Categories: ଖେଳ

କାହିଁକି ପ୍ରଶଂସକଙ୍କୁ ବ୍ୟାଟରେ ବାଡ଼େଇବାକୁ ଉଠିଥିଲେ ଇଞ୍ଜାମାମ

ନୂଆଦିଲ୍ଲୀ, ୧୮।୭- ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଯେବେ ବି କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥାଏ ଏହା ବେଶ୍‌ ରୋମାଞ୍ଚକ ହୋଇଥାଏ। ସାରା ବିଶ୍ୱର କ୍ରିକେଟ୍‌ପ୍ରେମୀଙ୍କ ନଜର ସେତେବେଳେ ଏହି ମ୍ୟାଚ୍‌ ଉପରେ ଥାଏ। ମ୍ୟାଚ୍‌ ସମୟରେ ପଡ଼ିଆ ଭିତରେ ଯେମିତି ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥାଏ ପଡ଼ିଆ ବାହାରେ ମଧ୍ୟ ଦର୍ଶକଙ୍କ କୋଳାହଳ ମ୍ୟାଚ୍‌ର ଉଷ୍ମତାକୁ ଆହୁରି ବଢ଼ାଇ ଦେଇଥାଏ। ପଡ଼ିଆ ଭିତରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଯେତେ ବିବାଦ ଥିଲେ ମଧ୍ୟ କିନ୍ତୁ ସେମାନଙ୍କ ମଧ୍ୟରେ ନିବିଡ଼ ବନ୍ଧୁତ୍ୱ ରହିଥାଏ। ଏମିତି ଏକ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀକୁ ବର୍ଣ୍ଣନା କରିଛନ୍ତି ପୂର୍ବତନ ମହାନ ପାକିସ୍ତାନ କ୍ରିକେଟର୍‌ ଓ୍ବାକର ୟୁନିସ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସ୍ତ୍ରୀଙ୍କ ନାମ ଧରି ଜଣେ ପ୍ରଶଂସକ ଖରାପ ଶବ୍ଦ ବ୍ୟବହାର କରିଥିବାବେଳେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ ଉଲ୍‌-ହକ୍‌ କିପର ବ୍ୟାଟ୍‌ ଧରି ସେହି ପ୍ରଶଂସକଙ୍କୁ ବାଡ଼େଇବାକୁ ଉଦ୍ୟତ ହୋଇଥିଲେ ସେହି କଥାକୁ ୟୁନିସ ନିକଟରେ ଏକ ସାକ୍ଷାତ୍‌କାର ଅବରସରେ ସ୍ମରଣ କରିଛନ୍ତି।


ଘଟଣାକୁ ସ୍ମରଣ କରି ଓ୍ବାକର କହିଛନ୍ତି, ୧୯୯୭ରେ କାନାଡାର ଟରୋଣ୍ଟୋଠାରେ ଆୟୋଜିତ ଶାରଜା କପ୍‌ର ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦର୍ଶକଙ୍କ ମଧ୍ୟରୁ କେହି ଜଣେ ଇଞ୍ଜାମାମଙ୍କ ଉଦ୍ଦେଶ୍ୟରେ ଲକ୍ଷ୍ୟ କରି ତାଙ୍କୁ ଆଳୁ ଆଳୁ ବୋଲି ଚିତ୍କାର କରି ଡାକିଥିଲା। ଇଞ୍ଜାମାମ କିନ୍ତୁ ଦର୍ଶକଙ୍କ ଏଭଳି ବ୍ୟବହାର ସତ୍ତ୍ୱେ ନିଜକୁ ଶାନ୍ତ ରଖିଥିଲେ। କିନ୍ତୁ ଯେତେବେଳେ ମହମ୍ମଦ ଆଝାରୁଦ୍ଦିନଙ୍କ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦର୍ଶକଙ୍କ ମଧ୍ୟରୁ କେହି ଜଣେ ଖରାପ ଶବ୍ଦ ପ୍ରୟୋଗ କରିଥିଲେ ଇଞ୍ଜାମାମ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ସେ ଅଧିନାୟକଙ୍କୁ କହି ଫାଇନ୍‌ ଲେଗ୍‌ ଥାର୍ଡମ୍ୟାନ ଏରିୟାରେ ଫିଲ୍ଡିଂ କରିବାକୁ ଯାଇଥିଲେ ଏବଂ ଦ୍ୱାଦଶ ଖେଳାଳିଙ୍କୁ ଏକ ବ୍ୟାଟ୍‌ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଓ୍ବାକର କହିଛନ୍ତି। କିଛି ସମୟ ପରେ ଇଞ୍ଜମାମ ଦର୍ଶକ ଗ୍ୟାଲେରୀ ପାହଚ ଚଢ଼ି ସେହି ଦର୍ଶକଙ୍କ ସହିତ ଧସ୍ତାଧସ୍ତି କରିଥିଲେ। ଏହାପରେ ଅନ୍ୟ ଦର୍ଶକମାନେ ତାଙ୍କୁ ପଡ଼ିଆ ଭିତରକୁ ଆଣିବାରେ ସଫଳ ହୋଇଥିଲେ। ଏହି ସମୟରେ ସେହି ଦର୍ଶକ ଜଣଙ୍କ ଆକ୍ରମଣ ଉଦ୍ଦେଶ୍ୟରେ ଇଞ୍ଜାମାମଙ୍କ ଉଦ୍ଦେଶ୍ୟରେ ଦୌଡ଼ିଥିଲେ। ଇଞ୍ଜାମାମ ସଙ୍ଗେ ସଙ୍ଗେ ଦ୍ୱାଦଶ ଖେଳାଳିଙ୍କ ନିକଟରୁ ବ୍ୟାଟ୍‌ ଛଡ଼ାଇ ଖରାପ ଶବ୍ଦ ବ୍ୟବହାର କରିଥିବା ସେହି ଦର୍ଶକଙ୍କୁ ବାଡ଼େଇବାକୁ ଉଦ୍ୟତ ହେଉଥିଲେ ମଧ୍ୟ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବାରେ ସଫଳ ହୋଇଥିଲେ। ଏହି ଘଟଣାରେ ଇଞ୍ଜାମାମଙ୍କୁ କୋର୍ଟ ପର୍ଯ୍ୟନ୍ତ ଯିବାକୁ ପଡ଼ିଥିଲା। ଅବଶ୍ୟ ଆଝାରୁଦ୍ଦିନ କୋର୍ଟରୁ ମୁକୁଳାଇବାରେ ତାଙ୍କୁ ସହାୟତା କରିଥିଲେ। ପରେ ଇଞ୍ଜାମାମ ନିଜ ଭୁଲ ଲାଗି କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ତାଙ୍କୁ ୨ଟି ମ୍ୟାଚ୍‌ରୁ ବାସନ୍ଦ ହେବାକୁ ପଡ଼ିଥିଲା।

Share