ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ବାମୀ

ପୁରୁଷୋତ୍ତମପୁର,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛେଲୁ ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ମୁଣ୍ଡକୁ ପଥର ଛେଚି ବୀଭତ୍ସ ଭାବେ ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ପ୍ରଶାନ୍ତ ମୁଦୁଲି (୩୮) ସବୁଦିନ ମଦ୍ୟପାନ ସହ ବିଭିନ୍ନ ପ୍ରକାରର ନିଶା ସେବନ କରି ସ୍ତ୍ରୀ ଝିଲି (୩୦)ଙ୍କ ସହ ଝଗଡ଼ା କରିବା ସହ ମାଡ଼ପିଟ୍‌ କରୁଥିଲେ। ଏହାକୁ ନେଇ ସ୍ତ୍ରୀ ଝିଲି ବହୁବାର ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହାର ସମାଧାନ ମଧ୍ୟ କରିଥିଲା। ବୁଧବାର ରାତିରେ ପରିବାର ସମସ୍ତେ ଖାଇପିଇ ନିଜ ନିଜର କୋଠରିରେ ଶୋଇଥିଲେ। ଏହି ସମୟରେ ପ୍ରଶାନ୍ତ ସ୍ତ୍ରୀ ଝିଲି ଓ ସାତବର୍ଷର ପୁଅ ସହ ତାଙ୍କ କୋଠରିରେ ଶୋଇବାକୁ ଯାଇଥିଲେ। ଝିଲି ଶୋଇଥିବା ବେଳେ ପ୍ରଶାନ୍ତ ନିଶାଶକ୍ତ ଅବସ୍ଥାରେ ଘରେ ଥିବା ପେଷଣା ପଥରକୁ ଆଣି ଝିଲିଙ୍କ ମୁଣ୍ଡରେ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ପରେ ପ୍ରଶାନ୍ତ ମାନସିକ ଭାରସାମ୍ୟ ହରାଇ ନିଜେ ଆତ୍ମହତ୍ୟା କରିଥିଲେ। ସକାଳୁ ଘର କବାଟ ଖୋଲା ଯାଇ ନ ଥିବାରୁ ପରିବାର ଲୋକେ ଓ ଗ୍ରାମବାସୀ କବାଟ ଭାଙ୍ଗି ଏସବୁ ଘଟଣା ଦେଖିବାକୁ ପାଇଥିଲେ। ଏନେଇ ସରପଞ୍ଚଙ୍କ ପ୍ରତିନିଧି ଜୟନାରାୟଣ ଦାଶଙ୍କୁ ଜଣାଇଥିଲେ। ପୁରୁଷୋତ୍ତମପୁର ପୋଲିସକୁ ଖବର ଦେବାରୁ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସହ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ଦଳେଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ଘଟଣାର ତଦନ୍ତ ଚଲାଇଛନ୍ତି। ଏଥିନେଇ ଥାନାରେ କେସ୍‌ ନଂ ୨୩୬/୨୧ରେ ଏକ ମାମଲା ରୁଜୁ କରାଯାଇଛି।