ଭଞ୍ଜନଗର,୧।୧୦(ବାବୁଲା ପ୍ରଧାନ)- ଦୁର୍ଗାପୂଜା ପାଇଁ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉତ୍ସବମୁଖର ହୋଇପଡ଼ିଛି। ଏହି ସମୟରେ ବନ୍ୟପ୍ରାଣୀ ଶିକାରଠାରୁ ଆରମ୍ଭ କରି ଜୁଆ ଖେଳ ଭଞ୍ଜନଗର ଅଞ୍ଚଳରେ ବୃଦ୍ଧି ପାଉଛି। ଏଥିସହ ଚୋରି ମଧ୍ୟ ବଢୁଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର ତାରସିଂ, ଗାଲେରୀ ଏବଂ ମୁଜାଗଡ ରେଞ୍ଜ ସମେତ ଅନ୍ୟ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାର ବଢ଼ିଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ପରିବେଶବିତ୍ ମାନେ ଚିନ୍ତାପ୍ରକଟ କରିଛନ୍ତି। ଅନ୍ୟପଟେ ବନ ବିଭାଗ ପକ୍ଷରୁ ମଧ୍ୟ ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ଉକ୍ତ ରେଞ୍ଜ ଗୁଡ଼ିକରେ କର୍ମଚାରୀମାନଙ୍କୁ ପାଳି କରି ଜଙ୍ଗଲ ଜଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଗନ୍ନାଥ ପ୍ରସାଦ ରେଞ୍ଜରେ ମଧ୍ୟ ଶିକାର ବଢୁଛି।
ତେଣୁ ଗୋଟିଏ ଟିମ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜଙ୍ଗଲରେ ଘୁରି ବୁଲୁଛନ୍ତି। ଆଉ ଗୋଟିଏ ଟିମ ରାତି ୧୦ ଟାରୁ ସକାଳ ପର୍ଯ୍ୟନ୍ତ ଜଗୁଛନ୍ତି। ଏହି ସମୟରେ କର୍ମଚାରୀ ମାନେ ବିଶେଷ କରି ହୁକିଂ ଯାଞ୍ଚ କରୁଛନ୍ତି। ହୁକିଂ ଦ୍ବାରା ଅନେକ ବନ୍ୟପ୍ରାଣୀଙ୍କ ଜୀବନ ଯାଉଥିବା ଯୋଗୁ ଯାଞ୍ଚ କଡାକଡି କରାଯାଇଛି। ବନ ବିଭାଗ ଏବଂ ଟାଟା ପାୱାର କର୍ମଚାରୀ ମିଳିତ ଭାବେ ଯାଞ୍ଚ କରିବା ପାଇଁ ସମନୟ ବୈଠକରେ ନିଷ୍ପତ୍ତି ହେଉଛି। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଟାଟା ପାୱାର ଉକ୍ତ ନିଷ୍ପତ୍ତିକୁ ସଠିକ ଭାବେ ପାଳନ କରୁ ନ ଥିବା ଆଲୋଚନା ହେଉଛି।
ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିପାରିବେ ସେଥିପାଇଁ ଘୁମୁସର ଉତ୍ତର ବନଖଣ୍ଡ ବନ୍ୟପ୍ରାଣୀ ସୁରକ୍ଷା ସମିତିର ସଭ୍ୟ ରମେଶ ପାତ୍ର ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ସହ ଆଲୋଚନା କରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଅଧିକରୁ ଅଧିକ କରିବା ପାଇଁ ନିବେଦନ କରିଛନ୍ତି।
ଅପରପକ୍ଷେ ଜୁଆ ଖେଳ ବୃଦ୍ଧି ଯୋଗୁ ଭଞ୍ଜନଗର ପୋଲିସ ବାରମ୍ବାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରୁଛି। ବିଗତ ୩ ଦିନ ମଧ୍ୟରେ ଭଞ୍ଜନଗର ପୋଲିସ ୨୪ ଜଣ ଜୁଆଡିଙ୍କୁ ଗିରଫ କରିଛି। ସେଥିମଧ୍ୟରେ ସହରର ଅନେକ ଜଣାଶୁଣା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହାପରେ ସେମାନଙ୍କୁ ଥାନାରୁ ହିଁ ଜାମିନରେ ଛଡାଯାଇଛି। ଆଗକୁ ଚଢାଉ ଆହୁରି ଜୋରଦାର କରିବା ପାଇଁ ପୋଲିସ ପ୍ରସ୍ତୁତ ହେଉଥିବା ଜଣାପଡିଛି ।


