ଦୁର୍ବୃତ୍ତଙ୍କ କେମିକାଲ ମାଡ଼ରେ ମହିଳା ଗୁରୁତର

ଭବାନୀପାଟଣା,୭।୮(ସ୍ବ.ପ୍ର.): କେତେକ ଦୁର୍ବୃତ୍ତଙ୍କ କେମିକାଲ ମାଡ଼ରେ ଜଣେ ମହିଳା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ପଣ୍ଡିଗାଁରେ। ଆହତ ମହିଳା ହେଉଛନ୍ତି ଯଶୋବନ୍ତି ନିଆଲ।

ଜିଲାରେ ଦିନକୁ ଦିନ ଡକାୟତି ବୃଦ୍ଧି ପାଉଥିବା ବେଳେ ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଚୋରି କରିବା ପାଇଁ ପଣ୍ଡିଗାଁକୁ ଆସିଥିଲେ। ଗ୍ରାମର କିଛି ଯୁବକ ତାଙ୍କୁ ଦେଖି ପିଛା କରିଥିଲେ। ସେତିକିବେଳେ ୨ ଜଣ ଦୁର୍ବୃତ୍ତ ଯଶୋବନ୍ତିଙ୍କ ଉପରକୁ କେମିକାଲ ମାଡ଼ କରି ଫେରାର ହୋଇଯାଇଥିଲେ। କେମିକାଲ ମାଡ଼ରେ ଯଶୋବନ୍ତି ତଳେ ପଡିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ଲୋକେ ଠୁଳ ହୋଇଯାଇଥିଲେ। ଘଟଣାସ୍ଥଳରେ ଯଶୋବନ୍ତିଙ୍କୁ ଗୁରୁତର ଅବସ୍ଥାରେ ଦେଖି ପରିବାର ଲୋକେ ତାଙ୍କୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷେ ଜିଲାରେ ଡକାୟତି ବୃଦ୍ଧି ପାଉଥିବା ବେଳେ କଳାହାଣ୍ଡି ପୋଲିସ ୧୦ ଜଣିଆ ଆନ୍ତଃ ଜିଲା ଡକାୟତ ଗ୍ୟାଙ୍ଗକୁ ଶନିବାର ଧରିବାରେ ସଫଳ ହୋଇଥିଲା। ଏହା ଜିଲାବାସୀଙ୍କୁ ଆଶ୍ବସ୍ତି ଦେଇଥିବା ବେଳେ ପୁଣି ଏପରି ଘଟଣାକୁ ନେଇ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।