର ବାପା ଓ ଝିଅକୁ ଆମ୍ବୁଲାନ୍ସରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଓ ଗ୍ରାମବାସୀ ମୃତଦେହ ଆମପାଣି ଥାନା ସମ୍ମୁଖ ଜାତୀୟ ରାଜପଥ ୨୬ରେ ରଖି ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇଥିବା ପୋଲିସ ଗାଡ଼ି ଡ୍ରାଇଭରଙ୍କୁ ଗିରଫ, ୧୦ ଲକ୍ଷ କ୍ଷତିପୂରଣ ସହ ଗୁରୁତର ବାପା, ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ପୋଲିସ ବିଭାଗ ବହନ କରିବା ଦାବିରେ ଆନ୍ଦୋଳନ କରିଥିଲେ। ଫଳରେ ବିଳମ୍ବିତ ରାତିରେ ପୋଲିସ ପ୍ରଶାସନ ପକ୍ଷରୁ ୯୦ ହଜାର ଟଙ୍କା ଏବଂ ରେଡ୍‌କ୍ରସ ପକ୍ଷରୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏ ନେଇ ଥାନାରେ ଏକ ମାମଲା (ନଂ.୬୭/୨୨) ରୁଜୁ ହୋଇଛି।