ପୌର ନିର୍ବାଚନ ପୂର୍ବରୁ ବିକିବାକୁ ରଖିଥିଲେ ମଦ, ବାନ୍ଧିଲା ପୋଲିସ

ଗଞ୍ଜାମ,୨୩ା୩(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ପିଏଚ୍‌ଡି ଅଫିସ ନିକଟସ୍ଥ ଗୋପାଳଜି ମଠରେ ବେଆଇନ ମଦ ବିକ୍ରି ହେଉଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ବୁଧବାର ଅଚାନକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେଠାର ୩୦ ଲିଟରରୁ ଊର୍ଦ୍ଧ୍ୱ ବିଦେଶୀ ମଦ ଜବତ କରାଯିବା ସହ ଗିରିଜା ଶଙ୍କର ମହାପାତ୍ର ଓରଫ ହାଡ଼ିଆଙ୍କୁ ପୋଲିସ ଗିରଫ କରିଛି l

ସୂଚନାଯୋଗ୍ୟ, ଗୁରୁବାର ପୌର ନିର୍ବାଚନ ଥିବା ହେତୁ ଜିଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଗଞ୍ଜାମ ବଡ଼ ବଜାର ବିଦେଶୀ ମଦ ଦୋକାନ ସିଲ୍‌ କରାଯାଇଛି l ଏହାର ଫାଇଦା ନେବାକୁ ଗିରଫ ଅଭିଯୁକ୍ତ ହାଡ଼ିଆ ଆଗୁଆ ମଦ କିଣି ଚଢ଼ା ଦରରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିଲେ। ପୋଲିସ କେସ୍‌ ନଂ ୪୧/୨୨ ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି। ଚଢ଼ାଉ ବେଳେ ଥାନା ସେକେଣ୍ଡ ଅଫିସର ଅଜିତ କୁମାର ପରିଡ଼ା, ମହିଳା ଏସ୍‌ଆଇ ସୁପ୍ରଭା ସାହୁ, ଏସ୍‌ଆଇ ନାରାୟଣ କାହର ପ୍ରମୁଖ ଉପସ୍ଥିତ ଥିଲେ।