ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୨୨ ସେପ୍ଟେମ୍ବର ୨୨ ତାରିଖରେ ଜଣେ ମହିଳା ଛତ୍ରପୁର ଶାନ୍ତିନଗରର ବାସିନ୍ଦାର ଜଣେ ବ୍ୟକ୍ତିଙ୍କଚ ବିବାହ କରିଥିଲେ। ବିବାହ ସମୟରେ ତାଙ୍କୁ ଯୌତୁକ ଆକାରରେ ଅଧିକ ଟଙ୍କା ସହ ଘରକରଣା ଜିନିଷ ଏବଂ ଆସବାବପତ୍ର ଆଣିବା ପାଇଁ ଶାଶୁ ଘର ଲୋକେ ତାଙ୍କୁ କହିଥିଲେ। ହେଲେ ବିବାହର ମାସକ ପରେ ତାଙ୍କ ଶ୍ୱଶୁରଙ୍କ ଅକାଳ ବିୟୋଗ ହୋଇଯାଇଥିଲା। ଏବଂ ଚଳିତ ବର୍ଷ ମାର୍ଚ୍ଚ ମାସରେ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଛି।
ଏଭଳିସ୍ଥିତିରେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ନଣଦେଇଙ୍କ କଥାରେ ପଡ଼ି ତାଙ୍କ ଶାଶୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ଏହା ସହିତ ନଣଦେଇ ତାଙ୍କ ଉପରେ ଖରାପ ନଜର ରଖି ଅସଦାଚରଣ କରିଥିବା ମହିଳା ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏପରିକି ତାଙ୍କୁ ବିଷ ଦେଇ ମାରଦେବାକୁ ଉଦ୍ୟମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ମାମୁଁ ଶ୍ୱଶୁର ଓ ମାଇଁ ଶାଶୁଙ୍କ ପ୍ରରୋଚନାରେ ଶାଶୁ ଓ ନଣଦେଇ ମିଶି ତାଙ୍କୁ ଗାଳି ଗୁଲଜ କରିଥିବା କହିଛନ୍ତି।
ସେ ନିର୍ଯାତନା ସହି ନ ପାରି ନିଜ ବାପା ଘର ବ୍ରହ୍ମପୁରକୁ ଚାଲି ଆସିଛନ୍ତି। ଏପରିକି ବାପାଙ୍କ ସହିତ ଶାଶୁ ଘରକୁ ଯାଇ ନେଇଥିବା ଯୌତୁକ ଫେରାଇ ଦେବାକୁ ଦାବି କରିଥିଲେ। ହେଲେ ଶାଶୁ ଘର ଲୋକେ ତାଙ୍କୁ ଜୀବନରୁ ମାରିଦେବାକୁ ପାଇଁ ଧମକ ଦେଇଥିବା ଥାନାରେ ଅଭିଯୋଗ କରତଛନ୍ତି। ଏପରିକି ପୋଲିସ ପ୍ରଶାସନ ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୪୦୨/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣାପଡିଛି।