ପାପଡାହାଣ୍ଡି,୨୯।୧୧(ସ୍ବପ୍ନଜିତ ପଟ୍ଟନାୟକ) : ନିଜ ଜୀବନକୁ ବାଜି ଲଗାଇ ଚାରି ଜଣ କୁନି କୁନି ଶିଶୁଙ୍କ ଜୀବନ ବଞ୍ଚାଇଲେ ମହିଳା । ହେଲେ ଶେଷରେ ନିଜ ଜୀବନ ଚାଲିଗଲା। ଏଭଳି ଏକ ହୃଦୟବିଦାରକ ଘଟଣା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଜାମାଟୁ ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ୧୧ଟା ସମୟରେ ଗ୍ରାମର ଚାରି ଜଣ କୁନି ଝିଅ ଗେଲୁମଣି ଯାନୀ (୧୦),ଜ୍ୟୋତି ଯାନୀ (୧୦),
ସୋନାଲି ଯାନୀ (୧୦),ଗୁଡ଼ୁ ଯାନୀ (୦୭) ଗାଁ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍ ଚାରି ଜଣ ଶିଶୁ ପାଣିରେ ବୁଡ଼ିବାକୁ ଲାଗିଥିଲେ। ଏହା ଦେଖି ଆସମତି ଜାନି ନାମକ ଜଣେ ମହିଳା ନିଜ ଜୀବନକୁ ଖାତିର ନକରି ପୋଖରୀକୁ ଡେଇଁ ପଡ଼ିଥିଲେ। ଅକ୍ଳାନ୍ତ ଚେଷ୍ଟା କରି ଚାରି ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଥିଲେ । ତେବେ ଶିଶୁମାନଙ୍କୁ ବଞ୍ଚାଇବା ପରେ ନିଜେ ପାଣିରେ ବୁଡ଼ି ଯାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ତୁରନ୍ତ ପୋଖରୀରୁ ହସ୍ମୋତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।
ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।
ଚାରି ଜଣ ନିରୀହ ଶିଶୁଙ୍କ ଜୀବନ ବଞ୍ଚାଇ ନିଜ ଜୀବନ ଉତ୍ସର୍ଗ କରିଥିବା ହସ୍ମୋତି ଜାନିଙ୍କ ଏହି ସାହସିକତା ଓ ମହାନ ତ୍ୟାଗ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Dharitri – Odisha’s No.1 Odia Daily