Posted inଫୁରସତ

ମନୁଷ୍ୟ ଦୁଃଖ ପାଏ କାହିଁକି

ଏହାର ସମାଧାନ କିଏ କେତେ ପ୍ରକାର ଦେଲେ ବି ଉତ୍ତର କିନ୍ତୁ ଗୋଟିଏ l ଶାସ୍ତ୍ର, ପୁରାଣ ଓ ସାଧୁସନ୍ଥମାନଙ୍କ ମତରେ ମନୁଷ୍ୟ ନିଜ କର୍ମ ଫଳରୁ ହିଁ ଦୁଃଖ ପାଏ l ଜଣେ ଯଦି ଭଲ କାମ କରେ ତେବେ ଭଲ ଫଳ ପାଇବ l ସୁଖ ଭୋଗ କରିବ l ଏ ଜନ୍ମରେ ହେଉ ବା ପୂର୍ବ କୋଉ ଜନ୍ମରେ କିଛି ବି ପାପ କରିଥିଲେ ‘ଅଗ୍ରେ ଧାବତୀ ଧାବତୀ’ ନ୍ୟାୟରେ କର୍ମଫଳ ମଣିଷର ପଛ ଧରିଥାଏ l ଦେଖୁ ନାହାନ୍ତି, ପିତାମହ ଭୀଷ୍ମ ଗୋଟିଏ ଜନ୍ମରେ ଏକ ନିରୀହ ଅଜଗର ସର୍ପକୁ ବିନାକାରଣରେ ତୀର ମୁନରେ ଟେକି କଣ୍ଟାଯୁକ୍ତ ଗଛ ଉପରକୁ ଫୋପାଡ଼ି ଦେଇଥିଲେ ବୋଲି ତାଙ୍କୁ କେମିତି ଶରଶଯ୍ୟାରେ ପଡି ରହିବାକୁ ପଡିଲା l ଗୋଟିଏ ନୁହେଁ କି ଦଶଟି ନୁହେଁ, ପୂରା ଶହେ ଏକ ଜନ୍ମର ଗୋଟିଏ ବର୍ଷଣ ମୁଖର ଦିନରେ ବର୍ଷାସ୍ରୋତରେ ବୃକ୍ଷ କୋରଡ଼ରୁ ଧାଡି ଧାଡି ହୋଇ ଭାସି ଆସୁଥିବା ଶହେଟି ଅଣ୍ଡାକୁ କୌତୂହଳବଶତଃ ନିଜ ଗୋଡ଼ର ବୃଦ୍ଧାଙ୍ଗୁଷ୍ଠିରେ ଟିକ ଟିକ କରି ଫୁଟେଇ ଏକ ବିଚିତ୍ର ଉଲ୍ଲାସରେ କୁରୁଳି ଉଠୁଥିବା ସେ ଜନ୍ମର ସେହି ଅବୋଧ ବାଳିକାଟି କ’ଣ ଜାଣିଥିଲା ଯେ ପରବର୍ତ୍ତୀ ଜନ୍ମରେ ଗାନ୍ଧାରୀ ହୋଇ ନିଜ ଶହେ ପୁଅକୁ ହରାଇ ବାଉଳି ଖାଇବାକୁ ପଡିବ ବୋଲି?

ପାଠକେ, କେହି କେହି ଏ କଥାକୁ ଗାଲୁ ଗପ ବୋଲି କହିପାରନ୍ତି l କହିବାରେ କାହାକୁ ମନା ନାହିଁ l ଏଇ ନିକଟରେ ମୋର ଜଣେ ସାମ୍ବାଦିକ ବନ୍ଧୁ କହୁଥିଲେ ଯେ, ତାଙ୍କର ଏମିତି ଜଣେ ଆଇଏଏସ ଅଫିସରଙ୍କ ସହ ପରିଚିତ ଅଛି; ଯିଏ ଗାନ୍ଧୀ, ଗୋପବନ୍ଧୁ, ବିବେକାନନ୍ଦ, ବୁଦ୍ଧଙ୍କ ପରି ବହୁ ମହାପୁରୁଷ ତଥା ଗୀତା, ଭାଗବତ, ରାମଚରିତ ମାନସ ପରି ସବୁ ଧର୍ମଶାସ୍ତ୍ରକୁ ପସନ୍ଦ କରନ୍ତି ନାହିଁ l ହଉ, ନିଜ ନିଜର ସଂସ୍କାର ଆଉ ଚିନ୍ତନକୁ ଧରି ଯିଏ ଯେଉଁ ବାଟରେ ଯାଉଛି ଯାଉ l ରାମଙ୍କୁ ଯିଏ ମାନୁନି, ଜଗନ୍ନାଥଙ୍କୁ ଯିଏ ଦର୍ଶନ କରିବାକୁ ଯାଉନି, କୃଷ୍ଣଙ୍କୁ ଯିଏ କୀର୍ତ୍ତନ କରୁନି, ସେମାନେ କ’ଣ ଦୁଃଖରେ ଅଛନ୍ତି ନା ତାଙ୍କ ଘର ଉପରେ ବଜ୍ର ପଡିଯାଉଛି? ଏ ସବୁର ଧାର ଧରୁ ନ ଥିବା ବି ବହୁ ଉଚ୍ଚକୋଟୀର ସନ୍ଥ ଅଛନ୍ତି ଆମ ସମାଜରେ l

ଆଜିର ଆଲୋଚନାକୁ ଆସିବା l ଭଗବାନ ବୁଦ୍ଧ କହିଲେ -ଦୁଃଖର କାରଣ ହେଉଛି କାମନା l ଏହାର ବିନାଶରେ ଦୁଃଖର ବିନାଶ l ହେଲେ ଜଣେ ସାଧାରଣ ସଂସାରୀଟିଏ ଯେ ତା’ ମନର ସମସ୍ତ କାମନାକୁ ସହଜରେ ହଟେଇ ଦେଇପାରିବ, ଏ କଥା ବି ନୁହେଁ l ଗୋଟିଏ ମଣିଷ କିଛି କିଛି କାମନାକୁ ପ୍ରତିହତ କରିଦେଇ ପାରେ କିନ୍ତୁ ସବୁ କାମନାକୁ ନୁହେଁ l ଆଉ କାମନା ରହିଲା ମାନେ ହିଁ ଦୁଃଖ l କାହିଁକି ନା ସବୁ କାମନା ଯେ ପୂରଣ ହୋଇ ପାରିବ ତା’ର କିଛି ଗ୍ୟାରେଣ୍ଟି ନାହିଁ l କିନ୍ତୁ ମନଟା ସମ୍ପୂର୍ଣ୍ଣ କାମନା ଶୂନ୍ୟ ହୋଇଗଲେ ଯେ ସ୍ବର୍ଗସୁଖ କୁଢ଼େଇ ହୋଇ ପଡିବ, ଏହାକୁ ଯିଏ ଅନୁଭବ କରିଛି ସେ ଜାଣିଛି l
ରଥ ଉପରେ ବସି ଯାଉଥିଲା ବେଳେ ପ୍ରଶାନ୍ତ ମୁଖ ମଣ୍ଡଳଯୁକ୍ତ ଏକ ସାଧୁଙ୍କୁ ଦେଖି ରଥରୁ ଓଲ୍ଲାଇ ପଡିଲେ ରାଜା l ପ୍ରଣିପାତ ପୂର୍ବକ ବିନୀତ ଜିଜ୍ଞାସା କଲେ -ମହାତ୍ମାନ! ଆପଣ ଯେମିତି ସଦା ଖୁସି ରହିପାରୁଛନ୍ତି, ମୁଁ ଟିକେ କେମିତି ସେମିତି ରୁହନ୍ତି l ଏପରି ରହିବାର ସୂତ୍ର ଟିକେ ମୋତେ ବତାଇ ଦିଅନ୍ତୁ l

ତୁମେ ତ ରାଜା l ରାଜ୍ୟ, ପ୍ରଜା, ଧନ ସମ୍ପତ୍ତି ଆଦି ପ୍ରଭୁତ୍ୱ କ୍ଷମତାର ଅଧୀଶ୍ୱର l ତୁମେ କ’ଣ ସହଜରେ ପାରିବ? ପାରିବ, ଏ ସବୁକୁ ମନରୁ ପୋଛି ଦେଇପାରିବ?? କାମନା ଶୂନ୍ୟ ହୋଇପାରିବ??? ତେବେ ଯାଇ ଅଖଣ୍ଡ ସୁଖ ପାଇପାରିବ l -ଏତକ କହି ସାଧୁ ନିଜ ବାଟରେ ଚାଲିଗଲେ l
ରାଜା ସବୁକିଛିର ମୋହ ତ୍ୟାଗକରି ଏକ ସାଧାରଣ ଜୀବନ ଜିଇଲେ l ତଥାପି ମନ କାହିଁକି ତାଙ୍କର ବେଳେ ବେଳେ ଅଶାନ୍ତ ରହୁଥାଏ l ଅକସ୍ମାତ୍‌ ସେଇ ସାଧୁଙ୍କ ସହ ଦିନେ ଭେଟ ହୋଇଯିବାରୁ ରାଜା ଏହାର କାରଣ ପଚାରିଲେ l
ସାଧୁ ଉତ୍ତର ଦେଲେ- ତୁମେ ସବୁ କାମନା ତ୍ୟାଗ କରିଛ ସତ୍ୟ କିନ୍ତୁ ଆନନ୍ଦ ପାଇବା ପାଇଁ ଯେଉଁ କାମନା ଟିକକ ତୁମ ମନ ମଧ୍ୟରେ ଅଛି, ତାକୁ ତ ତ୍ୟାଗ କରିନ? ସେତକ କଲେ ହିଁ ତୁମକୁ ପୂର୍ଣ୍ଣାନନ୍ଦ ପ୍ରାପ୍ତ ହେବ l ରାଜା ସେୟା କଲେ ଏବଂ ସାଧୁଙ୍କ ପରି ନିଜେ ଆନନ୍ଦ ସାଗରରେ ଉବୁଟୁବୁ ହେଲେ l

ଆମେ କିନ୍ତୁ ଓଲଟା ଦିଗରେ ଗାଡ଼ି ଚଳଉଛୁ l ଆମେ କାମନା ଫାଶରୁ ମୁକୁଳିବୁ କ’ଣ ଓଲଟି ଦେବଦେବୀଙ୍କ ନିକଟରେ ଗୁଆ, ନଡ଼ିଆ ବସେଇ ମାନସିକ କରୁଛୁ l ଦାଢି ଚୁଟି ଆଉ ଏଡ଼େ ଏଡ଼େ ଜଟ ଛାଡି ବୁଲୁଛୁ l ଯଦିଓ କାମନାର ବିନାଶ ଘଟିଲେ ସୁଖ ମିଳେ ବୋଲି ଭାଷଣ ଆଉ ପ୍ରବଚନରେ କହୁଛୁ ହେଲେ ଏହା କେବଳ କହିବା ପାଇଁ କହୁଛୁ l କାମନାର ଅର୍ଗଳୀରୁ ବାହାରିବା ପାଇଁ ସାମାନ୍ୟ ପ୍ରୟାସ ବି କରୁନୁ l

ବାକି ରହିଲା କର୍ମ ଫଳରୁ ଦୁଃଖ ମିଳିବା ବାବଦରେ l ‘ଗୀତା’ରେ ପ୍ରଭୁ କହିଲେ -ଗହନା କର୍ମଣ ଗତି l କର୍ମର ଗତି ଜାଣିବା ଅତି କଠିନ l ମଣିଷ ଯୋଉ ଦୁଃଖ ଭୋଗେ ତାହା ଯେ ତା’ର ଜ୍ଞାତ ବା ଅଜ୍ଞାତରେ କରିଥିବା କୁ-କର୍ମର ଫଳ, ଏହାକୁ ମାନିବାକୁ ଅନେକ ସମୟରେ ସେ ପ୍ରସ୍ତୁତ ନ ଥାଏ l ଆମ ଭିତରୁ ଅନେକେ ପଣ୍ଡିତଙ୍କ ପରି କୁହନ୍ତି -ମୋ ଜାଣିବାରେ ମୁଁ ତ ଏ ଜୀବନରେ କାହାର କିଛି ଅନିଷ୍ଟ କରିନି l ତେବେ ମୁଁ କାହିଁକି ଏ ଦଣ୍ଡ ଭୋଗୁଛି l

ମୁଁ ତ କେବେ କାହାର କୁକୁରକୁ ବାଡେଇନି, ଓଲଟି କୁକୁର ଦେଖିଲେ ପ୍ୟାକେଟ ପ୍ୟାକେଟ ବିସ୍କୁଟ ଖାଇବାକୁ ଦିଏ l ଆଜି କାହିଁକି କୁକୁର ମୋତେ କାମୁଡ଼ିଲା? ଯା…ଆଜିଠୁ ସେମାନଙ୍କୁ ଦୂର ଦୂର ମାର ମାର କରିବି l
କାହାଣୀଟିଏ l ଏକ ସାମାନ୍ୟ କାରଣକୁ ନେଇ ଦୋକାନ ମାଲିକ ଦୋକାନରେ କାମ କରୁଥିବା ମ୍ୟାନେଜରକୁ ଚଟକଣିଟିଏ ପକାଇ ଦେଲେ l

ମ୍ୟାନେଜର ରାଗି କରି ଘରକୁ ଗଲେ l ଘରେ ଜିନିଷ ପତ୍ର ସବୁ ଖେଳା ମେଳା ହୋଇ ପଡି ରହିଥିବାର ଦେଖି ସ୍ତ୍ରୀ ପିଠିରେ ଗୋଟେ ବିଧା ଥୋଇଲେ l
ସ୍ତ୍ରୀ ତ ପୁଣି କାହା ଉପରେ ରାଗ ଶୁଝାଇବେ? ସେ ନିଜ ଚାକରକୁ ଦି ଖୁନ୍ଦା ପକେଇଲେ l ଚାକର ରାଗରେ ଗର ଗର ହୋଇ ପୋଷା କୁକୁରକୁ ନିସ୍ତୁକ ପିଟିଲା l କୁକୁର ହେଲେ ବି ତା’ର କ’ଣ ରାଗ ନାହିଁ ନା କ’ଣ? ସେ ଦଉଡି ଛିଣ୍ଡାଇ ବାହାରକୁ ଦୌଡ଼ିଲା l ବାଟରେ ଆଉ କାହାକୁ ପାଇଲା ନାହିଁ l

ଦେଖିଲା ଗୋଟିଏ ଲୋକ ଗାଡି ଷ୍ଟାର୍ଟ କରି ବସିବାକୁ ଯାଉଛି l ଧଇଲା ତା’ ଗୋଡ଼କୁ l ପୁଳାଏ ମାଂସ ଭିଣି ଆଣିଲା l
କୁକୁର କାମୁଡିଥିବା ଲୋକଟି ଯେ ସେଇ ଦୋକାନ ମାଲିକ -ଏ କଥା ପରଦିନ ମ୍ୟାନେଜର ଜାଣିଲେ l
ଇଆଡ଼େ କୁକୁରକୁ ଯେତେ ବିସ୍କୁଟ ଖାଇବାକୁ ଦେଲେ କ’ଣ ହେବ, କର୍ମଫଳ ପରା ନିଜ ଅଜାଣତରେ କେଉଁ କେଉଁ ମାର୍ଗ ଦେଇ ଠିକଣା ଜାଗାରେ ପହଞ୍ଚତ୍ ଯିବ, ତାହା ଜାଣିବା ମଣିଷ ପାଇଁ ପ୍ରାୟ ଦୁର୍ଲଭ l

-ଶ୍ରୀ ସନ୍ନ୍ୟାସୀ
ଦିବ୍ୟାଲୋକ ସଂଧାନେ, ରାମନଗର,
ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri