Categories: ଅପରାଧ

ଯକ୍ଷ୍ମା ବୋଲି ଘରେ ପୁରାଇଲେନି ସ୍ତ୍ରୀ; ଦେହରେ ନିଆଁ ଲଗାଇଦେଲେ ସ୍ବାମୀ

ଲୁଧିଆନା, ୪।୮: ଯକ୍ଷ୍ମା ହୋଇଥିବାରୁ ସ୍ତ୍ରୀ ଘରେ ପୁରାଉ ନ ଥିଲେ। ଏଥିରେ ଭାଙ୍ଗିପଡ଼ି ଜଣେ ବ୍ୟକ୍ତି ଶେଷରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୁଧିଆନାର ସିମଲାପୁରୀ ଅଞ୍ଚଳରେ ଘଟିଛି। ଗୁରୁତର ଅବସ୍ଥାରେ ବ୍ୟକ୍ତିଜଣଙ୍କୁ ଚଣ୍ଡିଗଡ଼ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ ବର୍ଷେ ତଳେ ଯକ୍ଷ୍ମା ହୋଇଥିଲା। ଏହାପରେ ତାଙ୍କ ବୋହୁ ପୁଅକୁ ଖରାପ ବ୍ୟବହାର କରି ଆସୁଥିଲେ। ଏପରିକି ପୁଅକୁ ଖାଇବାକୁ ଦେଉ ନ ଥିଲେ କି ଘର ଭିତରକୁ ମଧ୍ୟ ପୁରାଉ ଥିଲେ। ଏକାଠି ରହିଲେ ରୋଗ ଡେଇଁବ ବୋଲି ବୋହୁ ତାଙ୍କ ୮ ବର୍ଷର ପୁଅକୁ ନେଇ ଗୋଟିଏ ଘରେ ରହୁଥିଲେ।’ ଏହି ଘଟଣାର ତଦନ୍ତ କରୁଥିବା ହରବନ ସିଂ କହିଛନ୍ତି, ଗତ ମଙ୍ଗଳବାର ଯୁବକ ଜଣଙ୍କୁ ତାଙ୍କ ସ୍ତ୍ରୀ ଘରେ ପୁରାଇ ଦେଇ ନ ଥିଲେ। ଏଥିରେ ଭାଙ୍ଗି ପଡ଼ି ଯୁବକ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଯୁବକଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ସ୍ତ୍ରୀଙ୍କୁ ଗିରଫ କରିଛି।