ନୂଆଦିଲ୍ଲୀ, ୧୫ା୧୦ : ଦେଶରେ ଖାଦ୍ୟସାମଗ୍ରୀ, ଜାଳେଣି ଏବଂ ମାନ୍ୟୁଫାକଚରିଂ (ଉତ୍ପାଦିତ) ସାମଗ୍ରୀର ଦରବୃଦ୍ଧି କାରଣରୁ ସେପ୍ଟେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ସିରିଜ୍ର ସର୍ବୋଚ୍ଚ ସ୍ତର ୧୧.୩୯%ରେ ପହଞ୍ଚିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ବୁଧବାର ପ୍ରକାଶିତ ସରକାରୀ ତଥ୍ୟରୁ ଏହି ସୂଚନା ମିଳିଛି। ପଶ୍ଚିମ ଏସିଆର ଯୁଦ୍ଧ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଜଳପଥ ‘ହର୍ମୁୁଜ୍ ପ୍ରଣାଳୀ’ ବନ୍ଦ ରହିବା କାରଣରୁ ବିଶ୍ୱବଜାରରେ କ୍ରୁଡ୍ ଅଏଲ୍ (ଅଶୋଧିତ ତୈଳ) ଓ ସାର ମୂଲ୍ୟ ବୃଦ୍ଧି ପାଇଥିବାବେଳେ ଏହାର ପରୋକ୍ଷ ପ୍ରଭାବ ସମଗ୍ର ଦେଶର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।
ସେପ୍ଟେମ୍ବରରେ ଜାଳେଣି ଏବଂ ଶକ୍ତି କ୍ଷେତ୍ରରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୨୫.୮୫% (ଅଗଷ୍ଟରେ ୨୨.୯୩%) ହୋଇଛି। ବିଶେଷକରି ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମୁଦ୍ରାସ୍ଫୀତି ଅଗଷ୍ଟର ୩୪.୪୧% ରୁ ବୃଦ୍ଧି ପାଇ ସେପ୍ଟେମ୍ବରରେ ୫୭.୩୨%ରେ ପହଞ୍ଚିଛି। ଖାଦ୍ୟସାମଗ୍ରୀ ସୂଚକାଙ୍କକୁ ଦେଖିଲେ, ଖାଦ୍ୟସାମଗ୍ରୀର ମୁଦ୍ରାସ୍ଫୀତି ଅଗଷ୍ଟର ୭.୦୫%ରୁ ବୃଦ୍ଧି ପାଇ ସେପ୍ଟେମ୍ବରରେ ୮.୬୬% (ପ୍ରାଇମେରି ଫୁଡ୍ ଇଣ୍ଡେକ୍ସ ୮.୧୪%) ହୋଇଛି, ଯାହା ଗତ ୨୧ ମାସ ମଧ୍ୟରେ ସର୍ବାଧିକ। ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ପାଇକାରୀ ମୁଦ୍ରାସ୍ଫୀତି ସର୍ବକାଳୀନ ସର୍ବୋଚ୍ଚ ୯.୭୬%ରେ ପହଞ୍ଚିଛି (ଅଗଷ୍ଟରେ ଏହା ୮.୩୭% ଥିଲା)। ଟେକ୍ସଟାଇଲ, ରସାୟନ, ମୌଳିକ ଧାତୁ ଏବଂ ବୈଦ୍ୟୁତିକ ସରଞ୍ଜାମ ଦରରେ ବୃଦ୍ଧି ଘଟିଛି।
ବଢ଼ୁଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ମନିଟାରି ପଲିସି କମିଟି ଗତ ସପ୍ତାହରେ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରି ୫.୫୦ ପ୍ରତିଶତକୁ ସ୍ଥିର କରିଥିଲା। ଏହାବ୍ୟତୀତ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇ ଗତ ୨୩ ମାସର ସର୍ବୋଚ୍ଚ ସ୍ତର ୫.୫୪ ପ୍ରତିଶତରେ ପହଞ୍ଚିଥିବା ତଥ୍ୟରୁ ଜଣାପଡ଼ିଛି।