Categories: ଖେଳ

ସିଏସକେ ପ୍ରି ସିଜନ କ୍ୟାମ୍ପରେ କାହିଁକି ଯୋଗଦେବେନି ଜାଡେଜା

ନୂଆଦିଲ୍ଲୀ, ୧୨।୮- ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସକେ) ଚେନ୍ନାଇରେ ଏକ ପ୍ରି-ସିଜନ କଣ୍ଡିଶନିଂ କ୍ୟାମ୍ପ କରିବ। ଏହା ଅଗଷ୍ଟ ୧୫ରୁ ୨୦ ମଧ୍ୟରେ ହେବ। ଭାରତର ନାମୀ ଖେଳାଳିଙ୍କ ମଧ୍ୟରୁ ରବୀନ୍ଦ୍ର ଜାଡେଜା ଏହି କ୍ୟାମ୍ପରେ ଭାଗ ନେଇ ପାରିବେ ନାହିଁ ବୋଲି ଜଣା ପଡ଼ିଛି। ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ହରଭଜନ ସିଂ, ସୁରେଶ ରାଇନା ଓ ଅମ୍ବାତି ରାୟୁଡ଼ୁ ପ୍ରମୁଖ ଏଥିରେ ଭାଗନେବେ। ବ୍ୟକ୍ତିଗତ କାରଣରୁ ଜାଡେଜା ଏହି କ୍ୟାମ୍ପକୁ ଆସିପାରୁ ନ ଥିବା ସୁପର କିଙ୍ଗ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ କାଶି ବିଶ୍ୱନାଥ ପ୍ରକାଶ କରିଛନ୍ତି। ତେବେ ଜାଡେଜା ଅଗଷ୍ଟ ୨୧ରେ ଦୁବାଇ ଯିବା ପୂର୍ବରୁ ଚେନ୍ନାଇରେ ପହଞ୍ଚତ୍ବେ ବୋଲି ସେ କହିଛନ୍ତି। ପ୍ରି-ସିଜନ କ୍ୟାମ୍ପରେ ଖେଳାଳିଙ୍କ ଫିଟ୍‌ନେସ ଉପରେ ବିଶେଷ କରି ଫୋକସ କରାଯିବ। ଏହା ବ୍ୟତୀତ ଖେଳାଳିମାନେ ଦୁବାଇ ଯିବାପୂର୍ବରୁ ଏଥିରେ କିଛି ଅଭ୍ୟାସ ମଧ୍ୟ କରିବେ। ଏମଏ ଚିଦାମ୍ବରମ ଷ୍ଟାଡିୟମରେ କ୍ୟାମ୍ପ ପାଇଁ ତାମିଲନାଡ଼ୁ ସରକାର ଲିଖିତ ଅନୁମତି ଦେଇଛନ୍ତି। କ୍ୟାମ୍ପ ଅବସରରେ ଷ୍ଟାଡିୟମରେ ପ୍ରବେଶ ପାଇଁ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ। କୋଚିଂ ଷ୍ଟାଫ୍‌ଙ୍କ ମଧ୍ୟରେ କେବଳ ବୋଲିଂ କୋଚ୍‌ ଲକ୍ଷ୍ମୀପତି ବାଲାଜୀ ଉପସ୍ଥିତ ରହିବେ। ମୁଖ୍ୟ କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ଓ ସହକାରୀ କୋଚ୍‌ ମାଇକେଲ ହସୀ ଅଗଷ୍ଟ ୨୨ରେ ଦୁବାଇରେ ଦଳ ସହ ଯୋଗଦେବେ। ସେହିପରି ବୋଲିଂ ପରାମର୍ଶଦାତା ଦକ୍ଷିଣ ଆଫ୍ରିକାର ଏରିକ୍‌ ସିମନ୍ସ ଓ ଫିଜିକାଲ ଟ୍ରେନର ଗ୍ରେଗ୍‌ କିଙ୍ଗ୍‌ ୨୧ ତାରିଖରେ ଦୁବାଇରେ ପହଞ୍ଚତ୍ବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ୱନାଥ କହିଛନ୍ତି।

Share