ଜୁ’ରେ ମିଳିବ ଜଙ୍ଗଲୀ ମହୁ

ଢେଙ୍କାନାଳ ଅଫିସ, ୮।୫: ଢେଙ୍କାନାଳ ଜିଲାର ପ୍ରସିଦ୍ଧ କପିଳାସ ପ୍ରାଣୀ ଉଦ୍ୟାନରେ ମିଳିବ ଜଙ୍ଗଲୀ ବାଘୁଆ ମହୁ। ଗ୍ରାହକମାନେ ଗୁଣାତ୍ମକମାନର ଏହି ଜଙ୍ଗଲଜାତ ଦ୍ରବ୍ୟ ସୁବିଧାରେ ଏଠାରୁ କିଣିପାରିବେ। ମହୁ ସଂଗ୍ରହ କରୁଥିବା ମହ୍ଲାର ସମ୍ପ୍ରଦାୟର ଜୀବନଜୀବିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବନ ବିଭାଗ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ହାତକୁ ନିଆଯାଇଛି। କପିଳାସ ଏବଂ ଷଡ଼ଙ୍ଗୀ ରେଞ୍ଜ୍‌କୁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟ ରେଞ୍ଜ୍‌କୁ ସମ୍ପ୍ରସାରଣ କରାଯିବ ବୋଲି ଯୋଜନା ରହିଛି।


ଗୁଣାତ୍ମକମାନର ବାଘୁଆ ମହୁ ପାଇଁ ପ୍ରସିଦ୍ଧି ଅର୍ଜନ କରିଛି କପିଳାସ ଏବଂ ଷଡ଼ଙ୍ଗୀ ରେଞ୍ଜ୍‌। ପାହାଡ଼ ଖୋଲ ଏବଂ ବଡ଼ବଡ଼ ଗଛରେ ଏହି ପ୍ରଜାତିର ମହୁମାଛି ବସା ବାନ୍ଧିଥାଆନ୍ତି। ମହ୍ଲାର ସମ୍ପ୍ରଦାୟର ଆଦିବାସୀମାନେ ଉକ୍ତ ଫେଣାରୁ ମହୁ ସଂଗ୍ରହ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ତେବେ ବଜାର ସୁବିଧା ନ ଥିବାରୁ ସେମାନଙ୍କ ଉଚିତ ଦାମ୍‌ ମିଳୁନାହିଁ। ସରଳତାର ସୁଯୋଗ ନେଇ ସ୍ଥାନୀୟ ବ୍ୟବସାୟୀମାନେ ସେମାନଙ୍କଠାରୁ ଶାଗମାଛ ଦରରେ ମହୁ କିଣି ନେଇ ବାହାରକୁ ପଠାଇବା ସହ ସ୍ଥାନୀୟ ଅଞ୍ଚଳରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଔଷଧୀୟ ଗୁଣଯୁକ୍ତ ଏହି ଜଙ୍ଗଲୀ ମହୁକୁ ମହ୍ଲାରମାନେ କେଜି ପିଛା ୨୦୦ ଟଙ୍କାରେ ବିକ୍ରି କରୁଥିବାବେଳେ ବନ ବିଭାଗ ୪୦୦ ଟଙ୍କାରେ କିଣିବାକୁ ନିଷ୍ପତ୍ତି ନେଇଛି। ବର୍ଷତମାମ କପିଳାସ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକ ଆସୁଥିବାବେଳେ ମହୁ ବିକ୍ରିବଟାରେ ସୁବିଧା ହେବ। ଏଥିସହ ମହ୍ଲାର ଆଦିବାସୀମାନେ ଆର୍ଥତ୍କ ସ୍ବାବଲମ୍ବୀ ହୋଇପାରିବେ।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ମହୁ ଗୁଣବତ୍ତାରେ କୌଣସି ସାଲିସ୍‌ କରାଯିବ ନାହିଁ। କେବଳ ବାଘୁଆ ମହୁ ହିଁ ବିକ୍ରି କରାଯିବ। ଏଥିଲାଗି ସମ୍ପୂର୍ଣ୍ଣ ମହୁଫେଣା କିଣାଯିବ। ସୋରିଷିଆପଦା ଅଞ୍ଚଳରୁ ମହୁଫେଣାଯୁକ୍ତ ମହୁ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମହୁଫେଣା ଲାଗି ନ ଥିଲେ ତାହାକୁ ଗ୍ରହଣ କରାଯିବ ନାହିଁ। ଏଥିଲାଗି ମହ୍ଲାରଙ୍କୁ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଉଛି। ଏହାକୁ ୱାଇଲ୍ଡ ହନି ବା ଜଙ୍ଗଲ ମହୁ ବୋଲି ଆମେ କହୁଛୁ। କପିଳାସ ପ୍ରାଣୀ ଉଦ୍ୟାନରେ ମହୁ ବିକ୍ରି ବ୍ୟବସ୍ଥା କରାଯାଇଛି।