Categories: ବାଣିଜ୍ୟ

ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୦୭%

ନୂଆଦିଲ୍ଲୀ, ୧୫।୭: ଜୁନ୍‌ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୧୨.୦୭% ରହିଛି। ଏହି ସମୟରେ ଅଶୋଧିତ ତେଲ ଏବଂ ଖାଦ୍ୟ ସାମଗ୍ରୀ ଦର ସାମାନ୍ୟ ବଢ଼ିଛି। ଲଗାତର ୩ ମାସ ହେବ ପାଇକାରୀ ମୁଦ୍ରାସ୍ଫୀତି ୨ ଅଙ୍କ ସ୍ତର ଛୁଇଁଛି। ଗତ ବର୍ଷର ଲୋ ବେସ୍‌ ପ୍ରଭାବ ଯୋଗୁ ଏଭଳି ସ୍ଥିତି ଉପୁଜିଛି। ୨୦୨୦ ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି -୧.୮୧% ସ୍ତରରେ ରହିଥିଲା। ଚଳିତ ବର୍ଷ ମେ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୫ ମାସର ସର୍ବୋଚ୍ଚ ସ୍ତର ୧୨.୯୪%ରେ ରହିଥିଲା। ଚଳିତ ବର୍ଷ ଅକ୍ଟୋବର ଯାଏ ଏହି ମୁଦ୍ରାସ୍ଫୀତି ବର୍ଦ୍ଧିତ ସ୍ତରରେ ରହିବା ନେଇ ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସରକାର ବୁଧବାର ପାଇକାରୀ ମୁଦ୍ରାସ୍ଫୀତି ସଂକ୍ରାନ୍ତ ଡାଟା ଜାରି କରିଛନ୍ତି। ମିନେରାଲ ଅଏଲ ମହଙ୍ଗା ହେବା ଯୋଗୁ ଜୁନ୍‌ରେ ପାଇକାରୀ ମୁଦ୍ରାସ୍ଫୀତି ବଢିଛି। ଏଥିରେ ପେଟ୍ରୋଲ,ଡିଜେଲ, ନେପଥା ଏବଂ ଜେଟ୍‌ ଫୁଏଲ ସାମିଲ ରହିଛି। ସେହିଭଳି ମାନୁଫାକଚର ପ୍ରଡକ୍ଟ ଭଳି ବେସିକ ମେଟାଲ ଏବଂ ଫୁଡ୍‌ ପ୍ରଡକ୍ଟର ଦରଦାମ ମଧ୍ୟ ବଢିଛି।
ରିପୋର୍ଟ ମୁତାବକ, ଇନ୍ଧନ ଏବଂ ଶକ୍ତି ୩୨.୮୩% ମହଙ୍ଗା ହୋଇଛି। ମାନୁଫାକ୍‌ଚର ପ୍ରଡକ୍ଟ ୧୦.୮୮% ମହଙ୍ଗା ହୋଇଥିବା ବେଳେ ପ୍ରାଇମେରି ଆର୍ଟିକିଲ ୭.୭୪% ଦର ବଢିଛି। ଖାଦ୍ୟ ସାମଗ୍ରୀ ଦର ଶସ୍ତା ହେବା ଯୋଗୁ ଖାଦ୍ୟ ସୂଚକାଙ୍କରେ ମୁଦ୍ରାସ୍ଫୀତି ୬.୬୬%କୁ ଖସିଛି। ମେ ମାସରେ ଏହା ୮.୧୧% ସ୍ତରରେ ରହିଥିଲା। ସରକାର ସୋମବାର ଖୁଚୁରା ମୁଦ୍ରାସ୍ଫୀତି ଏବଂ ଔଦ୍ୟୋଗିକ ଉତ୍ପାଦନ ସଂକ୍ରାନ୍ତ ଡାଟା ଜାରି କରିଥିଲେ। ଜୁନ୍‌ରେ ଖାଉଟି ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି ୬.୨୬% ରହିଛି। ମେ ମାସରେ ଏହା ୬.୩୦% ସ୍ତରରେ ରହିଥିଲା। ମେ ମାସରେ ମୁଦ୍ରାସ୍ଫୀତି ୬ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ଜୁନ୍‌ରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ ୨୯.୨% ସ୍ତରରେ ରହିଛି। ଏହା ୨୦୨୦ ମେ ମାସରେ ୩୩.୪% ହ୍ରାସ ହୋଇଥିଲା।

Share