ସାଧାରଣ ବଜେଟ ୨୦୨୫-୨୬ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ଉପସ୍ଥାପନ କରିବା ପରଠାରୁ ସମଗ୍ର ଦେଶରେ ଗୋଟିଏ କଥା ଗୁଞ୍ଜରଣ ହେଉଛି ଯେ, ମଧ୍ୟବିତ୍ତ ବର୍ଗ ସବୁଠାରୁ ଅଧିକ ଉପକୃତ ହେବେ। କାରଣ ଆୟକରଦାତାଙ୍କୁ ସବୁଠାରୁ ଅଧିକ ସୁବିଧା ଦିଆଯାଇଛି। ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆଉ ଟିକସ ଦେବାକୁ ପଡ଼ିବ ନାହିଁ। ଏପରିକି ଜାତୀୟ ଗଣମାଧ୍ୟମରେ ଏହି ଲାଭ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏକ ତଥ୍ୟରୁ ଜଣାପଡ଼ିଛି ଯେ ୧୪୦ କୋଟି ଭାରତୀୟଙ୍କ ମଧ୍ୟରୁ ମାତ୍ର ୮ କୋଟି ଟିକସ ଫର୍ମ ଭରିଥାଆନ୍ତି। ସେମାନଙ୍କ ମଧ୍ୟରୁ ୪ କୋଟି ହେଉଛନ୍ତି ଶୂନ ଟିକସଦାତା। ବାକି କରଦାତାଙ୍କ ମଧ୍ୟରେ ବିଭାଗୀକରଣ କରାଯାଇଛି। ଖୋଦ୍ ଅର୍ଥମନ୍ତ୍ରୀ କହିଛନ୍ତି, ବଜେଟରେ କରାଯାଇଥିବା ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ପ୍ରାୟ ୧ କୋଟି କରଦାତା ଲାଭବାନ ହେବେ। ଏଭଳି ପ୍ରଚ୍ଛଦପଟରେ ଦେଶର ମଧ୍ୟବିତ୍ତଙ୍କ ସଂଖ୍ୟା ଉପରେ ନଜର ପକାଯାଉ। ୨୦୨୦-୨୧ର ଏକ ତଥ୍ୟ ଅନୁଯାୟୀ ଦେଶ ଜନସଂଖ୍ୟାର ୪୩ କୋଟି ୨୦ ଲକ୍ଷ ରହିଛନ୍ତି ମଧ୍ୟବିତ୍ତ। ଉପରଲିଖିତ ସଂଖ୍ୟା ଦେଖିଲେ ୧ କୋଟି କରଦାତା ଯେଉଁ ଲାଭବାନ ହେବେ ବୋଲି କୁହାଯାଉଛି ସେହି ଅନୁଯାୟୀ ବିଚାର କଲେ ଆହୁରି ୪୨ କୋଟିରୁ ଅଧିକ ଲୋକ ଆୟକର ସୁବିଧାର ଧାର ଧରିବେ ନାହିଁ। ତେଣୁ ସମ୍ପୂର୍ଣ୍ଣ ମଧ୍ୟବିତ୍ତ ଉପକୃତ ହେବେ ବୋଲି ଯେଉଁ ଗୋଟେ ବଡ଼ ଡାକ ପଡ଼ିଛି ତାହା ବାସ୍ତବ ନୁହେଁ।
ଏହା କୁହାଯାଇପାରେ ଯେ ଦେଶରେ ମଧ୍ୟବିତ୍ତ ସବୁବେଳେ ଅଣଦେଖା ହୋଇ ରହିଆସିଛନ୍ତି। ତେବେ କେଉଁ ପରିବାର ବା ବ୍ୟକ୍ତିବିଶେଷଙ୍କୁ ମଧ୍ୟବିତ୍ତ ବୋଲି କୁହାଯିବ, ତାହାର ମାପଦଣ୍ଡ କେହି ନିର୍ଦ୍ଧାରଣ କରୁନାହାନ୍ତି। ମାସକୁ ୩ ଲକ୍ଷ ଟଙ୍କା ଅର୍ଜନ କରୁଥିବା ଲୋକ ସୀତାରାମନଙ୍କ ୨୦୨୫-୨୬ ବଜେଟରେ କୌଣସି ଲାଭ ପାଇପାରିବ ନାହିଁ। ସେହି ବ୍ୟକ୍ତି ଯଦି ପରିବାରରେ ଏକମାତ୍ର ରୋଜଗାରକ୍ଷମ ଏବଂ ତାଙ୍କ ସହିତ ମାତାପିତା, ସାନ ଭଉଣୀଭାଇ, ସ୍ତ୍ରୀ ଏବଂ ୨ରୁ ୩ ପିଲା ଏକସଙ୍ଗେ ଗୋଟିଏ ଛାତ ଓ ଗୋଟିଏ ରୋଷେଇଘରର ଆଶ୍ରୟ ନେଇଥିବେ, ଆଜିର ମହଙ୍ଗା ଯୁଗରେ ସେଭଳି ତଥାକଥିତ ଧନୀ ଲୋକ ମଧ୍ୟ ମଧ୍ୟବିତ୍ତ ବୋଲି ଆଖ୍ୟା ପାଇପାରିବ କି ନାହିଁ, ତାହା କହିବା ସମ୍ଭବ ନୁହେଁ। ଏହାଛଡ଼ା ଭାରତର କେଉଁ ବଡ଼ ସହର କିମ୍ବା ଅଞ୍ଚଳରେ ସେଭଳି ପରିବାର ବସବାସ କରୁଛନ୍ତି, ତାହା ମଧ୍ୟ ଅର୍ଥନୈତିକ ସ୍ଥିତି ନିର୍ଦ୍ଧାରଣ କରିଥାଏ। ବିରାଟ ଜନବହୁଳ ଦେଶରେ ମଧ୍ୟବିତ୍ତର ସଂଜ୍ଞା ଅସ୍ପଷ୍ଟ ଥିବାରୁ ବଜେଟରେ ଦିଆଯାଇଥିବା ସୁବିଧା ସମ୍ଭବତଃ କାହାରିକୁ ହୃଦ୍ବୋଧ ହେବ ନାହିଁ। ଧନିକ ବ୍ୟକ୍ତିଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ଫରକ ପଡ଼ୁ ନ ଥିବା ବେଳେ ଗରିବଙ୍କୁ ସରକାର ବିନା ମୂଲ୍ୟରେ ବହୁ ଜନହିତକର ଯୋଜନାରେ ହିତାଧିକାରୀ କରିଦେଇଛନ୍ତି। ସରକାରୀ ହିସାବରେ ଦେଶର ୮୦ କୋଟିରୁ ଅଧିକ ଲୋକ ମାଗଣାରେ ଅନେକ ସୁବିଧା ପାଉଛନ୍ତି। ଏହା ଜଣାଶୁଣା ଯେ ଏସବୁ ଟିକସଦାତାଙ୍କ ଅର୍ଥରୁ ଦିଆଯାଇଥାଏ। ଏଭଳି ସ୍ଥଳେ ମଧ୍ୟବିତ୍ତ ‘ଘାସକୁ ମୋଟ, ଗଛକୁ ଛୋଟ’ ସ୍ତରରେ ଦୋଦୁଲ୍ୟମାନ ହୋଇଥାଏ। ଯାହା ହେଉ ଏଥର ବଜେଟରେ ପୂର୍ବାପେକ୍ଷା ମଧ୍ୟବିତ୍ତଙ୍କ କଥା ସରକାର ବିଚାର କରିଥିବାରୁ ତାହା ଗୋଟିଏ ପକ୍ଷେ ସ୍ବାଗତଯୋଗ୍ୟ। କିନ୍ତୁ ଯେଭଳି ପ୍ରଚାର ହେଉଛି ଯେ ସବୁ ମଧ୍ୟବିତ୍ତ ବଜେଟ ଦ୍ୱାରା ଉପକୃତ ହେବେ, ତାହା ଅବାସ୍ତବ ପ୍ରତୀୟମାନ ହେଉଛି। ବର୍ତ୍ତମାନର ଭୂରାଜନୈତିକ ଓ ଭୂଅର୍ଥନୈତିକ ସ୍ଥିତିକୁ ଦେଖିଲେ ଚାରିଆଡ଼େ ଅନିଶ୍ଚିତତା ଲାଗିରହିଛି। ଫେବୃଆରୀ ୨ର ଖବର ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ପର୍ଯ୍ୟାୟରେ ମେକ୍ସିକୋ, କାନାଡା ଓ ଚାଇନା ଉପରେ ଆମଦାନୀ ଟିକସକୁ ବୃଦ୍ଧି କରିଛନ୍ତି। ଏହା ନିଶ୍ଚିତ ଭାବେ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ଓ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିବ। ଏହାର ପ୍ରଭାବ ପରବର୍ତ୍ତୀ ସମୟରେ ଭାରତ ଉପରେ ପଡ଼ିବା ଥୟ। ହୁଏତ ଏହାକୁ ସାମ୍ନା କରିବାକୁ କେନ୍ଦ୍ର ବଜେଟରେ ଆମେରିକାରୁ ଆମଦାନୀ ହେଉଥିବା କେତେକ ମୋଟରଯାନ ଉପରେ ଆମଦାନୀ କର ହ୍ରାସ କରାଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ଶପଥ ଗ୍ରହଣ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିମନ୍ତ୍ରଣ ଦେଇ ନ ଥିବା ହେତୁ ଏଭଳି ଟିକସ ହ୍ରାସ କେତେଦୂର ପ୍ରଭାବ ପକାଇବ ତାହା ଏବେ କହିବା କଷ୍ଟକର। ତେଣୁ ଏଭଳି ବାହ୍ୟ ସ୍ଥିତି ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏମିତି ଦେଖିଲେ ଡଲାର ତୁଳନାରେ ଭାରତୀୟ ମୁଦ୍ରା କ୍ରମାଗତ ଦୁର୍ବଳ ହେବାରେ ଲାଗିଛି। ଯଦି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କଥା ଆଲୋଚନା କରାଯାଏ, ତାହାର ଗତିରୋଧ ବିଷୟରେ ବଜେଟରେ ଗଭୀର ଚିନ୍ତା କରାଯାଇ ନ ଥିବା ଜଣାପଡୁଛି। ଆୟକରଦାତାଙ୍କୁ ଟିକସରେ ରିହାତି ସାମଗ୍ରୀ ଓ ସେବା ଉପଭୋଗ ଲାଗି ଲୋକଙ୍କ ହାତକୁ ଅଧିକ କିଛି ଅର୍ଥ ଆସିପାରେ। କିନ୍ତୁ ସେହି ମୁକ୍ତି ପାଇଥିବା କରଦାତାଙ୍କ ବାସ୍ତବ ସଂଖ୍ୟା କେତେ ଏବଂ ସେମାନେ ସୁନା କିଣିବେ କିମ୍ବା କେଉଁଭଳି ଖର୍ଚ୍ଚ କରିବେ, ତାହା ଆକଳନ କରିବା ସମ୍ଭବପର ନୁହେଁ। ଏହା କହିଲା ବେଳେ ଅନେକେ ସଚେତନ ରହିବା କଥା ଯେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଟି ଜିନିଷ ଓ ସେବା ପାଇଁ ଦେବାକୁ ପଡ଼ୁଛି। ତାହା ଭାରତୀୟ ନାଗରିକଙ୍କ ରକ୍ତ ଶୋଷି ନେଉଛି। ତେଣୁ ସେହି ଦିଗରେ ଅଧିକ ଧ୍ୟାନ ଦେବାର ଥିଲା। ଗତ ସପ୍ତାହରେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ୮ମ ବେତନ କମିଶନ ଦିଆଯିବା ଲାଗି ସୁପାରିସ ହୋଇଛି। ଏଥିରେ କର୍ମଚାରୀଙ୍କ ଦରମା ଓ ସୁବିଧା ୨.୨୮ ରୁ ୨. ୮୬ ପ୍ରତିଶତ ବୃଦ୍ଧି ଲାଗି ସୁପାରିସ କରାଯାଇଛି। କଟିକାଟି ତାହା ଯଦିବା ଦୁଇ ପ୍ରତିଶତ ହୁଏ, ତାହା ହେଲେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଓ ଆନୁଷଙ୍ଗିକ ଆର୍ଥିକ ସୁବିଧା ଦୁଇଗୁଣ ବଢ଼ିବା ଯାଏ ଯିବ। ସେସବୁ ଟିକସଦାତାଙ୍କ ଅର୍ଥରୁ ଭରଣା କରାଯିବ ଓ ତାହାର ସିଧାସଳଖ ପ୍ରଭାବ ବଜାର ଉପରେ ପଡ଼ିଲେ ବିଭିନ୍ନ ସାମଗ୍ରୀ ମୂଲ୍ୟ ଆହୁରି ବୃଦ୍ଧି ପାଇବ। କେବଳ ସେତିକି ନୁହେଁ, ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସମାନତା ବେଶ୍ ବଢ଼ିଯିବ।
ବଜେଟ ଗୋଟେ ଦେଶର ଆୟବ୍ୟୟ ଅଟକଳର ଏକ ବାର୍ଷିକ ବିବରଣୀ ହୋଇଥାଇପାରେ। କିନ୍ତୁ ସମାଜର ପ୍ରତ୍ୟେକ ବର୍ଗଙ୍କ ଆର୍ଥିକ ଦିଗ ଭଳି ସାମାଜିକ ପୃଷ୍ଠଭୂମିକୁ ନେଇ ବ୍ୟୟବାରାଦ ଯୁକ୍ତିସଙ୍ଗତ ହେଲେ ଜନମଙ୍ଗଳ ରାଷ୍ଟ୍ରରେ ସମସ୍ତେ ତାହାର ଉପକାର ପାଇପାରନ୍ତେ। ସାଧାରଣ ଲୋକ ବିତ୍ତୀୟ ନିଅଣ୍ଟ, କାପେକ୍ସ (କ୍ୟାପିଟାଲ ଏକ୍ସପେଣ୍ଡିଚର), ଜିଡିପି ଭଳି କ୍ଳିଷ୍ଟ ଅର୍ଥନୈତିକ ଶବ୍ଦ କିଛି ବୁଝି ନ ଥାଏ। ତାହାର ଦରକାର ଘର ଚଳାଇବା ସହ ପିଲାଙ୍କୁ ଉପଯୁକ୍ତ ଶିକ୍ଷା, ରୋଜଗାର ମିଳିବାଠାରୁ ଆରମ୍ଭ କରି ଶିଶୁଠୁ ବୟସ୍କଙ୍କ ଯାଏ ଉତ୍ତମ ସ୍ବାସ୍ଥ୍ୟ ଠିକ୍ ଭାବେ ପାଇବା। ପରିବହନ, ଯୋଗାଯୋଗ ଓ ଆନୁଷଙ୍ଗିକ ଭିତ୍ତିଭୂମିର ଉନ୍ନତି ହେଲେ ତାହାର ଜୀବନ ସୁଗମ ହୋଇପାରିବ। ନିକଟରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ କିମ୍ବା ଚଳିତ ବର୍ଷ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବଜେଟରେ କିଛି ଲୋଭ ଦେଖାଇବା କେବଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାର ପ୍ରଥମ ଥର ପାଇଁ କରିନାହାନ୍ତି; ପୂର୍ବବର୍ତ୍ତୀ ସରକାରରେ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ରଖି ବଜେଟ ଉପସ୍ଥାପନ କରାଯାଇଛି। ତେବେ ଆଜିର ମାନ୍ଦାବସ୍ଥା ସ୍ଥିତିକୁ ଦେଖିଲେ ସରକାରଙ୍କୁ ଅଧିକ ସତର୍କ ହୋଇ ଆର୍ଥିକ ନିଷ୍ପତ୍ତି ନେବାର ଆବଶ୍ୟକତା ଥିଲା ବୋଲି କୁହାଯାଇପାରେ। ଗଣମାଧ୍ୟମରେ କେବଳ ବଜେଟର ନିର୍ଦ୍ଦିଷ୍ଟ ଦିଗକୁ ନେଇ ପ୍ରଶଂସା କଲେ ତାହାର ବାସ୍ତବ ସୁଫଳ ଲୋକେ ପାଇପାରିବେ ନାହିଁ।


