ଅମରପାଲି,୧୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମଠାରୁ ହାତିଲିମୁଣ୍ଡା ଯାଇଥିବା ରାସ୍ତାର ଉଭୟ ପାଶର୍ବରେ ଓ ସଂରକ୍ଷିତ ଜଙ୍ଗଲରେ କିଛି ବର୍ଷ ଆଗରୁ ଜଙ୍ଗଲ ବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା। ବୃକ୍ଷଗୁଡ଼ିକ ବଡ ହେବାପରେ ଏବେ ଏହା ଉପରେ କାଠ ମାଫିଆ ଓ ଅସାଧୁ ଲୋକଙ୍କ ନଜର ପଡ଼ିଥିବା ଅଭିଯୋଗ ହୋଇଛି। ବୀରମହାରାଜପୁର ତହସିଲ ଅନ୍ତର୍ଗତ ହାତିଲିମୁଣ୍ଡା ଗ୍ରାମରୁ ଶତାଧିକ ସଂଖ୍ୟାରେ ମହିଳା ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଆସି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମତେ ଅସାଧୁ ଓ ମାଫିଆମାନେ ଶାଳ, ପିଆଶାଳ, ଶିଶୁ, ସାବୁନ, ଲିମ୍ବ ଓ ବାଉଁଶ ଆଦି ମୂଲ୍ୟବାନ ଗଛଗୁଡ଼ିକ କାଟି ନେଉଛନ୍ତି । ଏଣୁ ଏହାର ବିହିତ ତଦନ୍ତ ପୂର୍ବକ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଜେମାଦେଇ ଛତ୍ରିଆ, କର୍ପୁର ପଧାନ, କମଳା ଭୋଇଙ୍କ ସମେତ ଗ୍ରାମର ଶତାଧିକ ମହିଳାମାନେ ନିବେଦନ କରିଛନ୍ତି। ମହିଳାମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ସୁବର୍ଣ୍ଣପୁର ଜିଲାପାଳ ଓ ଡିଏଫଓଙ୍କୁ ମଧ୍ୟ ପତ୍ର ପ୍ରେରଣ କରିଥିବା ଜଣାଯାଇଛି । ତେବେ ପ୍ରଶାସନ ତୁରନ୍ତ ଏହି ଘଟଣା କୁ ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।


