ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶର ଉନ୍ନାଓରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ନିଜ ଦ୍ୱିତୀୟ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଏକ ଟ୍ରଙ୍କ୍ରେ ଭର୍ତ୍ତି କରି ହାଇୱେ କଡ଼ରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ମାତ୍ର ୧୨ ଘଣ୍ଟା ମଧ୍ୟରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରି ଅଭିଯୁକ୍ତ ମହିଳା ଓ ତାଙ୍କ ସହଯୋଗୀମାନଙ୍କୁ ଧରିଛି । ସ୍ୱାମୀଙ୍କ ସହ ବାରମ୍ବାର ଝଗଡ଼ା ଓ ମତଭେଦ ହେଉଥିବାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସଦର କୋତୱାଲି ଅଞ୍ଚଳର ଲାଲଖେଡ଼ା ଚୌକି ନିକଟ ହାଇୱେ କଡ଼ରେ ଏକ ସନ୍ଦିଗ୍ଧ ଟ୍ରଙ୍କ୍ ପଡ଼ିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଙ୍କ୍ ଖୋଲିବା ପରେ ଭିତରୁ ଜଣେ ୨୭ରୁ ୨୮ ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଥିଲା। ଟ୍ରଙ୍କ୍ ଭିତରେ କିଛି ଘରୋଇ ସାମଗ୍ରୀ ମଧ୍ୟ ଥିଲା। ଏହାପରେ ମାମଲାର ତଦନ୍ତ ପାଇଁ ପୋଲିସ ପାଞ୍ଚଟି ଟିମ୍ ଗଠନ କରିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଏକ ଲୋଡର୍ ଗାଡ଼ି ସାହାଯ୍ୟରେ ଟ୍ରଙ୍କ୍କୁ ସେଠାରେ ଆଣି ଫିଙ୍ଗାଯାଇଥିବା ଜଣାପଡ଼ିଥିଲା।
ପୋଲିସର ସୂଚନା ଅନୁସାରେ, ଲୋଡର୍ର ଡ୍ରାଇଭର ଓ ମାଲିକଙ୍କୁ ପଚରାଉଚରା କରିବା ପରେ ଜଣେ ମହିଳା ୧୨୦୦ ଟଙ୍କା ଭଡ଼ାରେ ଗାଡ଼ିଟିକୁ ବୁକ୍ କରିଥିବା ଜଣାପଡ଼ିଥିଲା। ଏହି ସୂତ୍ରକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲା ଏବଂ ୧୨ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଥିଲା। ଏହି ମାମଲାରେ ଅଭିଯୁକ୍ତ ମହିଳାଙ୍କ ସହ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ଏଥିସହ ଜଣେ ଶ୍ରମିକ ମଧ୍ୟ ପୋଲିସ ନିକଟରେ ପହଞ୍ଚିଥିବା ଜଣାପଡ଼ିଛି।
ପୋଲିସର କହିବା ଅନୁସାରେ, ମହିଳା ଜଣକ ପ୍ରାୟ ୯ ବର୍ଷ ପୂର୍ବେ ପ୍ରଥମ ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲେ। ପରେ ସେ ଦ୍ୱିତୀୟ ଯୁବକଙ୍କ ସହ ସମ୍ପର୍କରେ ଆସିଥିଲେ ଏବଂ ପ୍ରାୟ ୮ ବର୍ଷ ଧରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଭଳି ରହୁଥିଲେ। ପ୍ରଥମ ସ୍ୱାମୀଙ୍କଠାରୁ ମହିଳାଙ୍କର ଚାରିଜଣ ଝିଅ ଥିବାବେଳେ ସେମାନେ ପ୍ରଥମ ସ୍ୱାମୀଙ୍କ ପାଖରେ ରହୁଥିଲେ । ଦ୍ୱିତୀୟ ସ୍ୱାମୀଙ୍କଠାରୁ ତାଙ୍କର ଏକ ପାଞ୍ଚ ବର୍ଷର ପୁଅ ଅଛି।
ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଦ୍ୱିତୀୟ ସ୍ୱାମୀ ମଦ ପିଇ ଘରେ ଝଗଡ଼ା କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟତଃ ବିବାଦ ଓ ମାରପିଟ୍ ହେଉଥିଲା। ଗଣମାଧ୍ୟମ ସମ୍ମୁଖରେ ନିଜ ପକ୍ଷ ରଖି ମହିଳା ଜଣକ ହତ୍ୟାକାଣ୍ଡ ପାଇଁ ଅନୁତାପ କରୁଥିବା କହିଛନ୍ତି। ସ୍ୱାମୀ ମଦ ପିଇ ଘରେ ବିବାଦ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।