ଚଳନ୍ତା ବସ୍‌ରୁ ଯୁବତୀଙ୍କୁ କାହିଁକି ଫୋପାଡିଲେ କଣ୍ଡକ୍ଟର

ନୂଆଦିଲ୍ଲୀ,୬।୭: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ପ୍ରତିଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏଥିରେ କେତେକଙ୍କ ଜୀବନ ମଧ୍ୟ ଯାଉଛି। ଏହାକୁ ନେଇ ସମସ୍ତ ମନରେ ଏବେ ଏକପ୍ରକାର ଭୟ ସୃଷ୍ଟି ହୋଇଛି। ଇତିମଧ୍ୟରେ କରୋନା ଭୟ ଯୋଗୁ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମିତ ସନ୍ଦେହରେ ଜଣେ ଯୁବତୀଙ୍କୁ ଜଣେ କଣ୍ଡକ୍ଟର ଚଳନ୍ତା ବସ୍‌ରୁ ଫୋପାଡ଼ି ଦେଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବତୀ ଜଣଙ୍କ ହେଉଛନ୍ତି ପୂର୍ବ ଦିଲ୍ଲୀର ମଣ୍ଡାଲଓ୍ବି ଅଞ୍ଚଳର। ସୂଚନାଯୋଗ୍ୟ, ଉକ୍ତ ଯୁବତୀଙ୍କର କରୋନା ଯାଞ୍ଚ କରାଯାଇଥିବା ବେଳେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିନ୍ତୁ ପେଟରେ ଷ୍ଟୋନ୍‌ ହୋଇଥିବା କାରଣରୁ ତାଙ୍କୁ ଦୁର୍ବଳ ଅନୁଭବ ହେବା ସହ ମୁଣ୍ଡ ବୁଲାଉଥିବାରୁ ସେ ଠିକ୍‌ରେ ଚାଲିପାରୁ ନ ଥିଲେ। କିନ୍ତୁ ଲୋକମାନେ ତାଙ୍କୁ କରୋନା ଭାଇରସ୍‌ ସଂକ୍ରମିତ ଭାବି ମଥୁରା ଟୋଲ ପ୍ଲାଜା ପାଖରେ ଚଳନ୍ତା ବସ୍‌ରୁ ଠେଲିଦେଇଥିଲେ। ସେହି ସମୟରେ ତାଙ୍କ ମା’ ତାଙ୍କୁ ଧରିବାକୁ ବହୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଯୁବତୀଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ମାମଲାକୁ ନେଇ ପରିବାର ଲୋକେ ମଥୁରା ଷ୍ଟେଶନରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବୋଲି ତଦନ୍ତ ଆରମ୍ଭ କରିଛି।

Share