ନୂଆଦିଲ୍ଲୀ,୧୩।୯: ଉତ୍ତର ପ୍ରଦେଶର ବରେଲିରେ ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ମାମଲାରେ ଏକ ନୂତନ ମୋଡ଼ ଆସିଛି। ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଅବସରପ୍ରାପ୍ତ ସିଓ ଜଗଦୀଶ ପଟାନିଙ୍କ ଘରେ ଦୁଇଜଣ ଅଜଣା ବାଇକ ଚଢ଼ି ଗୁଳି ଚଳାଇ ପରିବାରକୁ ଆତଙ୍କିତ କରିଦେଇଥିଲେ। କିନ୍ତୁ ଏବେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ସିଧାସଳଖ ଏହି ଘଟଣାର ଦାୟିତ୍ୱ ନେଇଛନ୍ତି।
ରୋହିତ ଗୋଦାରା ଗ୍ୟାଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି ଯେ ଏହି ଆକ୍ରମଣ ଅଭିନେତ୍ରୀଙ୍କ ଭଉଣୀ ଖୁସ୍ବୁ ପଟାନିଙ୍କ ଦ୍ୱାରା ସନ୍ଥ ପ୍ରେମାନନ୍ଦ ମହାରାଜ ଏବଂ ଅନିରୁଦ୍ଧାଚାର୍ଯ୍ୟ ଜୀ ମହାରାଜଙ୍କ ବିରୁଦ୍ଧରେ ଦିଆଯାଇଥିବା କଥିତ ମନ୍ତବ୍ୟର ପ୍ରତିଶୋଧ। ଭାଇରାଲ ପୋଷ୍ଟରେ ସ୍ପଷ୍ଟ ଭାବରେ ଚେତାବନୀ ଦିଆଯାଇଛି ଯେ, ଯେକେହି ଆମ ଧର୍ମ ଏବଂ ସନ୍ଥମାନଙ୍କ ବିରୁଦ୍ଧରେ କହିବ, ତାଙ୍କ ଘର ଉପରେ ଆକ୍ରମଣ କରାଯିବ। ଗ୍ୟାଙ୍ଗଷ୍ଟର ଏହା ମଧ୍ୟ ଦାବି କରିଛି ଯେ ଏହା କେବଳ ଏକ ଟ୍ରେଲର, ପରବର୍ତ୍ତୀ ସମୟରେ ଏକ ବଡ଼ ପଦକ୍ଷେପ ନିଆଯିବ।
ରୋହିତ ଗୋଦାରାଙ୍କ ନାମରେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦାବି କରାଯାଇଛି ଯେ ସେ ଖୁସ୍ବୁ ପଟାନି ଏବଂ ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଲେଖାଯାଇଥିଲା,ସେ ଆମର ପୂଜ୍ୟ ସନ୍ଥ (ପ୍ରେମାନନ୍ଦ ଜୀ ମହାରାଜ ଏବଂ ଅନିରୁଦ୍ଧାଚାର୍ଯ୍ୟ ଜୀ ମହାରାଜ)ଙ୍କୁ ଅପମାନିତ କରିଥିଲେ। ସେ ଆମର ସନାତନ ଧର୍ମକୁ ହୀନ କରିବାକୁ ଚେଷ୍ଟା କରିଥିଲେ। ଆମର ପୂଜ୍ୟ ଦେବତାଙ୍କ ଅପମାନକୁ ବରଦାସ୍ତ କରାଯିବ ନାହିଁ। ଏହା କେବଳ ଏକ ଟ୍ରେଲର ଥିଲା।

