ଟ୍ରାପ୍‌ କ୍ୟାମେରା ଲେନ୍ସରେ ବନ୍ୟଜନ୍ତୁ

କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଟଣା ଓ ଘଟଗାଁ ରେଞ୍ଜରେ ଥିବା ଅଟେଇ ଜଙ୍ଗଲ ଏବେ ପାଲଟିଛି ବନ୍ୟପ୍ରାଣୀଙ୍କ ସୁରକ୍ଷାସ୍ଥଳୀ। ଅଟେଇ ଜଙ୍ଗଲରେ ବାଘ ସହିତ ବିଭିନ୍ନ ଜୀବଜନ୍ତୁ ଥିବା ବନ ବିଭାଗ ଟ୍ରାପ କ୍ୟାମେରାରେ ରେକର୍ଡ କରିଛି। ଗଧିଆ, ଗୟଳ ଭଳି ଲୋପ ପାଇ ଯାଉଥିବା ବନ୍ୟଜନ୍ତୁ ଜଙ୍ଗଲରେ ଥିବା ଜଣା ପଡିଛି। ସେହିପରି ଭାଲୁ, ବାରହା, ହରିଣ, କୁଟୁରା, ଶିଆଳ, ବଜ୍ରକାପ୍ତା ଆଦି ଜୀବଜନ୍ତୁ ଚିହ୍ନଟ ହେଉଥିବା ଡିଏଫ୍‌ଓ ଧନରାଜ ଏଚ୍‌ ଡି ସୂଚନା ଦେଇଛନ୍ତି। ପ୍ରାୟ ୧୬ ଶହ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଟେଇ ସଂରକ୍ଷିତ ଜଙ୍ଗଲଟି ଶିମିଳିପାଳ, ହଦଗଡ଼, ସାତକୋଶିଆ, ରେବଣା ଆଦି ଅଭୟାରଣ୍ୟ ଓ ସଂରକ୍ଷିତ ଜଙ୍ଗଲ ପରିବେଷ୍ଟିତ ହୋଇ ରହିଥିବାରୁ ବନ୍ୟ ପ୍ରାଣୀମାନେ ଅବାଧରେ ଯାତାୟାତ କରିଥାନ୍ତି। ତେବେ ଅନେକ ସମୟରେ ଏହି ଜଙ୍ଗଲ ମଧ୍ୟରେ ଯାଇଥିବା ବ୍ୟସ୍ତ ବହୁଳ ଜାତୀୟ ରାଜପଥ ୨୦ ଓ ଅନ୍ୟାନ୍ୟ ରାଜପଥ ସେମାନଙ୍କ ଅବାଧ ବିଚରଣରେ ବାଧକ ସୃଷ୍ଟି କରିଥାଏ। ପ୍ରଶସ୍ତ ରାସ୍ତା ଓ ଏଥିରେ ଦ୍ରୁତଗତିରେ ଚଳ ପ୍ରଚଳ କରୁଥିବା ଲୁହାପଥର ବୋଝେଇ ଟ୍ରକ୍‌, ବସ୍‌ ଆଦି ସେମାନଙ୍କ ପାଇଁ ଅନେକ ସମୟରେ ସମସ୍ୟା ସୃଷ୍ଟି କରିଥାନ୍ତି। ଅନେକ ସମୟ ରେ ଦୁର୍ଘଟଣାରେ ମୃତାହତ ହୋଇଥାନ୍ତି।

ସେହିପରି ଅନେକ ସମୟରେ ଶିକାରୀମାନଙ୍କ କବଳରେ ପଡନ୍ତି ବୋଲି ମତ ପ୍ରକାଶ ପାଇଛି। ଏତେ ବଡ଼ ଅଞ୍ଚଳରେ ନିରୀକ୍ଷଣ କରିବା ସୁବିଧା ଜନକ ନୁହେଁ। ଏଣୁ ସଚେତନତା ସୃଷ୍ଟି କରିବା ସହ ଶିକାରୀମାନଙ୍କୁ ଧରିବା ପାଇଁ ଜଙ୍ଗଲ ଆଖପାଖ ଅଞ୍ଚଳରେ ଥିବା ଗ୍ରାମ ଲୋକଙ୍କ ସହାୟତାରେ ଧରପଗଡ କରାଗଲେ ସେମାନଙ୍କ ସୁରକ୍ଷା ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି। ସେହିପରି ଖରାଦିନରେ ଜଙ୍ଗଲରେ ନିଆଁ ଏହି ପଶୁ ମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଜଙ୍ଗଲରେ ଖାଦ୍ୟାଭାବ, ଜଳ ସମସ୍ୟା ଯୋଗୁ ଅନେକ ସମୟରେ ଗାଁମୁହାଁ ହୋଇ ବିପଦରେ ପଡ଼ନ୍ତି। ଇଣ୍ଡିଆନ ସିଭେଟ, କମନ ପାଲମ ସିଭେଟ, ରୁଡ଼ି ମଙ୍ଗୁଜ, ଗ୍ରେ ମଙ୍ଗୁଜ, କୋକି ଶିଆଳି, ବିଲୁଆ, ଚିତଲ, ବାର୍କିଂ ଡିଆର, ପର୍କୁପାଇନ, ଠେକୁଆ, ବାର୍‌ହା, ରିଶସ ମକକ୍ୱିଇ ଇଣ୍ଡିଆନ ଗୌର, ଇଣ୍ଡିଆନ ଗ୍ରେ ଓଲ୍‌୍‌ଫ, ଚଉଶିଙ୍ଗା ଆଦି ବନ୍ୟଜନ୍ତୁ କ୍ୟାମେରାରେ କଏଦ ହୋଇଛନ୍ତି।