ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସୋସିଆଲ ମିଡିଆରେ ରିଲ୍ସ ଦେଖି ୭ ବର୍ଷ ଧରି ନିଖୋଜ ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ପାଇଛନ୍ତି। ତାଙ୍କ ସ୍ବାମୀ ଅନ୍ୟ ମହିଳାଙ୍କ ସହିତ ରିଲ କରୁଥିବାବେଳେ ଏଠାରେ ମହିଳା ଜଣକ ଗତ ୭ ବର୍ଷ ଧରି ତାଙ୍କ ସ୍ବାମୀଙ୍କୁ ମନେ ପକାଇ ଲୁହ ଗଡ଼ାଉଛନ୍ତି।
ସ୍ବାମୀ ନିଖୋଜ ହେବା ପରେ ତଙ୍କ ପରିବାର ଲୋକ ସ୍ତ୍ରୀଙ୍କ ନାଁରେ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ। ସେବେଠାରୁ ସ୍ତ୍ରୀ ତାଙ୍କ ପୁଅ ସହିତ ଦାରିଦ୍ର୍ୟରେ ଜୀବନ କାଟୁଛନ୍ତି। ଏବେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ରିଲ ତିଆରି କରୁଥିବା ଦେଖିବା ପରେ, ସ୍ତ୍ରୀ ଏହି ପ୍ରତାରଣାର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳା କହିଛନ୍ତି, ଏବେ ସେ ତାଙ୍କ ସ୍ବାମୀ ଏବଂ ଶ୍ୱଶୁର ଘର ଲୋକଙ୍କୁ ଶିକ୍ଷା ଦେବେ।
ସୂଚନା ଅନୁସାରେ, ହରଦୋଇର ସାଣ୍ଡିଲା କୋତୱାଲି ଅଞ୍ଚଳର ମୁରାର ନଗର ଗାଁର ପୀଡିତା ସ୍ତ୍ରୀ ଶୀଲୁ କହିଛନ୍ତି, ତାଙ୍କର ବିବାହ ୨୦୧୭ ମସିହାରେ ଆଟାମୌ ଗ୍ରାମର ଜିତେନ୍ଦ୍ର ଓରଫ ବବଲୁଙ୍କ ସହ ହୋଇଥିଲା। ୨୦୧୮ ମସିହାରେ ସ୍ବାମୀ ଜିତେନ୍ଦ୍ର ହଠାତ୍ ପୁଅ ଆଉ ମୋତେ ଛାଡି ନିଖୋଜ ହୋଇଯାଇଥିଲେ। ନିଖୋଜ ରିପୋର୍ଟ ବବଲୁଙ୍କ ବାପା ହାବିଲଦାର ଥାନାରେ ଦାୟର କରିଥିଲେ। ସେ ସ୍ତ୍ରୀଙ୍କ ସମ୍ପର୍କୀୟମାନଙ୍କୁ ତାଙ୍କୁ ହତ୍ୟା କରି ମୃତଦେହ ଗାଏବ କରିଥିବା ଅଭିଯୋଗ ମଧ୍ୟ କରିଥିଲେ। ପୀଡିତା ଏବେ ବାପ ଘରେ ତାଙ୍କ ପୁଅ ସହିତ ରହୁଛନ୍ତି।
ଶୀଲୁ କହିଛନ୍ତି, ସେ ତାଙ୍କ ସ୍ବାମୀଙ୍କ ଫେରିବା ପାଇଁ ସମସ୍ତ ଆଶା ଛାଡି ଦେଇଥିଲେ। କିନ୍ତୁ ଗୋଟିଏ ଦିନ ମୋବାଇଲରେ ରିଲ ଦେଖୁଥିବା ସମୟରେ ତାଙ୍କ ପାଦ ତଳୁ ମାଟି ଖସିଗଲା। ବବଲୁଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହିତ ଦେଖିଥିଲେ। ସେ ଆମ ସମସ୍ତଙ୍କୁ ବୋକା ବନାଇ ଲୁଧିଆନାରେ ଅନ୍ୟ ଜଣେ ମହିଳାଙ୍କ ସହିତ ଭଲ ଜୀବନ ବିତାଉଛନ୍ତି।


