ଓ୍ବାଶିଂଟନ୍,୧୦।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ଆମେରିକା ଏହି ସଂଘର୍ଷକୁ ଶେଷ କରିବାକୁ ନିରନ୍ତର ଚେଷ୍ଟା କରୁଛି। ଏହି ସମୟରେ ଜଣେ ଆମେରିକାର ବରିଷ୍ଠ ହ୍ବାଇଟ ହାଉସ ସମ୍ବାଦଦାତା ପିଟର ଡୁସି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଅଜବ ପ୍ରଶ୍ନ ପଚାରିଛନ୍ତି। ପୂର୍ବତନ ଭେନେଜୁଏଲାର ନେତା ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପାଇଁ କରାଯାଇଥିବା ଡେଲ୍ଟା ଫୋର୍ସ ମିଶନ ପରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଧରିବା ପାଇଁ ଏକ ମିଶନର ନିର୍ଦ୍ଦେଶ ଦେବେ କି ବୋଲି ଡୁସି ଟ୍ରମ୍ପଙ୍କୁ ପ୍ରଶ୍ନ କରିଥିଲେ।
ଟ୍ରମ୍ପ ଉତ୍ତର ଦେଇଥିଲେ, ମୁଁ ଭାବୁନାହିଁ ଯେ ଏପରି କରିବାର ଆବଶ୍ୟକତା ପଡ଼ିବ। ପୁଟିନ ଏବଂ ମୋର ସବୁବେଳେ ଭଲ ସମ୍ପର୍କ ରହିଛି। ମୁଁ ବହୁତ ନିରାଶ। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ଶାନ୍ତି ଚୁକ୍ତି କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହା ସହଜ ହୋଇନାହିଁ। ଟ୍ରମ୍ପ କହିଛନ୍ତି,ସେ ୮ଟି ଯୁଦ୍ଧ ଶେଷ କରିଛନ୍ତି ଏବଂ ଆଶା କରିଛନ୍ତି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧ ସମାନ ଉପାୟରେ ସମାଧାନ ହେବ। ଗତ ମାସରେ ୩୧,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ଅନେକ ରୁଷିଆ ସୈନିକ ଥିଲେ ଏବଂ ରୁଷିଆର ଅର୍ଥନୀତି ଦୁର୍ବଳ ହେଉଛି। ସେ ଏହାର ଶୀଘ୍ର ସମାଧାନ ଚାହାଁନ୍ତି।
ଏକ ପୁରୁଣା, ଖାଲି ତେଲ ଟ୍ୟାଙ୍କରକୁ ନେଇ ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଟ୍ୟାଙ୍କରକୁ ସୁରକ୍ଷା ଦେବା ପାଇଁ ରୁଷିଆ ଏହାର ବୁଡ଼ାଜାହାଜ ଏବଂ ନୌସେନା ନିୟୋଜିତ କରିଥିଲା। ତଥାପି ବୁଧବାର ଆମେରିକା ଆଇସଲ୍ୟାଣ୍ଡ ନିକଟ ଆଟଲାଣ୍ଟିକ ମହାସାଗରରେ ଜାହାଜକୁ ଜବତ କରିଥିଲା। ରୁଷିଆ ଏହାକୁ ଦୃଢ଼ ନିନ୍ଦା କରିଥିଲା ଏବଂ ଏହାର କ୍ରୁ ସଦସ୍ୟମାନଙ୍କୁ ଫେରାଇବାକୁ ଦାବି କରିଥିଲା। ରୁଷିଆର ଏହି ମତ ପରେ, ଆମେରିକା ଶୀଘ୍ର ଦୁଇ ଜଣ କ୍ରୁ ସଦସ୍ୟଙ୍କୁ ମୁକ୍ତ କରିଥିଲା।
Dharitri – Odisha’s No.1 Odia Daily


