Categories: ଫୁରସତ

ମଧ୍ୟପ୍ରଦେଶରେ ଜନ୍ମ ନେଲା ହାତ, ଗୋଡ଼ ନ ଥିବା ଝିଅ

ଭୋପାଳ, ୨୭।୬- ମଧ୍ୟପ୍ରଦେଶର ଭିଦିଶା ଜିଲାରେ ଜନ୍ମ ନେଇଥିବା ଏକ ଶିଶୁ କନ୍ୟାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜନ୍ମ ନେଇଥିବା ଏହି ଶିଶୁ କନ୍ୟାଟିର ହାତ ଓ ଗୋଡ଼ ନ ଥିବା ଜଣାପଡ଼ିଛି। ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ଖବର ପାଲଟିଛି। ଶନିବାର ସ୍ଥାନୀୟ ସାକଲୋନ୍‌ ଗ୍ରାମର ଜଣେ ୨୮ ବର୍ଷୀୟା ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରି ଘରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। କିନ୍ତୁ ଯେତେବେଳେ ପରିବାର ଲୋକ କନ୍ୟାକୁ ଦେଖିଥିଲେ ପୁରା ସ୍ତବ୍ଧ ହୋଇଯାଇଥିଲେ। ନବଜାତ କନ୍ୟାର ନା ଥିଲା ହାତ ନା ଗୋଡ଼। ଏହି ଘଟଣା ଜଣାପଡ଼ିବା ପରେ ଶିଶୁ କନ୍ୟାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ବ୍ଲକ ମେଡିକାଲ ଅଫିସର ଡାକ୍ତର ପ୍ରମୋଦ ଦିଓ୍ବାନ କହିଛନ୍ତି, ଶିଶୁ କନ୍ୟାକୁ ମେଡିକାଲ ଆଣିବା ପାଇଁ ଆମେ ମହିଳାଙ୍କ ଘରକୁ ଜଣେ ଏଏନ୍‌ଏମ୍‌ ଓ ଆଶାକର୍ମୀଙ୍କୁ ପଠାଇଥିଲୁ। କିନ୍ତୁ ସେମାନଙ୍କ ପରିବାର ନବଜାତ କନ୍ୟାକୁ ଚେକ୍‌ ଅପ୍‌ କରିବା ପାଇଁ ମେଡିକାଲ ଆଣିବା ଲାଗି ପ୍ରସ୍ତୁତ ନାହାନ୍ତି। ସେହିଭଳି ‘ତାଙ୍କ ସ୍ତ୍ରୀ ହାତ ଓ ଗୋଡ଼ ନ ଥିବା ଏକ ଶିଶୁକନ୍ୟା ପ୍ରସବ କରିଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି’ବୋଲି ମହିଳାଙ୍କ ସ୍ବାମୀ କହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ରାଜୀବ ଗାନ୍ଧୀ ମେମୋରିଆଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ, ଡାକ୍ତର ସୁରେଶ ଅଗ୍ରଓ୍ବାଲଙ୍କ କହିଛନ୍ତି, ଏହା ଏକ ଜନ୍ମଗତ ବିକୃତି। ପ୍ରତି ଲକ୍ଷେ କେସ୍‌ରେ ଏଭଳି ଗୋଟିଏ ଘଟଣା ଘଟିଥାଏ। ଏଠାରେ ଉଲ୍ଲେଖଯୋଗ୍ୟ, ୪ ଡିସେମ୍ବର ୧୯୮୨ ମସିହାରେ ଅଷ୍ଟ୍ରେଲିଆରେ ଏଭଳି ଜଣେ ଶିଶୁପୁତ୍ର ଜନ୍ମଗ୍ରହଣ କରିଥିଲା। ନିକ୍‌ ନାମକ ଏହି ଶିଶୁ ଏବେ ବଡ଼ ହୋଇ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଉଛନ୍ତି। ନିକ୍‌ କେତେବେଳେ ଫୁଟ୍‌ବଲ ତ ପୁଣି ଗଲ୍ଫ ଖେଳୁଛନ୍ତି। ପୁଣି କେତେବେଳେ ସୁଇମିଂ କରୁଛନ୍ତି। ସେହିଭଳି ଇଣ୍ଡୋନେସିଆରେ ୧୧ ବର୍ଷର ଜଣେ ଏଭଳି ବାଳକ ଥିବା ଜଣାପଡ଼ିଛି।

Share