ଅମରପାଲି,୨୬ା୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ଗ୍ରାମର ମହିଳାମାନେ ଗୁରୁବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ତେଲିପାଲି ଗ୍ରାମରେ ଦୀର୍ଘ ଦିନ ହେଲା ବିଭିନ୍ନ ସ୍ଥାନରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଫଳରେ ମଦ୍ୟପମାନେ ଅନେକ ସମୟରେ ଗଣ୍ଡଗୋଳ କରିବା ସହ ଗାଳିଗୁଲଜ କରୁଛନ୍ତି। ସେମାନଙ୍କ ଦୈରାତ୍ମ୍ୟ ଯୋଗୁ ଛାତ୍ରୀ,ଯୁବତୀ ଓ ମହିଳାମାନେ ଏକୁଟିଆ ଯିବା ଆସିବା କରିବାକୁ ନିରାପଦ ମନେ କରୁନାହାନ୍ତି ା ଏପରି କି ମଦ ପିଇ ଅସମୟରେ ମଦ୍ୟପଙ୍କ ମୃତ୍ୟୁ ଘଟିବା ଦେଖିବାକୁ ମିଳୁଛି ା ଘରେ ଘରେ ଅଶାନ୍ତି ଲାଗି ରହିଛି। ଏଣୁ ଗ୍ରାମର ମହିଳାମାନେ ଗ୍ରାମରେ ମଦ ବିକ୍ରି ବନ୍ଦ କରିବା ପାଇଁ ସଂକଳ୍ପ ନେଇଛନ୍ତି। କିଛି ଦିନ ପୂର୍ବରୁ ଗ୍ରାମର ମହିଳାମାନେ ଏକ ସଭା କରିଥିଲେ। ଉକ୍ତ ସଭାରେ ସର୍ବସମ୍ମତିକ୍ରମେ ଗ୍ରାମରେ ମଦ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଏକ ନିଶା ନିବାରଣ କମିଟି ମଧ୍ୟ ଗଠନ କରାଯାଇଥିଲା। ଉକ୍ତ କମିଟିର ସଦସ୍ୟଙ୍କ ସମେତ ଗ୍ରାମର ମହିଳାମାନେ ଏନେଇ ସୁବର୍ଣ୍ଣପୁର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳ ନୃପରାଜ ସାହୁଙ୍କୁ ଭେଟି ଗ୍ରାମରେ ମଦ ବନ୍ଦ ପାଇଁ ଦାବିପତ୍ର ଦେଇଛନ୍ତି। ନିଶା ନିବାରଣ କମିଟିର ସଭନେତ୍ରୀ ସାରଳା ପାଣିଗ୍ରାହୀ ,ଏମବିକେ ଗୀତାଞ୍ଜଳି ଜେନା, ପୂର୍ବତନ ଜିଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀଙ୍କ ସମେତ ଗ୍ରାମର ମହିଳାମାନେ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି।


