ଭବାନୀପାଟଣା,୧୧ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ଅମଲା ଭବନରେ ଶନିବାର ଇଂଜିନିୟରିଂ ୱାର୍କଚାର୍ଜଡ଼, ନିୟମିତ ଏବଂ ସେବାନିବୃତ୍ତ କର୍ମଚାରୀ ଫୋରମ ମହାମଣ୍ଡଳ କର୍ମକର୍ତ୍ତା ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ନେତୃବର୍ଗ ମଧ୍ୟରେ ସଂଯୋଜକ କୃଷ୍ଣ ଚନ୍ଦ୍ର ନାୟକ, ପ୍ରସନ୍ନ କୁମାର ପ୍ରଧାନ, କଲ୍ୟାଣ ମହାରଣା, ଚିତ୍ତରଞ୍ଜନ ମହାରଣା, କପିଳ କୁମାର ବାରିକ, ନୃସିଂହ କୁମାର ସିଲ ପ୍ରମୁଖ ମଞ୍ଚାସୀନ ଥିଲେ।
ବଲାଙ୍ଗୀର ଓ କଳାହାଣ୍ଡିର ୪ଟି ବିଭାଗ ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ପୂର୍ତ୍ତ ବିଭାଗ ଓ ଜନସ୍ବାସ୍ଥ୍ୟ ବିଭାଗର ଶତାଧିକ କର୍ମଚାରୀ ଅଂଶଗ୍ରହଣ କରି ମତ ରଖିଥିଲେ। ଏଥି ପୂର୍ବରୁ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଫୋରମରେ ମତ ପ୍ରକାଶ ପାଇଥିଲା।
ଏମାନଙ୍କ ମଧ୍ୟରେ ସ୍ଥାନୀୟ ନେତୃମଣ୍ଡଳୀ ବିଜୟ କୁମାର ପାଲ, ଏଚ.କେ. ପଟେଲ, ସୁବ୍ରତ କୁମାର ଆଚାରି, ସନ୍ତୋଷ କୁମାର ବେହେରା, ମଙ୍ଗଳ ପଣ୍ଡିତ, ନୁଆକର ସେଠ, କ୍ଷୀତିଶ କୁମାର ସାହୁ ପ୍ରମୁଖ ରାଜ୍ୟ ଇଂଜିନିୟରିଂ ୱାର୍କ ଚାର୍ଜଡ, ନିୟମିତ ସେବା ନିବୃତ୍ତ କର୍ମଚାରୀଙ୍କ ପୁରୁଣା ପେନ୍ସନ, ଗ୍ରାଚ୍ୟୁଇଟି ଦାବି ଉପରେ ଆଲୋଚନା କରିଥିଲେ। ଏଥିରେ ଶୀଘ୍ର ସରକାର ନୀତିଗତ ନିଷ୍ପତ୍ତି ନେବାପାଇଁ ସଂଗ୍ରାମୀ ସାଥୀ ସଂଯୋଜକ ବୃନ୍ଦଙ୍କ ତରଫରୁ ନିବେଦନ କରାଯାଇଥିଲା। ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ ପାଇଁ ଲଢେଇ ଜାରୀ ରଖିବୁ ବୋଲି ଫୋରମ ପକ୍ଷରୁ ଚେତାବନୀ ଦିଆଯାଇଛି।

