Posted inଫୁରସତ

ଦୃଷ୍ଟି ଯାହାର ମାଟିରୁ ଆକାଶ

ଦୃଷ୍ଟି ଯାହାର ମାଟିରୁ ଆକାଶ ମାଟିରୁ ଆକାଶଯାଏ ବ୍ୟାପ୍ତ ତାଙ୍କ ଲେନ୍ସର ପରିଧି। ସାଧାରଣ ଆଖିରୁ ବାଦ୍‌ ପଡ଼ିଯାଉଥିବା ଦୃଶ୍ୟ କିନ୍ତୁ ତାଙ୍କ କ୍ୟାମେରା ଲେନ୍ସରୁ ବାଦ୍‌ ଯାଇପାରେନା। ତାଙ୍କ ଫଟୋଗ୍ରାଫି ଦେଖିଲେ ହିଁ ଜଣେ ଜାଣିପାରିବ ଫଟୋଗ୍ରାଫି ସହ ତାଙ୍କ ସମ୍ପର୍କ କେତେ ନିବିଡ଼। ତାଙ୍କର ଦୃଶ୍ୟ ଦେଖିବା ଆଉ ଉତ୍ତୋଳନ କରିବା ଶୈଳୀ ତାଙ୍କୁ ଦିଏ ଏକ ସ୍ବତନ୍ତ୍ର ପରିଚୟ। ସେ ହେଲେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଫଟୋଗ୍ରାଫର ପ୍ରଫୁଲ୍ଲ ଚନ୍ଦ୍ର ଧୀର। ପ୍ରଫୁଲ୍ଲଙ୍କ ଘର ଅବିଭକ୍ତ କଟକ ଜିଲା (ବର୍ତ୍ତମାନର ଯାଜପୁର)ର ଗଡ଼ମଧୁପୁରରେ। ବାପା ନୀଳମଣି ଧୀର ଓ ମା’ ଶକୁନ୍ତଳା ଧୀର। ପିଲାବେଳେ ପିଉସାଙ୍କ ପାଖରେ ରହି ପ୍ରଥମେ ପୁରୀରେ ଓ ପରେ କ୍ୟାପିଟାଲ ହାଇସ୍କୁଲକୁ ଆସନ୍ତି ପଢ଼ିବାକୁ। ପାଠପଢ଼ା ପରେ ସେ ପ୍ରଥମେ ବୁର୍ଲାରେ ଚାକିରି କରନ୍ତି। ସେହିଠାରେ ତାଙ୍କର ଜଣେ ବନ୍ଧୁ ବୁର୍ଲା ମେଡିକାଲ କଲେଜରେ ଆର୍ଟିଷ୍ଟ କମ୍‌ ଫଟୋଗ୍ରାଫର ଭାବରେ ଚାକିରି କରୁଥାଆନ୍ତି। ତାଙ୍କୁ ଗୋଟେ କୋଡାକ୍‌ ବ୍ରାଉନିଂ କ୍ୟାମେରା ଦିଆଯାଇଥାଏ। କିନ୍ତୁ ତାଙ୍କ ବନ୍ଧୁଙ୍କୁ ଫଟୋଗ୍ରାଫି ବିଷୟରେ କିଛି ବି ଜଣା ନ ଥାଏ। ସେହି କ୍ୟାମେରାରେ ପ୍ରଫୁଲ୍ଲ ତିନି ଟଙ୍କା ପଚାଶ ପଇସାର ବ୍ଲାକ ଆଣ୍ଡ ହ୍ବାଇଟର ରିଲ ପକାଇ ମନଇଚ୍ଛା ଫଟୋ ଉଠାନ୍ତି। ଆଉ ଏହିଠାରୁ ହିଁ ଆରମ୍ଭ ହୁଏ ତାଙ୍କର ଫଟୋଗ୍ରାଫି ସହ ପରିଚୟ। ଏହାପରେ ସେ ରେଳବାଇରେ ଚାକିରି ପାଇ ବିଳାସପୁର ଚାଲିଯାଆନ୍ତି। ବିଳାସପୁରରେ ସେ ଯେଉଁ ହୋଟେଲରେ ଖାଆନ୍ତି, ତା’ପାଖରେ ଏକ ଷ୍ଟୁଡିଓ ଥାଏ। ତା’ର ମାଲିକ ଜଣେ ବଙ୍ଗୀୟ ଭଦ୍ରବ୍ୟକ୍ତି। ବାପପୁଅ ମିଶି ଷ୍ଟୁଡିଓରେ ବସନ୍ତି। କିନ୍ତୁ ପୁଅର ଜମା ବସିବାକୁ ଇଚ୍ଛା ନ ଥାଏ। ପ୍ରଫୁଲ୍ଲ କୁହନ୍ତି, ‘ମୋର କ୍ୟାମେରା ବିଷୟରେ ଜାଣିବାକୁ ବହୁତ ଇଚ୍ଛା ଥାଏ।’ ମୁଁ ଯାଇ ସେଠାରେ ବସୁଥିଲି। ମୋର ଆଗ୍ରହ ଦେଖି ଦିନେ ଷ୍ଟୁଡିଓ ମାଲିକ ପଚାରିଲେ, ତୁମେ ଫଟୋଗ୍ରାଫି ଶିଖିବାକୁ ଚାହୁଁଛ କି? ମୁଁ ସଙ୍ଗେ ସଙ୍ଗେ ହଁ କରିଦେଲି। ତା’ପରେ ଏମିତି ହେଲା ଯେ, ତାଙ୍କ ପୁଅ ନ ଥିବା ସମୟରେ ମୁଁ ହିଁ ଷ୍ଟୁଡିଓରେ ବସିଲି। ଏହି ସମୟରେ ଷ୍ଟୁଡିଓ ଆଲମାରିରେ ଥିବା ଅନେକ ଫଟୋଗ୍ରାଫି ବହି ମୁଁ ପଢ଼ିଛି। ତିନିମାସ ମଧ୍ୟରେ ସେସବୁ ପଢ଼ି ଷ୍ଟୁଡିଓରୁ କ୍ୟାମେରା ନେଇ ପରୀକ୍ଷାନିରୀକ୍ଷାରେ ଲାଗିଗଲି, ଯାହା ଥିଲା ମୋର ବିଧିବଦ୍ଧ ଫଟୋଗ୍ରାଫିର ଟ୍ରେନିଂ। ଏହାପରେ ଜଟଣୀକୁ ଟ୍ରାନ୍ସଫର ହୋଇଗଲା। ଫଟୋଗ୍ରାଫିର ସଉକ ଥାଏ, କିନ୍ତୁ କ୍ୟାମେରା ନ ଥାଏ। ଏଣୁ ୨୫୦ ଟଙ୍କାରେ ଗୋଟେ ପୁରୁଣା କ୍ୟାମେରା କିଣିଲି। ଆଉ ଫଟୋ ଉଠାଇ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାକୁ ପଠେଇଲି। ଫଟୋ ପ୍ରକାଶ ପାଇବାର ଖୁସି ସେତେବେଳେ ଅବର୍ଣ୍ଣନୀୟ। ସେତେବେଳେ କଳାଧଳା ଫଟୋଗ୍ରାଫିର ସମୟ। ଫଟୋଉଠା ସହ ପ୍ରୋସେସିଂ ସବୁ ନିଜେ କରିବାକୁ ହୁଏ। ଏମିତି ଫଟୋଗ୍ରାଫି କରୁ କରୁ ଫଟୋଟିଏ ପଠାଇଲି ବଙ୍ଗଳା ପତ୍ରିକା ‘ନବକଲ୍ଲୋଳ’କୁ। ଫଟୋ ପ୍ରକାଶ ପାଇବା ସହ ଅଜସ୍ର ପ୍ରଶଂସା ବି ମିଳିଲା। ଅନୁରୋଧ ଆସିଲା ଅନେକ ପତ୍ରିକାରୁ। ପରେ ପରେ ଇଲୁଷ୍ଟ୍ରେଟେଡ୍‌ ଉଇକ୍ଲି ଅଫ୍‌ ଇଣ୍ଡିଆ, ସ୍ବରାଜ, କାରଭାନ୍‌ ପରି ଇଂଲିଶ୍‌ ପତ୍ରିକାଠାରୁ ଆରମ୍ଭ କରି ହିନ୍ଦୀ, ବଙ୍ଗଳା, ତେଲୁଗୁ, କନ୍ନଡ଼ ଆଦି ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ମୋର ଫଟୋ ପ୍ରକାଶ ପାଇବାକୁ ଲାଗିଲା।

୧୯୬୯ ମସିହା କଥା। ୟୁନେସ୍କୋ ଜାପାନରେ ‘ୱାଟର ଆଣ୍ଡ ଲାଇଫ୍‌’ ବିଷୟକୁ ନେଇ ଏକ ଫଟୋ ପ୍ରତିଯୋଗିତା ହେଉଥାଏ, ଯେଉଁଥିରେ ବିଭିନ୍ନ ଦେଶରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ। ଆଉ ଖୁସିର କଥା, ଭାରତରୁ କେବଳ ମୋ ଫଟୋ ହିଁ ଚୟନ କରାଯାଇଥିଲା; ଯାହାକି ସେ ବର୍ଷ ୟୁନେସ୍କୋ ଫଟୋ କ୍ୟାଲେଣ୍ଡରରେ ସ୍ଥାନ ପାଇଥିଲା। ଫଟୋଟି ଥିଲା, ରାଜସ୍ଥାନରେ ବର୍ଷା ହେବା ପରେ ସେଠାକାର ଲୋକମାନେ କିପରି ଓଟ ପିଠିରେ ପାଣି ଲଦି ନେବା ସହ ଛୋଟ ପିଲାମାନେ ମଧ୍ୟ ବାସନକୁସନରେ ବର୍ଷାପାଣି ସଂଗ୍ରହ କରି ନେଉଥାନ୍ତି।’ ମୁଖ୍ୟତଃ ଆର୍ଟ ଫଟୋଗ୍ରାଫିରେ ରୁଚି ରଖୁଥିବା ପ୍ରଫୁଲ୍ଲ ସାରା ଭାରତର କୋଣ ଅନୁକୋଣ ବୁଲିଛନ୍ତି କେବଳ ଫଟୋଗ୍ରାଫି ନିଶାରେ। ଆର୍ଟ ଫଟୋଗ୍ରାଫ ସହ ନ୍ୟୁଜ ଫଟୋଗ୍ରାଫି ବି କରିଛନ୍ତି। ନ୍ୟୁଜ୍‌ ଫଟୋଗ୍ରାଫି ସମୟର ଏକ ଘଟଣା ମନେପକାଇ ସେ କୁହନ୍ତି, ”କୌଣସି ନ୍ୟୁଜ୍‌ ସଂସ୍ଥା ସହ ଜଡିତ ନ ହୋଇ ମଧ୍ୟ ନିଜ ଆଗ୍ରହରେ ଯାଇଥାଏ ଫଟୋ ଉଠାଇବାକୁ। ଏହା ହେଉଛି ମହାବାତ୍ୟା ବେଳର କଥା। ଗୋଟିଏ ଫଟୋ କ୍ଲିକ୍‌ କରି ଗୋଡ଼ ଟେକିଲା ବେଳକୁ ମୋ ଜୋତାରେ କିଛି ଗୁଡ଼େଇ ହେବା ଭଳି ଲାଗିଲା। ତଳକୁ ଚାହିଁ ଦେଖିଲି ଯେଉଁଠି ମୋ ଗୋଡ଼ ପଡ଼ିଥିଲା ତାହା ଥିଲା ଗୋଟେ ଗଳିତ ମୃତଦେହ। ଆଉ ଯାହା ମୋ ଗୋଡ଼ରେ ଗୁଡ଼େଇ ହୋଇଥିଲା, ତାହା ଥିଲା ସେ ମୃତଦେହର ଅନ୍ତନାଡି। ଶିତେଇ ଉଠିଥିଲା ମୋ ଦେହ। ଏବେ ବି ମନେପଡ଼ିଯାଏ ସେ ଦୁଃଖଦ ମୁହୂର୍ତ୍ତର କଥା। ନ୍ୟୁଜ୍‌ ଫଟୋଗ୍ରାଫି ସମୟରେ ଅନେକ ଜନନାୟକଙ୍କ ଫଟୋ ଉଠାଇ ବି ଚର୍ଚ୍ଚାକୁ ଆସିଛି। ମୋର ଜଣେ ବନ୍ଧୁ ପ୍ରଶାନ୍ତ ପଟ୍ଟନାୟକଙ୍କ ସହ ମିଶି ବିଭିନ୍ନ ଖବରକାଗଜ ଓ ମାଗାଜିନ୍‌ ପାଇଁ ବି କାମ କରିଛି।“

ମୁଖ୍ୟତଃ ନେଚର ଫଟୋଗ୍ରାଫି କରୁଥିବା ପ୍ରଫୁଲ୍ଲଙ୍କର କିନ୍ତୁ ବନ୍ୟଜନ୍ତୁ ଫଟୋଗ୍ରାଫିରେ ରହିଛି ଅସମ୍ଭବ ଦକ୍ଷତା। ସେଥିପାଇଁ ସେ ୧୫୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଯେଉଁଥିରେ କେନ୍ଦ୍ର ଲଳିତ କଳା ଏକାଡେମୀ, ଦୁଇଥର ଓଡ଼ିଶା ଲଳିତ କଳା ଏକାଡେମୀ ସହ ୨୦୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି। ଏହାସହ ସେ କ୍ୟାମେରା ସୋସାଇଟି ଅଫ୍‌ ଓଡ଼ିଶା, ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ଫଟୋଗ୍ରାଫି, ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ଫଟୋଗ୍ରାଫି କାଉନସିଲ୍‌ ଇତ୍ୟାଦିରେ କର୍ମକର୍ତ୍ତା ରହିଛନ୍ତି। ଓଡ଼ିଶା ଫାଉଣ୍ଡେଶନ୍‌ ଅଫ୍‌ ଆର୍ଟର ଜଣେ ପ୍ରତିଷ୍ଠାତା ସଭ୍ୟ ଥିବାବେଳେ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ଫଟୋଗ୍ରାଫିର ସେ ପ୍ରକୃତି ଓ ବନ୍ୟପ୍ରାଣୀ ବିଭାଗ ଦାୟିତ୍ୱରେ ମଧ୍ୟ ଅଛନ୍ତି। ଫଟୋଗ୍ରାଫିକୁ ନେଇ ଜିଉଁଥିବା ପ୍ରଫୁଲ୍ଲଙ୍କ ପାଖରେ ରହିଛି ଅନେକ ଦେଶୀ ବିଦେଶୀ କ୍ୟାମେରା। ଟିକେ ଫୁର୍‌ସତ ମିଳିଲେ କ୍ୟାମେରା ଧରି ଚାଲିଯାଆନ୍ତି ପ୍ରକୃତି କୋଳକୁ। ତାଙ୍କ ଫଟୋଗ୍ରାଫି ନିଶା ପାଇଁ ପତ୍ନୀ ପରିବାରର ପୁରା ଦାୟିତ୍ୱ ନିଜେ ହିଁ ନେଉଥିଲେ। ହେଲେ ସେ ନିକଟରେ ଚାଲିଯିବା ପରେ ସେ ଏକା ସତ କିନ୍ତୁ ୮୩ ବର୍ଷ ବୟସରେ ବି ଫଟୋଗ୍ରାଫି ପାଇଁ ବେଶ୍‌ ଚଳଚଞ୍ଚଳ। ଏ ବୟସରେ ବି ଜିମ୍‌ କର୍ବେଟ୍‌ ନ୍ୟାଶନାଲ ପାର୍କରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାଆନ୍ତି ବାଘକୁ। ଜୀବଜନ୍ତୁଙ୍କ ବିରଳ ଠାଣିରେ ଫଟୋ ଉଠାଇବା ପାଇଁ ଭୁଲିଯାଆନ୍ତି ସେ ଭୋକଶୋଷ ଆଉ ବୟସର ତାଗିଦାକୁ।

– ରୋଜାଲିନ୍‌ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?