ଓ୍ବାଶିଂଟନ/ବେଜିଂ,୨୦।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର (୧୯ ଅକ୍ଟୋବର, ୨୦୨୫) ସୂଚିତ କରିଛନ୍ତି ଯେ ଯଦି ଚାଇନା ଆମେରିକାର ସପକ୍ଷରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରେ ତେବେ ତାଙ୍କ ପ୍ରଶାସନ ଏହାର ଶୁଳ୍କ ନୀତିର ପୁନର୍ବିଚାର କରିପାରେ। ଟ୍ରମ୍ପ ପ୍ରଶାସନ ନଭେମ୍ବର ୧ ତାରିଖରୁ ଚାଇନା ସାମଗ୍ରୀ ଉପରେ ୧୦୦ ପ୍ରତିଶତ ଶୁଳ୍କ ବୃଦ୍ଧି ଏବଂ ସଫ୍ଟୱେର୍ ରପ୍ତାନି ନିୟନ୍ତ୍ରଣ ଲାଗୁ କରିବା ଘୋଷଣା କରିବାର କିଛି ଦିନ ପରେ ଏହି ବିବୃତ୍ତି ଆସିଛି।
ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ ଯେ ସେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସମ୍ପର୍କ ସ୍ବାଭାବିକ ଅପେକ୍ଷା ଭଲ। ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ମତଭେଦ ରହିଛି, କିନ୍ତୁ ଯଦି ବେଜିଂ ଆମେରିକା ପାଇଁ କିଛି ଭଲ କରେ, ତେବେ ଶୁଳ୍କ ହ୍ରାସ ସମ୍ଭବ। ଟ୍ରମ୍ପଙ୍କ ଅନୁଯାୟୀ, ଏହା ଆଉ ଏକପାଖିଆ ରାସ୍ତା ନୁହେଁ। ‘ଆମେ ଆମର ସ୍ବାର୍ଥକୁ ସୁରକ୍ଷା ଦେବୁ, କିନ୍ତୁ ଯଦି ାଇନା ସହଯୋଗ କରେ, ତେବେ ଆପୋଷ ପାଇଁ ସ୍ଥାନ ଅଛି।’
ଗତ କିଛି ମାସ ମଧ୍ୟରେ ଶାନ୍ତ ରହିବା ପରେ, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ପୁଣି ବଢ଼ିବା ପରି ମନେ ହେଉଛି। ୱାଶିଂଟନ ସମ୍ପ୍ରତି ପ୍ରଯୁକ୍ତିବିଦ୍ୟା ଉତ୍ପାଦ ଉପରେ ରପ୍ତାନି ନିୟନ୍ତ୍ରଣକୁ କଡ଼ାକଡ଼ି କରିଛି ଏବଂ ଆମେରିକା ବନ୍ଦରଗୁଡ଼ିକରେ ଚାଇନା ଜାହାଜ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି। ଜବାବରେ, ଚାଇନା ବିରଳ ପୃଥିବୀ ଖଣିଜ ପଦାର୍ଥ ଏବଂ ଅନ୍ୟାନ୍ୟ ରଣନୈତିକ ସାମଗ୍ରୀର ରପ୍ତାନି ଉପରେ କଡ଼ାକଡ଼ି ନିୟମ ଲାଗୁ କରିଛି।
ଆମେରିକାର ଅର୍ଥ ସଚିବ ସ୍କଟ ବେସାଣ୍ଟ ନିଶ୍ଚିତ କରିଛନ୍ତି ଯେ ଉଭୟ ଦେଶର ପ୍ରତିନିଧିମାନେ ଏହି ସପ୍ତାହରେ ମାଲେସିଆରେ ନୂତନ ବାଣିଜ୍ୟ ଆଲୋଚନା କରିବେ। ଟ୍ରମ୍ପଙ୍କ ସାମ୍ପ୍ରତିକ ବକ୍ତବ୍ୟ ଏବଂ ସି ଜିନପିଙ୍ଗଙ୍କ ସହ ବାତିଲ ହୋଇଥିବା ବୈଠକ ପରେ ସମ୍ପର୍କକୁ ସୁଧାରିବା ପାଇଁ ଏହି ବୈଠକକୁ ଏକ ପ୍ରୟାସ ଭାବରେ ଦେଖାଯାଉଛି। ବେଜିଂ ମଧ୍ୟ ସୂଚିତ କରିଛି ଯେ ଏହା ଶୁଳ୍କ ବିବାଦ ମଧ୍ୟରେ ଏକ ନୂତନ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ।
Dharitri – Odisha’s No.1 Odia Daily


