ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
ପୋଲିସ କହିବା ଅନୁଯାୟୀ, ମଝୋଲା ଥାନା ଅନ୍ତର୍ଗତ କୁନ୍ଦନପୁରର ପଓ୍ବନ ଠାକୁର (୩୦) ୬ ବର୍ଷ ତଳେ ସମ୍ଭଲ ଅଞ୍ଚଳର ଆଞ୍ଚଲଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ବର୍ଷର ଝିଅ ରହିଛି। ୨ ବର୍ଷ ପୂର୍ବରୁ ଆଞ୍ଚଲଙ୍କର ପଓ୍ବନଙ୍କ ପୁତୁରା ଅଙ୍କିତଙ୍କ ସହ ଅବୈଧ ସମ୍ପର୍କ ହୋଇଥିଲା। ପଓ୍ବନ ଏହା ଜାଣି ବିରୋଧ କରିବାରୁ ଆଞ୍ଚଲ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ସେ ବାପଘରେ ଭଉଣୀ ଶିଖା, ତାଙ୍କ ପୁରୁଷ ବନ୍ଧୁ ଅଜୟ ଦିଓ୍ବାକର ଏବଂ ଅଙ୍କିତଙ୍କ ସହ ମିଶି ପଓ୍ବନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଆଞ୍ଚଲ ଫୋନ୍ ଯୋଗେ ପଓ୍ବନଙ୍କୁ ଡାକିଥିଲେ। ସେ ପହଞ୍ଚତ୍ବା ପରେ ୪ ଜଣ ମିଶି ତାଙ୍କୁ ମାଡ଼ିବସି ବିଦ୍ୟୁତ୍ ଶକ୍ ଦେବା ପରେ ଜବରଦସ୍ତ ବିଷ ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପଓ୍ବନଙ୍କ ଶରୀରରେ ୯ଟି କ୍ଷତଚିହ୍ନ ଓ ବିଷ ଥିବାରୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।