Categories: ଖେଳ

କାହିଁକି ରାଇନାଙ୍କ ଅବସରକୁ ଆନୁଷ୍ଠାନିକ ଭାବେ ଘୋଷଣା କରିନି ବିସିସିଆଇ

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ସୀମିତ ଓଭର କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ସୁରେଶ ରାଇନା ଭାରତର ୭୪ତମ ସ୍ବାଧୀନତା ଦିବସର ଅବସରରେ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ପ୍ରଥମେ ଧୋନୀ ଅବସର ଘୋଷଣା କରିବାର କିଛି ମୁହୂର୍ତ୍ତ ବ୍ୟବଧାନ ପରେ ରାଇନା ମଧ୍ୟ ଧୋନୀଙ୍କ ଏହି ଯାତ୍ରାରେ ତାଙ୍କୁ ଅନୁସରଣ କରୁଥିବା କହି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। କିନ୍ତୁ ଯଦି ଅତି ନିକଟରୁ ଦେଖାଯିବ ତେବେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତକାଲିଠାରୁ କେବଳ ଧୋନୀଙ୍କ ଅବସର ନେଇ ସୂଚନା ଦେଇଛି। ବିସିସିଆଇ ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟର୍‌ରେ ଧୋନୀଙ୍କ ଅବସର ନେଇ ସୂଚନା ଦେଇଥିଲା। ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ମଧ୍ୟ ଧୋନୀଙ୍କ ଅବସର ନେଇ ବାର୍ତ୍ତା ପ୍ରଦାନ କରିଥିଲେ।

କିନ୍ତୁ ରାଇନାଙ୍କ ଅବସର ନେଇ ବିସିସିଆଇ କିମ୍ବା ଏହାର ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଏହାକୁ ନେଇ ଅନେକ ପ୍ରଶଂସକ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। କିନ୍ତୁ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ରାଇନା ଅବସର ନେବା ପୂର୍ବରୁ ବିସିସିଆଇକୁ ସୂଚନା ନ ଦେଇ ନିୟମ ଉଲ୍ଲଂଘନ କରିଛନ୍ତି। ବୋର୍ଡ ସହିତ ରାଇନା କୌଣସି ଯୋଗାଯୋଗ କରି ନ ଥିଲେ। ଅପରପକ୍ଷରେ ଧୋନୀ କିନ୍ତୁ ଅବସର ଘୋଷଣା କରିବାର କିଛି ସମୟ ପୂର୍ବରୁ ବିସିସିଆଇକୁ ଏନେଇ ଜଣାଇ ଦେଇଥିଲେ। ତେଣୁ ବିସିସିଆଇ ପକ୍ଷରୁ କେବଳ ଧୋନୀଙ୍କ ଅବସର ନେଇ ଟୁଇଟ୍‌ କରାଯାଇଛି। ଯେହେତୁ ରାଇନା ତାଙ୍କ ନିଷ୍ପତ୍ତି ନେଇ ବୋର୍ଡ ସହିତ କୌଣସି ଯୋଗାଯୋଗ କରିନାହାନ୍ତି ତେଣୁ ବିସିସିଆଇ ପକ୍ଷରୁ ମଧ୍ୟ ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ କୌଣସି ସୂଚନା ଦିଆଯାଇନାହିଁ।

Share