ସହର ରାସ୍ତାରେ ନର୍ଦ୍ଦମା ପାଣି

ବ୍ରହ୍ମପୁର,୮ା୭ (ସ୍ମୃତି ରଞ୍ଜନ ମହାଲିକ): ପ୍ରାୟ ୩ ଘଣ୍ଟାର ବର୍ଷା ପରେ ବ୍ରହ୍ମପୁର ସହରବାସୀ ଗରମ ଓ ଗୁଳୁଗୁଳିରୁ କେତେକାଂଶରେ ଆଶ୍ୱସ୍ତି ଲାଭ କରିଛନ୍ତି। ଅନ୍ୟପଟେ ଏହି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଡ୍ରେନ ପାଣି ସହ ମିଶି ରାସ୍ତାରେ ଜମିଛି। ଏପରିକି ଏହି ଆବର୍ଜନା ପାଇଁ କେତେକ ଘରେ ମଧ୍ୟ ପଶିଥିବା ଦେଖାଯାଇଛି।
ଶ୍ରାବଣରେ ଲଗାଣ ବର୍ଷା ପରିବର୍ତ୍ତେ ଅସହ୍ୟ ଖରା ଓ ଗୁଳୁଗୁଳି ଲାଗି ରହିଥିଲା। ଶୁକ୍ରବାର ପୂର୍ବାହ୍ନରେ ମଧ୍ୟ ଟାଣ ଖରା ହୋଇଥିଲା। ମଧ୍ୟାହ୍ନରେ ପାଗରେ ପରିବର୍ତ୍ତନ ହୋଇଥିଲା। ଅପରାହ୍ନ ୧ଟା ବେଳକୁ ଆକାଶ ମେଘାଛନ୍ନ ହୋଇ ଝିପଝିପ ବର୍ଷା ଆରମ୍ଭ ହୋଇଥିଲା। ପ୍ରାୟ ସାଢେ ୧ଟା ବେଳକୁ ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ପ୍ରାୟ ୩ ଘଣ୍ଟାଧରି ବର୍ଷା ଛେଚିଥିଲା। ଫଳରେ ଦିନର ତାପମାତ୍ରା ସାଙ୍ଗକୁ ରାତ୍ରିର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଘଟିଛି। ବର୍ଷା ଯୋଗୁ ଚାଷୀକୂଳରେ ଖୁସିର ଲହରି ଖେଳିଯାଇଛି। କାରଣ ପୂର୍ବରୁ ହେଉଥିବା ଖରାରେ ଜିଲାର ବିଭିନ୍ନ ଅଞ୍ଚଳର ଚାଷ ଜମିରେ ଗଜା ମରୁଡି ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ତଳି ପକା ପାଇଁ ପ୍ରସ୍ତୁତି ସରିଥିବା ବେଳେ ବର୍ଷା ଅଭାବରୁ ତଳି ପଡିପାରୁ ନ ଥିଲା। ଶୁକ୍ରବାରର ବର୍ଷା ତଳି ପକାଇବା ଲାଗି ସହାୟକ ହେବା ସହ ଗଜାମରୁଡି ଆଶଙ୍କା ଦୂର ହେବ ବୋଲି ଚାଷୀ କହିଛନ୍ତି। ସେପଟେ ଦୀର୍ଘ ସମୟ ବର୍ଷା ଫଳରେ ସାହିଗୁଡିକରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ନ ଥିବା ଦେଖାଯାଇଥିଲା। ନର୍ଦ୍ଦମା ପାଣି ରାସ୍ତା ଉପରେ ଜମି ରହିଥିଲା। ବିଶେଷକରି ସହରର ବିଜିପୁର, ନେହେରୁ ନଗର, ନୂଆ ବସଷ୍ଟାଣ୍ଡ, ଅଶୋକ ନଗର, କମାପଲୀ ପୋଖରୀ ପାର୍ଶ୍ୱ, ୨ ନଂ ୱାର୍ଡ, ଆସ୍କା ରୋଡ ଓ ସହରତଳି ଅଞ୍ଚଳ ଗୁଡିକରେ ନର୍ଦ୍ଦମା ପାଣି ମୁଖ୍ୟ ରାସ୍ତା ଉପରେ ଜମି ରହି ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଧରି ମୁଖ୍ୟ ରାସ୍ତା ଉପରେ ପାଣି ଜମି ରହିବା କାରଣରୁ ସାଧାରଣ ଜନତା କାୈଣସି ଜରୁରୀକାଳୀନ ଯିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିଲା। ଏପରିକି ପ୍ରେମ ନଗର ଓ ଧର୍ମ ନଗର ଅଂଚଳରେ ବର୍ଷା ପାଣି ଘରେ ପଶୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ବର୍ଷା ଦିନେ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସାହିରେ ଡ୍ରେନେଜ କାର୍ଯ୍ୟ ଜାରି ରହିବା କାରଣରୁ ବର୍ଷା ଜଳ ନିଷ୍କାସନ ନ ହେବା ଆଉ ଏକ ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି। ବର୍ଷା ପୂର୍ବରୁ ନିଗମ ପକ୍ଷରୁ ସମୂହ ସଫେଇ ଅଭିଯାନ କରାଯାଉଛି। କିନ୍ତୁ ସାମାନ୍ୟ ବର୍ଷାରେ ସାରା ସହର ନର୍ଦ୍ଦମା ପାଣିରେ ଉବଟୁବୁ ହେଉଛି। ଏଣୁ ଅଧପନ୍ତରିଆ ଡ୍ରେନ୍‌ କାର୍ଯ୍ୟ ଶୀଘ୍ର ସାରିବା ଓ ପୋତି ହୋଇଥିବା ନର୍ଦ୍ଦମା ସଫେଇ ପାଇଁ ଦାବି ହୋଇଛି।