କୋଲକାତା,୭।୫: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ରକ୍ତପାତ ଦେଖିବାକୁ ମିଳିଛି। ବୁଧବାର ରାତିରେ ଭାଜପା ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଉତ୍ତର ୨୪ ପ୍ରଗଣା ଜିଲାର ମଧ୍ୟମଗ୍ରାମ ଅଞ୍ଚଳରେ ବାଇକ୍ରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ କାର୍ ଅଟକାଇ ଅତର୍କିତ ଗୁଳି ଚାଳନା କରିଥିଲେ, ଯାହାଫଳରେ ୪୧ ବର୍ଷୀୟ ଚନ୍ଦ୍ରନାଥଙ୍କ ମୃତ୍ୟୁ ଘଟିଛି।
ଚନ୍ଦ୍ରନାଥ ରଥ କେବଳ ଜଣେ ରାଜନୈତିକ କର୍ମୀ ନ ଥିଲେ, ବରଂ ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ପରିବାର ସହ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜଡ଼ିତ ଥିଲେ। ପୂର୍ବ ମେଦିନୀପୁରର ଚାନ୍ଦିପୁର ବାସିନ୍ଦା ଚନ୍ଦ୍ରନାଥଙ୍କ ପରିବାର ଆରମ୍ଭରୁ ତୃଣମୂଳ କଂଗ୍ରେସ (TMC) ସହିତ ଥିଲେ। ତାଙ୍କ ମା’ ହାସୀ ରଥ ସ୍ଥାନୀୟ ପଞ୍ଚାୟତ ରାଜନୀତିରେ ସକ୍ରିୟ ଥିଲେ। କିନ୍ତୁ ୨୦୨୦ରେ ଯେତେବେଳେ ସୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେଲେ, ଚନ୍ଦ୍ରନାଥ ମଧ୍ୟ ତାଙ୍କ ସହ ପଦ୍ମ ଶିବିରକୁ ଚାଲିଆସିଥିଲେ।
ଭାରତୀୟ ବାୟୁସେନାରୁ ରାଜନୀତି:
ଚନ୍ଦ୍ରନାଥଙ୍କ ଜୀବନ ବେଶ ପ୍ରେରଣାଦାୟୀ ଥିଲା। ସେ ରହାରା ରାମକୃଷ୍ଣ ମିଶନରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଜଣେ ଆଧ୍ୟାତ୍ମିକ ମଣିଷ ଥିଲେ। ସେ ପ୍ରାୟ ୨୦ ବର୍ଷ ଧରି ଭାରତୀୟ ବାୟୁସେନା (Indian Air Force) ରେ ଦେଶ ପାଇଁ ସେବା କରିଥିଲେ। ବାୟୁସେନାରୁ ଅବସର ନେବା ପରେ ସେ କିଛି ସମୟ କର୍ପୋରେଟ ସେକ୍ଟରରେ କାମ କରିଥିଲେ, କିନ୍ତୁ ପରେ ସମ୍ପୂର୍ଣ୍ଣ ଭାବେ ଶୁଭେନ୍ଦୁଙ୍କ ସହ ରାଜନୀତିରେ ସକ୍ରିୟ ହୋଇଥିଲେ।
ମମତା ବାନାର୍ଜୀଙ୍କ ସରକାରରେ ଶୁଭେନ୍ଦୁ ଯେତେବେଳେ ମନ୍ତ୍ରୀ ଥିଲେ, ଚନ୍ଦ୍ରନାଥ ତାଙ୍କ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିଲେ। ପରେ ଭାଜପାରେ ସାମିଲ ହେବା ପରେ ଭବାନୀପୁର ଭଳି ହାଇ-ପ୍ରୋଫାଇଲ ନିର୍ବାଚନ ମଣ୍ଡଳୀରେ ଦଳର ନିର୍ବାଚନ ରଣନୀତି ଏବଂ ସଂଗଠନ ପରିଚାଳନାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଶୁଭେନ୍ଦୁଙ୍କ ‘ଡାହାଣ ହାତ’ ବୋଲି କୁହାଯାଉଥିଲା।
ତାଙ୍କୁ ହତ୍ୟା ପରେ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାଜପା ପକ୍ଷରୁ ଏହାକୁ ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି କୁହାଯାଉଥିବା ବେଳେ ପୋଲିସ ମାମଲାର ତଦନ୍ତ ଜାରି ରଖିଛି। ଜଣେ ଶାନ୍ତ ଏବଂ ଶୃଙ୍ଖଳିତ ବ୍ୟକ୍ତିତ୍ୱ ଭାବେ ପରିଚିତ ଚନ୍ଦ୍ରନାଥଙ୍କ ମୃତ୍ୟୁରେ ଭାଜପା ଶିବିରରେ ଶୋକର ଛାୟା ଖେଳିଯାଇଛି।
Dharitri – Odisha’s No.1 Odia Daily