ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର

ବ୍ରହ୍ମପୁର ଅଫିସ,୧୯।୩: ଜନୈକା ନାବାଳିକା ଛାତ୍ରୀଙ୍କୁ ବ୍ରହ୍ମପୁର ରେଳଷ୍ଟେଶନରୁ ଅପହରଣ କରି ଆନ୍ଧ୍ରପ୍ରଦେଶ ସୀମାଚଳମ୍‌ର ଏକ ଲଜିଂରେ ରଖି ତାଙ୍କୁ ନିଶା ଦେଇ ବଳାତ୍କାର କରାଯାଇଥିଲା। ପୋଲିସ ପୀଡ଼ିତାଙ୍କୁ ସୀମାଚଳମ୍‌ରୁ ଶୁକ୍ରବାର ଉଦ୍ଧାର କରିଥିବାବେଳେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ସେ ହେଉଛନ୍ତି ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଡୁମୂଳା ଗ୍ରାମର ପି. ସରୋଜ କୁମାର ପ୍ରଧାନ (୩୫)। ପୋଲିସ ଉକ୍ତ ଲଜିଂରୁ ଏକ ଗ୍ଲାସ୍‌ ଓ ଟ୍ରେନ୍‌ ଟିକେଟ ଜବତ କରିଛି। ଉଦ୍ଧାର ପରେ ବ୍ରହ୍ମପୁର ବଡ଼ବଜାର ଥାନାରେ ଧାରା ୧୬୧ରେ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୀଡ଼ିତା ଛାତ୍ରୀଙ୍କୁ ସରୋଜ ଖାଦ୍ୟ ଓ ପାନୀୟରେ ନିଶା ମିଶାଇ ଦେଇଥିଲେ। ସେ ଅଚେତ ହୋଇଯିବା ପରେ ତାଙ୍କୁ ବଳାତ୍କାର କରିଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଉଭୟ ପୀଡ଼ିତା ଓ ବଳାତ୍କାରୀଙ୍କ ଡାକ୍ତରୀମାଇନା କରାଯାଇଛି। ମାମଲା ନମ୍ବର ୮୦/୨୩ରେ ସରୋଜଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଲଜିଂରୁ ପୋଲିସ ଜବତ କରିଥିବା ଗ୍ଲାସ୍‌ ଓ ବସ୍ତ୍ରର ସାଇଣ୍ଟିଫିକ୍‌ ପରୀକ୍ଷା ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିବ ବୋଲି ପୋଲିସ କହିଛି।
ପ୍ରକାଶ ଯେ, ଗତ ୧୬ ତାରିଖରେ ଜଣେ ଯୁକ୍ତ ୨ ଛାତ୍ରୀ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକ ତାଙ୍କୁ ନ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୮୦/୨୩ରେ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ କରିଥିଲା। ଶୁକ୍ରବାର ସକାଳେ ପୀଡ଼ିତା ଜଣଙ୍କ କୌଶଳକ୍ରମେ ଉକ୍ତ ଲଜିଂରୁ ତାଙ୍କ ଭାଇଙ୍କୁ ଘଟଣା ସମ୍ପର୍କରେ ଫୋନ୍‌ କରି ଜଣାଇଥିଲେ। ପରେ ପୋଲିସ ଓ ଛାତ୍ରୀଙ୍କ ପରିବାର ସୀମାଚଳମ୍‌ରେ ପହଞ୍ଚିଥିଲେ। ପୋଲିସ ପୀଡ଼ିତାଙ୍କୁ ସେଠାରୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଥିଲା।