ସ୍ବାମୀଙ୍କ ଏସିଡ୍‌ ମାଡ଼ରେ ଗୁରୁତର ସ୍ତ୍ରୀଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ, ୨୭ା୨:ସ୍ବାମୀଙ୍କ ଏସିଡ୍‌ ମାଡ଼ରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ସ୍ତ୍ରୀଙ୍କ ରବିବାର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ବନିତା ସିଂ। ଗତ ୨୦ ତାରିଖରେ ବନିତାଙ୍କୁ ତାଙ୍କ ସ୍ବାମୀ ଚନ୍ଦନ ରଣା ଏସିଡ୍‌ ମାଡ଼ କରିଥିଲେ। ଆକ୍ରମଣ ବେଳେ ବନିତାଙ୍କ ବଡ଼ ଭଉଣୀ ସମେତ ୨ ଶିଶୁ ମଧ୍ୟ ଗୁରୁତର ହୋଇଥିଲେ। ସୂଚନା ଅନୁଯାୟୀ, ନୀଳଗିରି ସନ୍ତରାଗାଡ଼ିଆ ଅଞ୍ଚଳର ଚନ୍ଦନ ରଣାଙ୍କ ଏକ ସୁନା ଦୋକାନ ରହିଥିବା ବେଳେ ଭୀମପୁରା ଅଞ୍ଚଳର ବନିତା ସିଂଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପରେ ଉଭୟେ ବିବାହ କରିଥିଲେ। ତେବେ ଚନ୍ଦନ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ୨ଟି ସନ୍ତାନ ଥିବା ବିବାହ ପରେ ବନିତା ଜାଣିବାକୁ ପାଇଥିଲେ। ଏନେଇ ବିବାଦ ସୃଷ୍ଟି ହେବାରୁ ଉଭୟ ଅଲଗା ହୋଇ ରହିଥିଲେ। ବନିତା ଭୀମପୁରାସ୍ଥିତ ଭଉଣୀ ଘରେ ରହିଥିବା ବେଳେ ଚନ୍ଦନ ସେଠାରେ ପହଞ୍ଚତ୍ ଏସିଡ ମାଡ଼ କରିଥିଲେ।